ମହାନଦୀରେ ଆସିବ ସ୍ୱଳ୍ପ-ମଧ୍ୟମ ବନ୍ୟା !
ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ବଢୁଛି ଜଳସ୍ତର । ଆଜି ସକାଳେ ହୀରାକୁଦରେ ୬ଟି ଗେଟ ଖୋଲାଯାଇଥିବାବେଳେ ଦିନ ୨ଟାରେ ଆଉ ୬ଟି ଗେଟ ଖୋଲାଯାଇଛି । ପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ମହାନଦୀର ତଳ ମୁଣ୍ଡରେ ସ୍ୱଳ୍ପ-ମଧ୍ୟମ ବନ୍ୟା ଆସିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।
ଏସ୍ଆର୍ସି କହିଛନ୍ତି, ଏବେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅଧିକ ଗେଟ୍ ଖୋଲିଲେ ବି ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍ ଜଳ ପାସ୍ କରିବ। ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିବା ଆଶଙ୍କା କରାଯାଉଛି। ଲଗାଣ ବର୍ଷା ପରେ ବୈତରଣୀ ଆଖୁଆପଦାରେ ବିପଦ ସଙ୍କେତ ଉପରେ ଥିଲେ ବି ଜଳସ୍ତର ଖସୁଛି। ସେହିପରି ବ୍ରାହ୍ମଣୀ ନଦୀ ବିପଦ ସଙ୍କେତ ତଳେ ଥିଲେ ବି ୩ଟି ଛୋଟ ଘାଇ ହୋଇଛି।
ମୁଣ୍ଡଳିରେ ୭ଲକ୍ଷ କ୍ୟୁସେକ ପାଖାପାଖି ବନ୍ୟାଜଳ ପ୍ରବାହିତ ହେବ ଏବେ ସୁଦ୍ଧା ୨୧ ଜିଲ୍ଲାର ୧୨୬ ବ୍ଲକ ପ୍ରବାଭିତ ହୋଇଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ୪୩୩୪ ଗାଁ ଓ ୩୯ଟି ପୌରାଞ୍ଚଳ ପ୍ରଭାବିତ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ, ୨ ଜଣ ନିଖୋଜ ହୋଇଛନ୍ତି । ୩ହଜାର ୮୩୯ ଘର ଓ ୧.୩୦ଲକ୍ଷ ହେକ୍ଟର ଜମି ପ୍ରଭାବିତ ହୋଇଛି । ତିନି ଦିନର ପ୍ରବଳ ବୃଷ୍ଟିପାତକୁ ରାଜ୍ୟ ସରକାର ରାଜ୍ୟ ଭିତ୍ତିକ ବିପର୍ୟ୍ୟୟ ଘୋଷଣା କରିଛନ୍ତି ।