THE BYAPINI

ନେତାଙ୍କ ଓକିଲାତି, ଏମିତି ବି ହୁଏ ରାଜନୀତି?

Get real time updates directly on you device, subscribe now.

ଟିକାକରଣ ବେଳେ ଶ୍ରେୟ ରାଜନୀତି । ଟିକାକରଣ କେନ୍ଦ୍ରରେ କାହାର ଲାଗିବ ଫଟୋ ତାକୁ ନେଇ ବିବାଦ ଦେଖାଦେଇଛି । ଗତ ଦୁଇରୁ ତିନି ହେବ ରାଜ୍ୟର ବିଭିନ୍ନ ଜିଲ୍ଲାର ଟିକାକରଣ କେନ୍ଦ୍ରରେ ଫଟୋକୁ ନେଇ ଉତେଜନା ଦେଖାଦେଇଛି । ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ କାହିଁକି ଲାଗିବ ନାହିଁ ବିଜେପି କର୍ମୀ ପ୍ରଶ୍ନ ଉଠାଇଛନ୍ତି । ତେବେ ଏହି ଘଟଣାକୁ ନେଇ ଆରମ୍ଭ ହୋଇଛି ଟ୍ୱିଟର କଳି । ଟୁଇଟରରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି ସାଂସଦ ।

ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଟୁଇଟ କରି ଅତି କଡା ଭାଷାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଓଡ଼ିଶା ଟିକା କିଣିବାରେ ବିଫଳ ହେଲା ।ଏନେଇ କେନ୍ଦ୍ରର ସହଯୋଗ ଲୋଡ଼ିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ଟିକା ଯୋଗାଣ ବ୍ୟବସ୍ଥା କଲେ। ତେଣୁ ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ରାଜ୍ୟ ସରକାର ଟିକା କେନ୍ଦ୍ର ଗୁଡିକରେଲଗାଇବା କଥା। ହେଲେ ଅସୁରକ୍ଷା ଓ ହୀନମନ୍ୟତା ଦୃଷ୍ଟିରୁ ଏଭଳି କରୁନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ତେବେ ଅପରାଜିତାଙ୍କ ଏହି ଟୁଇଟ ପରେ ବିଜେଡି ସାଂସଦ ସସ୍ମିତ ପାତ୍ର ପାଲଟା ଜବାବ ଦେଇଛନ୍ତି । ଟିକାକରଣ କେନ୍ଦ୍ରରେ ବିଜେପି କର୍ମୀଙ୍କ ପୋଷ୍ଟର ଚିରିବା ଘଟଣାକୁ ବି ସେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ସବୁ ଦଳ ଏହାକୁ ନେଇ ରାଜନୀତି କରୁଥିବା ବେଳେ ବିଜେଡି କେବେ ଏହି ପ୍ରସଙ୍ଗ ଉଠାଇନି କି ରାଜନୀତି କରିନି। ଦେଶରେ ଟିକାକରଣ ସବୁବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ କାର୍ୟ୍ୟକ୍ରମ ଭାବେ କରାଯାଏ । ପୋଲିଓ ହେଉ କି ବିସିଜି, ମିଳିମିଳା, ଡିପିଟି, ହେପାଟାଇଟିସ୍, ଭିଟାମିନ୍ ଏ ଟିକା, ସବୁବେଳେ ଏହା ଜାତୀୟ କାର୍ୟ୍ୟକ୍ରମ ଭାବେ କରାଯାଇଛି।ହେଲେ କୋଭିଡ୍ ସଂକଟରେ ଏହାକୁ ରାଜ୍ୟମାନଙ୍କ ଉପରେ ପ୍ରଥମେ ଲଦି ଦିଆ ଯାଇଥିଲା ଓ ପରେ ପ୍ରତ୍ୟାହାର କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ବ୍ୟବହାର ଓ କୋଭିଡ୍ ନିୟମ ପାଳିବାକୁ ସଚେତନତା ବାର୍ତ୍ତା ଦେଇଛନ୍ତି । ଏଥିରେ ଟିକାକରଣ ସଂପର୍କିତ କଥା ନାହିଁ। ତେଣୁ ଏହାକୁ ନେଇ ରାଜନୀତି କରିବା ନିହାତି ଲଜ୍ଜାଜନକ ବୋଲି ସସ୍ମିତ ଟ୍ୱିଟ୍ କରିଛନ୍ତି । ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଇଙ୍ଗିତ କରି ଏହା ତାଙ୍କର ରାଜନୈତିକ ଅସୁରକ୍ଷା ଓ ହୀନ ରାଜନୀତି ବୋଲି ସସ୍ମିତ ସମାଲୋଚନା କରିଛନ୍ତି ।
ମହାମାରୀ କରୋନାକୁ ମାତ ଦେବା ପାଇଁ ଏବେ ଟିକାକରଣକୁ ଜୋରଦାର କରାଯାଉଛି । ସଂକ୍ରମଣରୁ ବର୍ତିବାକୁ ହେଲେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ଜରୁରୀ ହୋଇପଡିଛି । ଦ୍ୱିତୀୟ ଲହରର ପ୍ରଭାବ କମିନଥିବା ବେଳେ କିଛି ଦିନ ମଧ୍ୟରେ ଆଗକୁ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ କହିଲେଣି । ତେଣୁ ଏଭଳି ସ୍ଥିତିରେ ଟିକାକରଣ କେନ୍ଦ୍ରରେ ଫଟୋ ଲଗାକୁ ବିଜେପି ଓ ବିଜେଡି ରାଜନୀତି କରିବା କେତେଦୂର ଠିକ?

Get real time updates directly on you device, subscribe now.

Leave A Reply

Your email address will not be published.