‘ପରୀ’ ଅଭିଯୁକ୍ତର ଭିଡିଓ: ଘନେଇଲା ବିଜେପି-ବିଜେଡି କଳି
ନୟାଗଡ଼ ଯଦୁପୁରର କୁନି ଝିଅ ‘ପରୀ’ ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱୀକାରୋକ୍ତି ଭିଡିଓ ପରେ ଏବେ ବିଜେଡି-ବିଜେପି ଭିତରେ ଆରମ୍ଭ ହୋଇଛି କଳି । ଜାଣିଶୁଣି ତଦନ୍ତକୁ ବିଭ୍ରାନ୍ତି କରିବାକୁ ଭିଡିଓ ଲିକ୍ କରାଯାଇଥିବା ବିଜେପି ଅଭିଯୋଗ କରିଥିବା ବେଳେ ଆଇନର ଉଦ୍ଧ୍ୱର୍ରେ କେହି ନାହାନ୍ତି ବୋଲି ବିଜେଡି କହିଛି । ସେପଟେ ଏବେ ସମସ୍ତଙ୍କ ନଜର କୋର୍ଟଙ୍କ ଉପରେ । କାରଣ କୋର୍ଟ ଏହି ପ୍ରମାଣକୁ ଗ୍ରହଣ କରିବେ କି ନାହିଁ ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ ।
ପରୀ ହତ୍ୟା ମାମଲାରେ ଏସଆଇଟି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ବିଜେପି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି,କୋଟିଆ ଓ ଧାନ ମଣ୍ଡି ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଜନମତକୁ ପ୍ରଭାବିତ କରିବା ପାଇଁ ଏସଆଇଟି ଏହି ଭିଡିଓ ଲିକ କରିଛି । ମାଜିଷ୍ଟ୍ରେଟ କିମ୍ବା ପୁଲିସ ଅଧିକାରୀଙ୍କ ସାମନାରେ ଏହି ସ୍ୱୀକାରୋକ୍ତି ହୋଇନଥିବାରୁ ଏହା କୋର୍ଟରେ ଗ୍ରହଣୀୟ ହେବ ନାହିଁ ।
ସେପଟେ ଲେଖାଶ୍ରୀଙ୍କ ଅଭିଯୋଗର କଡ଼ା ଜବାବ ଦେଇଛି ବିଜେଡି । ପରୀ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଓ ଏକ ଜଘନ୍ୟ ଅପରାଧ । ଏହି ଘଟଣାର ତଦନ୍ତ ତାଙ୍କ ଇଚ୍ଛା ଅନୁଯାୟୀ ନୁହେଁ, ବରଂ ବିଭିନ୍ନ ତଥ୍ୟ ପ୍ରମାଣକୁ ନେଇ କରାଯାଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ପରୀକୁ ନ୍ୟାୟ ନୁହଁ ଅଭିଯୁକ୍ତକୁ ଖସାଇବାକୁ ଉଦ୍ୟମ କରୁଛି ବିଜେପି । ପ୍ରମାଣ ଥିଲେ କୋର୍ଟଙ୍କ ଆଗରେ ରଖିବାକୁ ଦଳ ଆହ୍ୱାନ କରିଛି ।
ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି , କୋର୍ଟରେ ଗ୍ରହଣୀୟ ହେବ କି ପରୀ ଅଭିଯୁକ୍ତର ସ୍ୱୀକାରୋକ୍ତି ଭିଡିଓ । ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୫ ଅନୁସାରେ ପୋଲିସ ଉପସ୍ଥିତିରେ କୌଣସି ଅଭିଯୁକ୍ତର ସ୍ୱୀକାରୋକ୍ତିକୁ କୋର୍ଟ ପ୍ରମାଣ ଭାବେ ଗ୍ରହଣ କରିନ୍ତି ନାହିଁ । ଯଦି ଏହା ପୋଲିସ ଉପସ୍ଥିତିରେ କିମ୍ବା ପୋଲିସ ଚାପରେ ହୋଇନାହିଁ ଏବଂ ଏହା କୋର୍ଟରେ ପ୍ରମାଣ ହୁଏ ତେବେ କୋର୍ଟ ଏହି ଭିଡିଓକୁ ପ୍ରମାଣ ଭାବେ ଗ୍ରହଣ ପାରନ୍ତି ବୋଲି ମତ ରଖିଛନ୍ତି ଆଇନ ବିଶାରଦ ।