ପୋଖରୀରୁ ମିଳିଲା ପ୍ରମାଣ
ପରୀ ମୃତ୍ୟୁ ମାମଲାରେ ଆଉ ଏକ ପ୍ରମାଣ ମିଳିଛି । ପୋଖରୀ ଭିତରୁ ମିଳିଛି ପରୀର ଲେଗିନ୍ସ । ତେବେ ଏହି ଲେଗିନ୍ସ ପରୀର କି ନୁହେଁ ତାହା ପରୀକ୍ଷା କରାଯିବ । ଦିନ ତମାମ ଲେଗିନ୍ସ ସନ୍ଧାନରେ ପୋଖରୀରୁ ଜଳ ନିଷ୍କାସନ କରାଯାଇଥିଲା । ପରୀକୁ ଦୁଷ୍କର୍ମ ସହ ହତ୍ୟା କରିବା ପରେ ତାର ଲେଗିନ୍ସକୁ ପୋଖରୀ ଭିତରେ ଫୋପାଡିଦେଇଥିବା ଅଭିଯୁକ୍ତ ସ୍ୱୀକାର କରିଥିବା କହିଥିଲା ଏସଆଇଟି ।
ଯଦୁପୁରର ଯେଉଁ ପୋଖରୀ କଡ଼ରୁ ମିଳିଥିଲା ୫ ବର୍ଷ କୁନି ଝିଅ ପରୀର ମୃତଦେହ । ସେହି ପୋଖରୀରୁ ମିଳିଛ ପରୀର ଲେଗିନ୍ସ । ପ୍ରମାଣ ପାଇଁ ଏସଆଇଟି ପକ୍ଷରୁ ଲେଗିନ୍ସ ଖୋଜିବାକୁ ପୋଖରୀରୁ ମଟର ଲଗାଇ ପାଣି ବାହାର କରାଯାଇଥିଲା । ପୁଲିସ ଉପସ୍ଥିତିରେ ଅଗ୍ନିଶମ ବିଭାଗର କର୍ମଚାରୀ ଓ ଓଡ୍ରାଫ ଟିମ ପକ୍ଷରୁ ପୋଖରୀକୁ ଶୁଖାଯାଇଥିଲା । ପୋଖରୀ ଶୁଖିବା ପରେ ଓଡ୍ରାଫ ଟିମ ପାଣି ଭିତରକୁ ପଶି ଖୋଜିବା ପରେ ଲେଗିନ୍ସ ମିଳିଛି ।
ପରୀକୁ କେଉଁ ପରି୍ସ୍ଥିତି, କିଭଳି ଓ କଣ ପାଇଁ ହତ୍ୟା କରାଯାଇଥିଲା ତାର ଗୁମର ଖୋଲିଛି । ଯୌନ ନିର୍ୟାତନା ହିଁ ଅପରାଧର ମୁଖ୍ୟ କାରଣ । ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟି ୩ ଦିନିଆ ରିମାଣ୍ଡରେ ନେଇଛି । ଏହି ରିମାଣ୍ଡ ସମୟରେ ଆହୁରି ଅଧିକ ତଥ୍ୟ ଅଭିଯୁକ୍ତଠୁ ଓଗାଳିବାକୁ ଚେଷ୍ଟା କରିବ ଏସଆଇଟି ।