ଅକ୍ସିଜେନ ପାଇଁ ହାହାକାର
ଦେଶରେ କରୋନା ସଂକ୍ରମଣ ଅଣାୟତ ହୋଇପଡିଥିବା ବେଳେ ମହାମାରୀ ସମୟରେ ସବୁଠୁ ଖରାପ ସ୍ଥିତି ଦେଇ ଗତିକରୁଛି ରାଜଧାନୀ ଦିଲ୍ଲୀ । କରୋନା ରୋଗୀଙ୍କ ପାଇଁ ଦେଖାଦେଇଛି ଅକ୍ସିଜେନ ଅଭାବ । ଅମ୍ଲଜାନ ପାଇଁ ଦିଲ୍ଲୀରେ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି । କେଉଁଠି ବେଡ ନାହିଁ ତ କେଉଁଠି ଅକ୍ସିଜେନ ନାହିଁ । ସ୍ୱାସ୍ଥ୍ୟବସ୍ଥା ଭୁଶୁଡି ପଡିଛି । ଅମ୍ଲଜାନ ସଂକଟ ରୋଗୀଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଉଛି ।
ଦିଲ୍ଲୀରେ କିଛି ଦିନ ହେବ ୨୦ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ୨୫ ହଜାର ପାଖାପଖି ପଜିଟିଭ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ମଧ୍ୟ ୨ ଶହରୁ ଅଢେଇ ଶହ ଉପରେ ରହୁଛି । ଏପରି ସମୟରେ ବେଡ ଓ ଅମ୍ଲଜାନ ଅଭାବ ସରକାରଙ୍କ ନିଦ ହଜାଇଦେଇଛି । ବେଡ ନଥିବାରୁ ଅନେକ ହସ୍ପିଟାଲରେ ଆଗରେ କରୋନା ରୋଗୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଆଉ କେଉଁଠି ଅମ୍ଲଜାନ ପାଇଁ ସଂଘର୍ଷ ଚାଲିଛି ।
କେତେକ ହସ୍ପିଟାଲରେ ମାତ୍ର ଅଳ୍ପ କିଛି ଅମ୍ଳଜାନ ଗଛିତ ରହିଥିବା ବେଳେ କେତେକ ହସ୍ପିଟାଲରେ ଆଉ କିଛି ଘଂଟା ମଧ୍ୟରେ ଅମ୍ଲଜାନ ଶେଷ ହୋଇଯିବ । ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟୀ ହସ୍ପିଟାଲ ଓ ରୋହିଣୀ ଅଂଚଳରେ ଥିବା ସରୋଜ ହସ୍ପିଟାଲରେ ଅକ୍ସିଜେନ ଯୋଗାଇ ନଦେଲେ ମାତ୍ର କିଛି ଘଂଟାରେ ସେମାନଙ୍କ ନିକଟରେ ଥିବା ଅମ୍ଳଜାନ ଶେଷ ହୋଇଯିବ ବୋଲି ମେଡିକାଲ କର୍ତୃପକ୍ଷ କହିଛନ୍ତି । ସରୋଜ ହସ୍ପିଟାଲରେ ୧୩୦ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ଏହି ହସ୍ପିଟାଲରେ ଦୈନିକ ୨୭୦୦ କ୍ୟୁବିକ୍ ମିଟର ଅମ୍ଳଜାନ ଆବଶ୍ୟକ ହୋଇଥାଏ । ଅମ୍ଲଜାନ ଯୋଗାଉଥିବା ଭଣ୍ଡାର ମଧ୍ୟ ଫୋନ ଉଠାଉନାହିଁ । ସେହିପରି ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟୀ ହସ୍ପିଟାଲରେ ଦୈନିକ ୫ ରୁ ୬ଟନ୍ ଅମ୍ଳଜାନ ଆବଶ୍ୟକ ହୋଇଥାଏ । ଏଠାରେ ପାଖାପାଖି ୯ଶହ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ସାର ଗଙ୍ଗାରାମ ହସ୍ପିଟାଲରେ ମାତ୍ର ୮ହଜାର ୮ଶହ କ୍ୟୁବିକ୍ ମିଟର ଅମ୍ଳଜାନ ରହିଛି । ଯାହାକି ଆସନ୍ତାକାଲି ଶେଷ ହୋଇଯିବ ।
ଦିଲ୍ଲୀର ଏକାଧିକ ହସ୍ପିଟାଲରେ ଅମ୍ଳଜାନ ସଂକଟ ଦେଖାଦେଇଛି । କୁହାଯାଉଛି ସଂକ୍ରମଣ ବଢ଼ିବା ଯୋଗୁଁ ଦିଲ୍ଲୀରେ ପୂର୍ବ ଅପେକ୍ଷା ପ୍ରାୟ ୬ଶହ ଗୁଣ ଅମ୍ଳଜାନ ଚାହିଦା ବଢ଼ି ଯାଇଛି ।