ତାତି କମାଇବ କି ଲଘୁଚାପ!
ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଛି । କେନ୍ଦୁଝରରେ ୩୯ ଦଶମିକ ୬, ସମ୍ବଲପୁରରେ ୩୯ ଦଶମିକ ୨ ଓ ଭୁବନେଶ୍ୱରରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ୧୧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆଗାମୀ ୨ ଦିନ ଯାଏ ତାତିରେ ବିଶେଷ ପରିବର୍ତ୍ତନ ହେବନି। ହେଲେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଦାନା ବାନ୍ଧୁଥିବାରୁ ଖୁବ୍ ଶୀଘ୍ର ତାତିରୁ ତ୍ରାହି ମିଳିବାର ଆଶା ଦେଖାଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଆସନ୍ତା ମେ ମାସ ୪ ତାରିଖ ରାତି ବା ୫ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେଲେ ତାତିରୁ ମୁକ୍ତି ମିଳିବାର ସମ୍ଭାବନା ରହିଛି।
ଆଜି ଏବଂ ଆସନ୍ତାକାଲି ୨ ଦିନ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବ। ୧ ତାରିଖ ବେଳକୁ ଓଡ଼ିଶାରେ ସ୍ଥିତି ପରିବର୍ତ୍ତନ ହୋଇପାରେ। ତେବେ କାଲି ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି ବୋଲି ବୈଜ୍ଞାନିକ ଆର୍.କେ ଜେନାମଣି ସୂଚନା ଦେଇଛନ୍ତି।