ପକେଟ ଖାଲି କରୁଛି ପେଟ୍ରୋଲ । କିଛି ଦିନ ହେବ ଦେଶରେ ତେଲ ଦର କମିବାରେ ନାଁ ନେଉନି । ଲଗାତର ତୈଳ ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇଦେଇଛି । ଲଗାତାର ଭାବେ ସପ୍ତମ ଦିନ ପାଇଁ ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ସେପଟେ ରୋଷେଇ ଘରେ ମହଙ୍ଗା ମାଡ଼ । ତୈଳ ଦର ବଢୁଥିବା ବେଳେ ରୋଷେଇ ଗ୍ୟାସର ମୂଲ୍ୟ ବୃଦ୍ଧି କରାଯାଇଛି । ସିଲ୍ିଣ୍ଡି ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି । ଯାହାକ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ତୈଳ ଦର ଯେପରି ଭାବେ ବୃଦ୍ଧ ପାଉଛି କିଛି ଦିନରେ ପେଟ୍ରୋଲ ଦର ୧୦୦ ଟଙ୍କାରେ ପହଚିଂପାରେ । ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦର ୯୫ ଟଙ୍କା ଟପିଯାଇଛି । ରାଜଧାନୀ ଭୁବନେଶ୍ୱରରେ ସୋମବାର ପେଟ୍ରୋଲ ଦର ୮୯ ଟଙ୍କା ୬୮ ପଇସା ରହିଥିବା ବେଳେ, ଡିଜେଲ ୮୬ ଟଙ୍କା ୪୫ ପଇସାରେ ବିକ୍ରି ହେଉଛି । ଜାଣି ଆଶ୍ଚର୍ୟ୍ୟ ହେବେ ଯେ, ରାଜଧାନୀ ଭୁବନେଶ୍ୱରରେ ପାଖାପାଖି ୯୦ ଟଙ୍କା ଦେଇ ଆମେ ଯେଉଁ ପେଟ୍ରୋଲ ଓ ଡିଜେଲ କିଣୁଛେ, ତାର ପ୍ରକୃତ ମୁଲ୍ୟ ୩୦ରୁ ୩୫ ଟଙ୍କା । ବାକି ଟଙ୍କା ଟିକସ ବାବଦରେ ନେଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । ସୋମବାର ଭୁବନେଶ୍ୱରରେ ବିକ୍ରି ହେଉଥିବା ପେଟ୍ରୋଲର ମୌଳିକ ମୂଲ୍ୟ ହେଉଛି ୩୨.୪୩ ଟଙ୍କା । ଏହା ଉପରେ କେନ୍ଦ୍ର ସରକାରଙ୍କ ଏକସାଇଜ୍ ଡ୍ୟୁଟି ରହିଛି ୩୨.୯୮ ଟଙ୍କା । ସେହିପରି ରାଜ୍ୟ ସରକାର ୩୨% ହିସାବରେ ନେଉଛନ୍ତି ଭାଟ, ଯାହା ୨୦.୯୧ ଟଙ୍କା । ତାସହ ଡିଲର କମିଶନ ୩.୩୬ ଟଙ୍କା । ଏହିପରି ଲିଟର ପିଛା ଗ୍ରାହକ ଗଣୁଛି ମୋଟ୍ ୮୯ ଟଙ୍କା ୬୮ ପଇସା । ସେହିପରି ଡିଜେଲର ମୌଳିକ ମୂଲ୍ୟ ୩୪ ଟଙ୍କା । ଏହାଉପରେ କେନ୍ଦ୍ରୀୟ ଏକସାଇଜ୍ ଡ୍ୟୁଟି ୩୧.୮୩ ଟଙ୍କା । ତାଉପରେ ରାଜ୍ୟର ଭାଟ ବାବଦରେ ୧୮.୪୧ ଟଙ୍କା ଏବଂ ଡିଲର କମିଶନ ୨.୨୧ ଟଙ୍କା । ଏ ସବୁକୁ ମିଶାଇଲେ ଡିଜେଲ ଲିଟର ପିଛା ଗ୍ରାହକକୁ ଦେବାକୁ ପଡୁଛି ମୋଟ୍ ୮୬ ଟଙ୍କା ୪୫ ପଇସା ।
ଗତ ସାଧାରଣ ବଜେଟରେ କୃଷିର ବିକାଶ ପାଇଁ ତୈଳ ଦର ଉପରେ ସେସ ବସାଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହି ଅତିରିକ୍ତ କୃଷି ସେସ ଯୋଗୁଁ ଗ୍ରାହକଙ୍କୁ ଅଧିକ ଦର ଦେବାକୁ ପଡିବ ନାହିଁ ବୋଲି କୁହାଯାଇଥିଲା । ସେଥିପାଇଁ କେନ୍ଦ୍ର ତେଲ ନେଉଥିବା ଏକସାଇଜ ଡ୍ୟୁଟିରେ ସଂଶୋଧନ କରିଥିଲେ ସରକାର ।
ସେହପରି ଗୋଟେ ପଟେ ଲଗାତର ତୈଳ ଦର ବୃଦ୍ଧି ପାଉଥିବା ବେଳେ ଗ୍ୟାସ ଦର ମଧ୍ୟ ବଢିଛି । ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବଢିଛି । ୧୪ ଦଶମିକ ୨ କେଜି ଗ୍ୟାସ ସିଲିଣ୍ଡର ପିଛା ଏବେ ଓଡିଶାରେ ଖାଉଟିଙ୍କୁ ଦେବାକୁ ପଡିବ ୭୯୬ ଟଙ୍କା । ଓଡିଶାରେ ଏଲପିଜି ସିଲିଣ୍ଡର ଦାମ ୭୪୫ ଟଙ୍କା ୫୦ ପଇସା ଥିବା ବେଳେ ଏବେ ୭୯୬ ଟଙ୍କାରେ ପହଚିଂଛି ।