୪ ଜିଲ୍ଲାରେ ବଢିବ କୋଭିଡ ବେଡ୍
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ରଖିଲେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ ଟି ଜିଲ୍ଲାରେ କୋଭିଡ଼ ବେଡ ସଂଖ୍ୟା ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଆଉ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରି ୪ ଟି ଜିଲ୍ଲାରେ ୫୫୦ ବେଡ୍ ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଏମସିଏଲକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ।
ସମ୍ବଲପୁର, ସୁନ୍ଦରଗଡ, ଝାରୁସୁଗୁଡା ଓ ଅନୁଗୁଳ ଜିଲ୍ଲାରେ ବଢିବ କୋଭିଡ ବେଡ ସଂଖ୍ୟା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୭ ତାରିଖରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୫୦ଟି ବେଡ଼୍ ସହ ଅକ୍ସିଜେନ୍ ସଂଯୁକ୍ତ ବେଡ଼୍, ଆଇସିୟୁ, ଭେଂଟିଲେଟର ତଥା ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧକୁ ପ୍ରାଥମିକତା ଦେଇ ପଦକ୍ଷେପ ନେବାକୁ ଏମଏସିଏଲକୁ ନିର୍ଦ୍ଦେଶ ଦେଇଥିବା ଉଲ୍ଲେଖ କରିଛନ୍ତି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।
କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ପତ୍ର ଲେଖି ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଠାରେ ୧୫୦ଟି ଅକ୍ସିଜେନ୍ ସଂଯୁକ୍ତ ବେଡ୍, ଆଇସିୟୁ ଏବଂ ଭେଂଟିଲେଟର ସୁବିଧା ସହ ଅସ୍ଥାୟୀ ଭାବେ ସୁପର ସ୍ପେଶାଲିଟି ହସ୍ପଟିାଲ ପ୍ରତିଷ୍ଠା, ସୁନ୍ଦରଗଡ଼ ଜିଲ୍ଲାର ଏମସିଏଲର ବସୁଦ୍ଧରା ଏବଂ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଂଚଳରେ ଥିବା କୋଭିଡ୍ ହସ୍ପିଟାଲରେ ୫୦ଟି ଲେଖାଏଁ ଅକ୍ସିଜେନ୍ ସଂଯୁକ୍ତ ବେଡ଼୍ ସହ ଆଇସିୟୁ ଏବଂ ଭେଂଟିଲେଟର ସୁବିଧା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ସେହିପରି ଝାରସୁଗୁଡ଼ା ଜିଲ୍ଲା ଲଖନପୁର କୋଭିଡ୍ ହସ୍ପିଟାଲ ଏବଂ ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଏମସିଏଲର କୋଭିଡ୍ ହସ୍ପିଟାଲ ଠାରେ ୧୫୦ଟି ଲେଖାଏଁ ଅକ୍ସିଜେନ୍ ସଂଯୁକ୍ତ ବେଡ଼୍, ଆଇସିୟୁ ଏବଂ ଭେଂଟିଲେଟରର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ ।
ରାଜ୍ୟରେ କୋଭିଡର ଦ୍ୱିତୀୟ ଲହରର ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ଭିତିଭୂମିକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ରାଜ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଜରୁରିକାଳୀନ ପଦକ୍ଷେପ ନେବାକୁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଯୋଶୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ ।