ଭୋଟ ଆଗ ନା ଜୀବନ ଆଗ ?
ଭୋଟ ଆଗ ନା ଜୀବନ ଆଗ ? ନିର୍ବାଚନ ଆଗ ନା ଜନସ୍ୱାସ୍ଥ୍ୟ ଆଗ ? ଯେଉଁ ଜନତାଙ୍କ ପାଇଁ ଏତେ ନାଟକ ଚାଲିଛି, ଏତେ ପ୍ରଚାର ହେଉଛି ଯଦି ସେହି ଜନତାଙ୍କ ଜୀବନ ଖଣ୍ଡିଏ ଭୋଟ ପାଇଁ ବିପଦରେ ପଡେ ତାହାଲେ କିଏ ହେବ ଦାୟୀ ? ଭୋଟ ସରିଲେ ଯଦି ଭୂତାଣୁ ମାଡି ବସେ ତେବେ ନେତା ନେବେ କି ମେଡିକାଲ ? ନା ଜନପ୍ରତିନିଧି ନିଜକୁ କରିବେ ଦାୟୀ, ଯେ ତମେ ବିପଦକୁ ଆବୋରିଛ କେବଳ ଆମ ପାଇଁ ? ପ୍ରଚାରକୁ ନେଇ ଏଇଥିପାଇଁ ଏ ପ୍ରଶ୍ନ ଉଠିଲା କାରଣ ଏଠି ନିର୍ବାଚନୀ ପ୍ରଚାର ବେଳେ ନେତା ମାନୁନାହାନ୍ତି କରୋନା ନିୟମ । କି ଭୂତାଣୁ, କି ସଂକ୍ରମଣ, କି କରୋନା ସତେ ଯେମିତି ନେତାଙ୍କ ରାଲି, ସଭାରେ ସେସବୁକୁ ନୋ ଏଣ୍ଟ୍ରି । ଅର୍ଥାତ ଭୂତାଣୁ ଯେମିତି ଭୋଟ ପ୍ରକ୍ରିୟାକୁ ଭାରି ଭୟ କରେ । କରୋନା କାଳରେ ହେଉଥିବା ସାଧାରଣ ନିର୍ବାଚନ ଠାରୁ ଉପନିର୍ବାଚନ ଯାଏଁ ସବୁ ସ୍ଥାନରୁ ଆସୁଥିବା କିଛି ଖାମଖିଆଲି ଚିତ୍ର ହିଁ ଏ କଥା କହିବାକୁ ଆମକୁ ବାଧ୍ୟ କରୁଛି ।
ଆଉ କାହା ରାଜ୍ୟ କଥା ଛାଡନ୍ତୁ ଆପଣା ସୁନା ତ ଭେଣ୍ଡି । ଅର୍ଥାତ ଆମ ରାଜ୍ୟରେ ତ ସମଦଶା । ପିପିଲିରେ ଗୋଟେ ନିର୍ବାଚନ ହେଉଛି ଯେ ସେଠାକୁ ସବୁ ନେତାଙ୍କ ସୁଅ ଛୁଟୁଛି । ମାଳମାଳ ନେତା, ଗଣ୍ଡା ଗଣ୍ଡା ମନ୍ତ୍ରୀ ବିଧାୟକଙ୍କ ଲାଇନ । ପ୍ରଚାର ବେଳେ କରୋନା କଥା କାହାର ବି ମନୁ ପଡୁନି । ଗୋଟେ ପଟେ କରୋନାର ୨ୟ ଲହର ରାଜ୍ୟରେ ବଢିଚାଲିଲାଣି । ଦିନକୁ ସଂକ୍ରମଣ ୭୦୦, ୮୦୦ ଛୁଉଁଛି ତଥାପି ନେତାଙ୍କ ନିଦ ଭାଙ୍ଗୁନି । ନିଜ ସ୍ୱାର୍ଥ ପାଇଁ ଏଠି ଲୋକଙ୍କ ଜୀବନକୁ ବାଜିରେ ଲଗାଉଛନ୍ତି । କେଉଁଠି ପ୍ରାର୍ଥୀ ଘର ଘର ବୁଲି ଲୋକଙ୍କୁ କୁଣ୍ଢେଇ ପକାଇଲାଣି ତ କେଉଁଠି ପାଦ ଧରି, ହାତରେ ହାତ ମିଶାଇ ଭୋଟ ଭିକ୍ଷା କଲାଣି । ସବୁଠି କରୋନା ନିୟମ ବିରୋଧୀ ଆଚରଣ । କରୋନାକୁ ହୁଇସିଲ ମାରି ଡାକିବାର ନିମନ୍ତ୍ରଣ । ନେତା ସିନା ନିଜ ସ୍ୱାର୍ଥ ସରିଲା ପରେ ମୁହଁ ମୋଡି ଦେବେ କିନ୍ତୁ କରୋନା ଫେରିବନି । ସେମିତି ଜାବୁଡି ଧରିଥିବ । ତେଣୁ ବେଳ ହୁଁ ସାବଧାନ । ଏ କଥା ଆମେ ବାରମ୍ବାର କହିଲେ ବି ନା ନେତା ନା ପ୍ରଚାରରେ ଗାଡି ଧରି, ନାରାବାଜି କରି ବୁଲୁଥିବା ଜନତା, କର୍ମୀ ଶୁଣୁଛନ୍ତି । ସମସ୍ତେ ସଂକ୍ରମଣକୁ ବେଖାତିର କରି ଚାଲିଛନ୍ତି । ଯାହା ଏକ ବଡ ବିପଦର ଆଶଙ୍କା ବଢାଉଛି ।
