ନବରଙ୍ଗପୁରରେ ନିଷ୍ଠୁର ବିଧାତା!
କନ୍ଦାଉଛି କରେନା । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କରୋନାର ଏପରି ଛାତିଥରା ଚିତ୍ର ଆସୁଛି ଯାହାକୁ ସହଜରେ ବିଶ୍ୱାସ କରିବା କଷ୍ଟକର । ଦ୍ୱିତୀୟ ଲହର ସଂକ୍ରମଣ ଯେ ଏତେ ଭୟଙ୍କର ଓ ସାଂଘାତିକ ହେବ କେହି ଅନୁମାନ କରିନଥିଲେ । ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢିଚାଲିଥିବାବେଳେ ପ୍ରତିଦିନ ବିଜିନ୍ନ ଜିଲ୍ଲାରୁ ଆସୁଛି ବିଚଳିତ କଲା ଭଳି ଦୃଶ୍ୟ । ସମସ୍ତଙ୍କ ମନରେ କରେନାର ଭୟ ଏମିତି ଘାରିଛି ଯେ ମଲା ପରେ ପାଖ ମାଡୁନାହାନ୍ତି ଲୋକେ । ଆବର୍ଜନା ଭଳି ପଡିରହୁଛି ଶବ । ନବରଙ୍ଗପୁରରୁ ଗୋଟିଏ ଦିନରେ ଏପରି ଦୁଇଟି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ କି ଶୁଣିଲେ ଆପେ ଆପେ ଆଖିରେ ଲୁହ ଜକେଇଯିବ । କରୋନା ଯେ କେତେ ଭୟଙ୍କର ହୋଇପାରେ ତା ଏହି ଘଟଣା ବୟାନ କରୁଛି ।
ସ୍ୱାମୀ ମରିଗଲେ ପାଖକୁ ସ୍ତ୍ରୀ ଆସୁନି, ବାପା ମରିଗଲେ ପାଖକୁ ପୁଅ ଆସୁନି । ଆଉ କେଉଁଠି ମେଡିକାଲରେ ମୃତଦେହ ପଡିରହିଥିବା ବେଳେ ଉଠାଇବାକୁ ଲୋକ ନାହାନ୍ତି । ତ ଆଉ କେଉଁଠି ପୁଅର ମୃତ୍ୟୁ ଖବର ଶୁଣି ବାପା ଆଖି ବୁଜିଦେଉଛି । ନବରଙ୍ଗପୁରରେ ଗତ ୨୪ ଘଂଟାରେ ଘଟିଛି ଦୁଇ ଦୁଇଟି ଦୁଃଖଦ ଘଟଣା । ପ୍ରଥମ ଘଟଣାଟି ହେଉଛି, ନବରଙ୍ଗପୁର ଖାତିଗୁଡା ଗାଁର ୨୪ ବର୍ଷୀୟ ଯୁବକ ରବିନାରାୟଣ ଆଚାର୍ୟ୍ୟ ହଠାତ ଅସୁସ୍ଥ ହୋଇପଡିଲେ । ତାଙ୍କୁ ତେନ୍ତୁଳିଖୁଂଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ପରିବାର ଲୋକ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୁଅର ବିୟୋଗରେ ଭାଙ୍ଗିପଡି ତାଙ୍କ ବାପା ଦୁଃଖିଶ୍ୟାମଙ୍କର ମଧ୍ୟ ପ୍ରାଣବାୟୁ ଉଡିଯାଇଥିଲା । କିଛିଦିନର ବ୍ୟବଧାନରେ ଗୋଟିଏ ପରିବାରର ବାପା, ପୁଅଙ୍କ ମୃତ୍ୟୁ ପୂରା ପରିବାକୁ ଦୋହଲାଇ ଦେଇଛି ।
ସେହିପରି ଆଉ ଏକ ଦୁଃଖଦ ଖବର ହେଉଛି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନାରେ ସାନ ଭାଇର ମୃତ୍ୟୁ ପରେ ମୃତହେଦକୁ ଉଠାଇ ଗାଡିରେ ରଖିବା ପାଇଁ ମଧ୍ୟ କେହି ସହାୟତା କଲେ ନାହିଁ । ସହାୟତା କରିବା ତ ଦୂରର କଥା ପାଖ ବି ମାଡିଲେନି । ମେଡିକାଲ କର୍ତୃପକ୍ଷ ବି ମୁହଁ ମୋଡିଦେଇ ଚାଲିଗଲେ । ଶେଷରେ ମେଡିକାଲ ବେଡରୁ ମୃତଦେହକୁ ଷ୍ଟ୍ରେଚରରେ ରଖିବାରେ ସହାୟତା କରିଥିଲେ ଜଣେ କର୍ମଚାରୀ । ବଡଭାଇ ଏକା ଷ୍ଟ୍ରେଚରକୁ ଠେଲିଠେଲି ମହାପ୍ରୟାଣ ଗାଡିଯାଏଁ ସାନ ଭାଇର ମୃତଦେହକୁ ଆଣିଥିଲେ ।ହେଲେ ଗାଡି ଭିତରକୁ ଏକା ଶବ ଉଠାଇନପାରିବାରୁ ଦୀର୍ଘ ସମୟ ଚେଷ୍ଟା କରି ବିଫଳ ହେବାପରେ ଦୁଇ ଅଜଣା ବ୍ୟକ୍ତିଙ୍କୁ ସହାୟତା ପାଇଁ ସେ ନେହୁରା ହୋଇଥିଲେ । ପରେ ସେହି ଅଜଣା ବ୍ୟକ୍ତିଙ୍କ ସହାୟତାରେ ସାନ ଭାଇର ଶବକୁ ଧରି ମହାପ୍ରୟାଣ ଗାଡିରେ ନେଇ ଖାତିଗୁଡାରେ ପହଂଚିଥିଲେ ।
କେବେଳ ନବରଙ୍ଗପୁରରୁ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିଦିନ ଏଭଳି ଅମାନବୀୟ ଓ ଦୁଃଖଦ ଚିତ୍ର ଆସୁଛି । ସଂକ୍ରମଣ ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଥିବା ବେଳେ ଗତ ୨୪ ଘଂଟାରେ ୧୯ ଜଣ ଆଖିବୁଜିଛନ୍ତି । ପ୍ରତିଦିନ ମୃତ୍ୟୁର ତାଣ୍ଡବ ଖେଳୁଛି କୋଭିଡ୍ ଦାନବ।