ଅଲୋଡା ରେକର୍ଡ ରାସ୍ତାରେ ଧର୍ମେନ୍ଦ୍ର ପ୍ରଧାନ !
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୬ ବର୍ଷରୁ ଅଧିକ ସମୟ ଧରି ପେଟ୍ରୋଲିୟମ ବିଭାଗକୁ ନିଜ ଅଧୀନରେ ରଖି ରେକର୍ଡ କରି ସାରିଥିବା ଧର୍ମେନ୍ଦ୍ର ପ୍ରଧାନ ଏଥର କିନ୍ତୁ ଭିନ୍ନ ଏକ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି । ୯୦ ପାର୍ ହେଲାଣି ପେଟ୍ରୋଲ ଦର । ପ୍ରଶ୍ନ ଉଠୁଛି ଏହାରି ଭିତରେ ଲିଟର୍ ଦର ଶତକ ମାରିବ ନାହିଁ ତ? ଯେତେବେଳେ ଅଶୋଧିତ ତୈଳ ଦର କମ୍ ରହୁଛି ଠିକ ସେତିକିବେଳେ ଟିକସର ପରିମାଣ ଯଥେଷ୍ଟ ଅଧିକ କାରଣରୁ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଉଛି । ହେଲେ ଅନ୍ତର୍ଜାତୀୟ କାରଣ ଦର୍ଶାଇ ଏଥିରୁ ଖସିଯିବାକୁ ଯେଉଁ ପ୍ରତିକ୍ରିୟା କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଛି, ତାହା ଆହୁରି ଆଶ୍ଚର୍ଯ୍ୟକର ।
ତୈଳଦର ବୃଦ୍ଧିର କାରଣ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆମେରିକାରେ ନିକଟରେ ଶେଷ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ଓ ଅନ୍ୟ କେତେକ କାରଣରୁ ଏହି ତୈଳଦର ବୃଦ୍ଧି ଘଟିଥିବା ସେ କହିଛନ୍ତି । ତେବେ ଖୁବ୍ ଶୀଘ୍ର ସାମାନ୍ୟ ସ୍ଥିତି ଆସିବା ନେଇ କେନ୍ଦ୍ରମନ୍ତ୍ରୀ ଆଶାବାଦୀ ଥିବା କହିଛନ୍ତି ।
ବଡ କଥା ହେଉଛି ନିର୍ବାଚନ ସମୟ ଆସିଲେ ହଠାତ୍ ତେଲଦର ବୃଦ୍ଧି ନିଷ୍ପତ୍ତି ଉପରେ ରୋକ ଲାଗିଯାଇଥାଏ, ଆଉ ନିର୍ବାଚନ ସରିବା ପରେ ଦରରେ ଆରମ୍ଭ ହୋଇଥାଏ ପରିବର୍ତ୍ତନ । ଆଉ ବର୍ଦ୍ଦିତ ଦର ପାଇଁ ବାହ୍ୟ କାରଣରୁ ଦାୟୀ କରାଯାଏ । ହେଲେ ପ୍ରଶ୍ନ ଉଠୁଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲଗାଇଥିବା ଟିକସକୁ ହଟାଇବାକୁ ନିଷ୍ପତ୍ତି ନେବେ କି?