ପ୍ଲେ ଗ୍ରାଉଣ୍ଡ ଓ ପାଣ୍ଡିଆନ !
ସମୟ ସକାଳ ପାଖାପାଖି ୬ଟା ୩୦ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ପ୍ରାତଃଭ୍ରମଣ ସାରି ବାହାରକୁ ଆସୁଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ । ଠିକ ସେତିକିବେଳେ ଷ୍ଟାଡିୟମ ଗେଟ ସମ୍ମୁଖରେ ଠିଆ ହୋଇଥିଲେ ଦଶରୁ ବାର ଜଣ ବାଳିକା । ଯଦିଓ ସମସ୍ତେ ବିଭିନ୍ନ ରଙ୍ଗର ଖେଳ ପୋଷାକ ପରିଧାନ କରିଥିଲେ କିନ୍ତୁ ବେଶ ପରିପାଟିରୁ କୌଣସି ବସ୍ତି ବାସିନ୍ଦା ବୋଲି ସ୍ପଷ୍ଟ ଭାବରେ ବାରି ହେଇପଡୁଥିଲେ । ଅପଲକ ନୟନରେ ଅପେକ୍ଷା କରିଥିଲେ କେତେବେଳେ ଗେଟରେ ଜଗିଥିବା ସୁରକ୍ଷାକର୍ମୀ ତାଙ୍କୁ ଅଭ୍ୟାସ କରିବାକୁ ଭିତରକୁ ଯିବାପାଇଁ ଅନୁମତି ଦେବେ । କୁନି କୁନି ଝିଅଙ୍କୁ ଦେଖି ଅଟକି ଯାଇଥିଲା ପାଣ୍ଡିଆନଙ୍କ ଗାଡି । ଗାଡିରୁ ସିଧା ଓହ୍ଲେଇଯାଇ ଆରମ୍ଭ କରିଥିଲେ କଥାବାର୍ତ୍ତା ।
ରାଜଧାନୀ ସାଲିଆ ସାହି ବସ୍ତିରୁ ଫୁଟବଲ ଅଭ୍ୟାସ କରିବାକୁ ଆସିଥିବା ଶୁଣିବା ପରେ ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ ଏହି ଟପ ବ୍ୟୁରୋକ୍ରାଟ । ସାଙ୍ଗେ ସାଙ୍ଗେ ଏହି ଛୋଟ ପିଲା ମାନଙ୍କୁ ଷ୍ଟାଡିୟମ ଭିତରକୁ ଅନୁମତି ଦେବାକୁ କର୍ମଚାରୀଙ୍କୁ ତାଗିଦ ମଧ୍ୟ କରିଥିଲେ । ଖାଲି ଏତିକି ନୁହେଁ ଅନୁସନ୍ଧାନ କରି ଜାଣିଥିଲେ ଯେ ଏହି ଛୋଟ ପିଲାମାନେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ସାଲିଆ ସାହି ବସ୍ତିରେ ଭଡା ଘରେ ରହୁଛନ୍ତି । ପ୍ରସିଦ୍ଧ ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଓ ତାଙ୍କରି ପ୍ରଶିକ୍ଷଣ ବଳରେ ଫୁଟବଲ ଖେଳକୁ ନେଇ ନିଜ ଭବିଷ୍ୟତ ଗଢିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଗୋଟିଏ ସ୍ଥାନରେ ଅଭ୍ୟାସ କରୁଥିଲେ ମଧ୍ୟ ଏହି ପିଲାମାନେ ବିଭନ୍ନ ରଙ୍ଗର ଜର୍ସି ଓ ଜୋତା ପିନ୍ଧିଥିବା ଏବଂ ସେଗୁଡିକର ଦୁରବସ୍ଥା ପଣ୍ଡିଆନଙ୍କ ହୃଦୟକୁ କଷ୍ଟ ଦେଇଥିଲା ନିହାତି । ପରେ କୋଚ ନନ୍ଦ ସାରଙ୍କ ସହ ଆଲୋଚନା କରି ସେଠାରେ ଅଭ୍ୟାସ କରୁଥିବା ପାଖାପାଖି ୨୫ଜଣ ଛୋଟ ଝିଅଙ୍କୁ ପୋଷାକ, ଜୋତା ସହ ଅନ୍ୟାନ୍ୟ ଖେଳ ସାମଗ୍ରୀ ଯୋଗାଇଦେଇଥିଲେ ରାଜ୍ୟର ଏହି ଚର୍ଚ୍ଚିତ ଚେହେରା ।
ଖାଲି ସେତିକି ନୁହେଁ ରାଜ୍ୟ ପାଇଁ ସିନିୟର ବିଭାଗରେ ଖେଳୁଥିବା ଓ କଳିଙ୍ଗ ଷ୍ଟାଡିୟମକୁ ଅଭ୍ୟାସ ପାଇଁ ଆସୁଥିବା ପାଖାପାଖି ୧୨ଜଣ ଗରିବ ଖେଳାଳିଙ୍କୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେଇଛନ୍ତି ପାଣ୍ଡିଆନ ।
ପ୍ରକୃତରେ ବର୍ତ୍ତମାନ କଳିଙ୍ଗ ଷ୍ଟାଡିୟମ ଭିତରକୁ କେବଳ କ୍ରୀଡା ଛାତ୍ରାବାସ ଅନ୍ତେବାସୀ, କିଛି ସିନିୟର ଖେଳାଳିଙ୍କ ବ୍ୟତୀତ ଅନୁମତି ନଥିଲେ ଆଉ କାହାରିକୁ ଭିତରକୁ ଛଡାଯାଉ ନାହିଁ । କେବଳ କେତେଜଣ ବରିଷ୍ଠ ପ୍ରଶାସକ ପ୍ରାତଃଭ୍ରମଣ ପାଇଁ ଯାଉଛନ୍ତି । କିନ୍ତୁ ସେଦିନର ଏହି ଘଟଣା ଏବେ କଳିଙ୍ଗ ଷ୍ଟାଡିୟମର କର୍ମଚାରୀ ଓ ଖେଳାଳିଙ୍କ ଭିତରେ ଚର୍ଚ୍ଚା ସୃଷ୍ଟି କରିଛି । ବିଭିନ୍ନ ପ୍ରସଙ୍ଗରେ ବିରୋଧୀଦଳ ଗୁଡିକ ପାଣ୍ଡିଆନଙ୍କୁ ନେଇ ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ଖେଳାଳି ଓ କୋଚଙ୍କ ମହଲରେ ହିରୋ ହେଇଯାଇଛନ୍ତି ଏହି ହେଭିୱେଟ ଅଫିସର ।