ହେ ! ଭଗବାନ ରକ୍ଷା କର…
ହେ ପ୍ରଭୁ ! ଏ କେମିତିକା ସମୟ ? କେମିତିକା ପରିସ୍ଥିତି ? ମାନବ ଜାତିର ଅ୍ଧମ କେତେ ପରୀକ୍ଷା ନେବ ପ୍ରଭୁ ? ମଣିଷ ଆଉ କେତେ ସଂଘର୍ଷ କରିବ ? ଜୀବନ ପାଇଁ ଏଠି ପ୍ରତି ମୁହୂର୍ତ୍ତରେ ଜଳିବାକୁ ପଡୁଛି । ନିଶ୍ୱାସ ପାଇଁ ନିଇତି ନିରାଶ ହେବାକୁ ପଡୁଛି । ନା ଜୀବନ ବଞ୍ଚୁଛି ନା ନିଶ୍ୱାସ ମିଳୁଛି । ପ୍ରତି ମିନିଟରେ ମଣିଷ ଜିଇଁ ଜିଇଁ ମରୁଛି । ମହାମାରୀର ମହାଯନ୍ତ୍ରଣା ଏବେ ସାରା ଭାରତ ଭୋଗୁଛି, ଜଗତ ପାଉଛି ।
ହେ ବିଶ୍ୱ ନିଅନ୍ତା ତମ ସୁନ୍ଦର ସୃଷ୍ଟିରେ ଏବେ ହାହାକାରର ଚିତ୍କାର । ତମ ପୃଥିବୀରେ ଶୁଭୁଛି ତ୍ରାହି ତ୍ରାହି ଡାକ । କରୋନା ପାଇଁ ସବୁଠି କୋକୁଆ ଭୟ ଖେଳିଯାଇଥିବା ବେଳେ ବଞ୍ଚିବା ପାଇଁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ । ଏପ୍ରିଲ ମାସରେ ସଂକ୍ରମଣ ବିଷ୍ଫୋରକ ରୂପ ଧାରଣ କଲାଣି । ଦୈନିକ ୩ ଲକ୍ଷ ପାର ହେଉଛି ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥାନୀୟ ସଂକ୍ରମଣ ଅଧିକ ବଢୁଥିବାରୁ ସ୍ଥିତି ଜଟିଳ ହେଉଛି । ୨ୟ ଦଫାରେ ପରିସ୍ଥିତି ଏତେ ସଙ୍କଟାପନ୍ନ ହୋଇଛି କି ସ୍ୱାସ୍ଥ୍ୟବ୍ୟବସ୍ଥାର ବଡ ତ୍ରୁଟି ସାମ୍ନାକୁ ଆସିଛି । ସଂକ୍ରମିତ ଯେଉଁ ପରିମାଣରେ ବଢୁଛନ୍ତି, ମୃତକ ସଂଖ୍ୟା ମଧ୍ୟ ତାଳ ଦେଇ ଆଗକୁ ବଢୁଛି ।
ସ୍ଥିତି ଏତେ ଜଟିଳ ହୋଇଛି, କେଉଁଠି ରୋଗୀଙ୍କ ପାଇଁ ବେଡ ନାହିଁ ତ କେଉଁଠି ରୋଗୀଙ୍କ ପାଇଁ ଔଷଧ ନାହିଁ । ରୋଗୀଙ୍କ ସଂଖ୍ୟା ଏତେ ବଢୁଛି ହସ୍ପିଟାଲ ବି ମିଳୁନି । ସବୁ ହସ୍ପିଟାଲରେ ଗୁରୁତର ରୋଗୀ ଭର୍ତ୍ତି ହୋଇଥିବାରୁ ନୂଆ ରୋଗୀଙ୍କୁ ଫେରାଇ ଦିଆଯାଉଛି । ବାଧ୍ୟ ହୋଇ ଅନେକ ରୋଗୀ ରାସ୍ତା କଡରେ, ହସ୍ପିଟାଲ ବାହାରେ, ଗାଡି ଭିତରେ, ଅଟୋ ଡାଲାରେ ପଡି ରହୁଛନ୍ତି । ବେଡ୍ ପାଇଁ ଅପେକ୍ଷା କରି ରହୁଛନ୍ତି । କାଳେ କେତେ ବେଳେ ବେଡ ମିଳିବ ଆଉ ସେମାନଙ୍କ ଚିକିତ୍ସା ହେବ, ଏଇ ଆଶା ନେଇ ଭଗବାନଙ୍କ ଭରସାରେ ଉପରକୁ ମୁହଁ କରି ପଡି ରହିଛନ୍ତି ରୋଗୀ ।
ଅନେକ ସ୍ଥାନରେ ବେଡ ନଥିବାରୁ ଗୋଟିଏ ବେଡରେ ଦୁଇ ଦୁଇ ଜଣ ରୋଗୀ ବି ଚିକିତ୍ସା ହେଉଥିବା ଦେଖିବାକୁ ମିଳିଛି । ବେଡ୍ ଗୋଟିଏ ରୋଗୀ ଦୁଇ- ଭାବିଲେ ସ୍ଥିତି ଯଦି ଭୟଙ୍କର ନହେଉଥାନ୍ତା ତାହାଲେ କାହିଁକି ଏମିତି ସମସ୍ୟା ଉପୁଜନ୍ତା । ଅନ୍ୟପଟେ ବେଡ୍ ସମସ୍ୟା ଭିତରେ ସବୁଠାରୁ ଦୁଃଖଦ କଥା ହେଉଛି ଅକ୍ସିଜେନର ଅଭାବ । ଦେଶରେ ସଙ୍କଟ ସମୟରେ ଅଜ୍ସିଜେନ ଅଭାବ ଏକ ମହାବିପତ୍ତି ଛିଡା କରିଛି । ଅମ୍ଳଜାନ ଅଭାବରୁ ଭାରତ ଅଣନିଶ୍ୱାସୀ ହୋଇପଡୁଛି । ଦିଲ୍ଲୀ, ୟୁପି, ଛତିଶଗଡ ଆଦି ରାଜ୍ୟରେ ଅକ୍ସିଜେନର ଘୋର ଅଭାବ ଦେଖା ଦେଇଛି । ନିଶ୍ୱାସ ବିନା ବଞ୍ଚିବା ମୁସ୍କିଲ । ଗୁରୁତର କରୋନା ଆକ୍ରାନ୍ତଙ୍କ ଅମ୍ଳଜାନ ଅଧିକ ଆବଶ୍ୟକ ପଡୁଥିବା ବେଳେ ଏବେ ତାହାର ଅଭାବ ପରିଲକ୍ଷିତ ହୋଇଛି । ଦେଶର ଅନେକ ହସ୍ପିଟାଲରେ ଅକ୍ସିଜେନର ଅଭାବ ଏକ ବିପତ୍ତି ପୂର୍ବାଭାଷ ଦେଉଛି ।
ତେବେ ସିଲିଣ୍ଡର ସଙ୍କଟ ପାଇଁ ଲୋକେ ଅଜ୍ସିଜେନ ଉତ୍ପାଦନ କମ୍ପାନୀ ଆଗରେ ଘଣ୍ଟା ଘଣ୍ଟା ଧରି ଲାଇନ ଲଗାଉଛନ୍ତି । ଅପେକ୍ଷା କରି କରି ଗୋଟେ ଦିନ ବିତିଯାଉଥିଲେ ବି ଅକ୍ସିଜେନ ମିଳୁନି । ଆଉ ଏତିକି ବେଳେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ସମସ୍ୟା ବଢୁଛି । ଘରେ ରହି ଚିକତ୍ସା ହେଉଥିଲେ ବି ଅମ୍ଳଜାନର ଆବଶ୍ୟକତା ରହିଛି । କିନ୍ତୁ ସେହି ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ ମିଳୁନି । କିଏ ଅକ୍ସିଜେନ ନେଇ ଗଲେ ତା ବାପା ବଞ୍ଚିବ, ମୃତ୍ୟୁ ମୁହଁରୁ ମା ବର୍ତ୍ତିଯିବ । କେଉଁଠି ସ୍ତ୍ରୀ ପାଇଁ ସିଲିଣ୍ଡର ନେବାକୁ ସ୍ୱାମୀ ଖରାତରାରେ ଅପେକ୍ଷା କରୁଛି ତ କେଉଁଠି ନିଜ ଜୀବନ ବଞ୍ଚାଇବାକୁ ହସ୍ପିଟାଲ ଆଗରେ ମୁହଁରେ ସିଲିଣ୍ଡର ଦେଇ ବସୁଛନ୍ତି । ସତରେ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ସବୁ ଚିତ୍ର ବ୍ୟଥିତ କରୁଛି । ଆଉ ଏସବୁ ସ୍ଥିତିରୁ ରକ୍ଷା କରିବାକୁ ଭଗବାନଙ୍କୁ ଡାକୁଛି ମଣିଷ…
ଏତିକିରେ ସରୁନି ମଣିଷର ଦୁଃଖ। ୨ୟ ଦଫା କରୋନା ମଣିଷକୁ ମୁର୍ଦ୍ଦାର ସଜାଉଛି। ଶ୍ରମିକ ଚାଲୁ ଚାଲୁ ଶବ ପାଲଟିଯାଉଛି ତ ଶବ ଶ୍ମଶାନରେ ଜୁଇ ପାଇଁ ସଂଗ୍ରାମ କରୁଛି। ସତରେ ଏ କେଉଁ ସମୟ ଆସିଛି … ତ୍ରାହି ତ୍ରାହି ବୋଲି ମଣିଷ ଡାକୁଛି …