ମନେପକାନ୍ତୁ ଠିକ ଗୋଟିଏ ବର୍ଷ ତଳର କଥା । ଯେତେବେଳେ ଭାରତରେ ଭୂତାଣୁ ଭୟଙ୍କର ହେଉଥିଲା ଆଉ କରୋନା ଓଡିଶା ମୁହାଁ ହେଉଥିଲା ସେତେବେଳେ ନିଜକୁ ସଜାଗ ରଖିଥିଲେ ରାଜ୍ୟ ସରକାର । ସଂକ୍ରମଣ ରୋକିବାକୁ ବଡ ବଡ ନିଷ୍ପତ୍ତି ନେଉଥିଲେ । ଏମିତି କି ସରକାରଙ୍କ ପଢାଶୁଣା ଅଫିସରମାନେ ବାହାର ଦେଶର ରଣନୀତିକୁ ଆପଣାଇ ଓଡିଶାରେ ଆଗୁଆ କାର୍ୟ୍ୟକାରୀ କରୁଥିଲେ ଯାହା କେନ୍ଦ୍ର ସରକାରଙ୍କ ଠାରୁ ବହୁ ଆଗରେ ଥିଲେ ରାଜ୍ୟ ସରକାର । କେନ୍ଦ୍ର ଜନତା କର୍ଫ୍ୟୁ ଲଗାଇଲେ କିନ୍ତୁ ରାଜ୍ୟ ସରକାର କଟକଣା କଡା କରିଦେଲେ । ଲକଡାଉନଠୁ ସଡଡାଉନ, କଣ୍ଟେନମେଣ୍ଟ ଜୋନଠୁ କ୍ୱାରେଣ୍ଟାଇନ ଆଉ ହସ୍ପିଟାଲ ବ୍ୟବସ୍ଥା ସବୁକିଛି ଆଗୁଆ ପଦକ୍ଷେପ ନେଇ ମହାମାରୀ ମୁକାବିଲାରେ ସାରା ଦେଶକୁ ଚକିତ କରିଦେଲେ ରାଜ୍ୟ ସରକାର । ଏମିତି କି ଓଡିଶାର ବାତ୍ୟା ମୁକାବିଲା ମଡେଲ ପରେ ମହାମାରୀ ମୁକାବିଲା ମଡେଲକୁ ଅନେକ ରାଜ୍ୟ ବି ଅନୁସରଣ କଲେ ଯାହା ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପର ବଡ ଉପଲବ୍ଧି ।
ହେଲେ ଏଥର କରୋନାର ୨ୟ ଲହର ମାଡୁଥିଲେ ବି ରାଜ୍ୟ ସରକାର ଆଗୁଆ କିଛି ବି କରୁନାହାନ୍ତି । ଖାଲି ସ୍କୁଲକୁ ବାରମ୍ବାର ବନ୍ଦ କରୁଛନ୍ତି । ରାୟପୁର ଲକଡାଉନ ହେଲା ହେଲେ ଓଡିଶା ହୋଇପାରିଲାନି । ଦିଲ୍ଲୀ, ମୁମ୍ବାଇରେ ଆଗୁଆ ନାଇଟ କର୍ଫ୍ୟୁ ଲାଗିଲା କିନ୍ତୁ ଏ ନିଷ୍ପତ୍ତିରେ ଏଥର ଓଡିଶା ପଛେଇଗଲା । ଦୈନିକ ସଂକ୍ରମଣ ବଢୁଥିବା ବେଳେ ସରକାରୀ ବାବୁ ମାନେ କିନ୍ତୁ ମିଡିଆରେ କହୁଛନ୍ତି ରାଜ୍ୟରେ ସଂକ୍ରମଣ ସାଙ୍ଘାତିକ ହୋଇନି । ତେଣୁ ଭୟ କରିବାର କାରଣ ନାହିଁ । କିନ୍ତୁ କଥା ଯେ ପିପିଲି ପାଖରେ ତାହା କିଏ କହିବ । ଶୁଣାଯାଉଛି ପିପିଲି ନିର୍ବାଚନ ପାଇଁ ନବୀନ ନିରବ ରହିଛନ୍ତି । ଲକଡାଉନ, ସଟଡାଉନ କରିଦେଲେ ପିପିଲି ପାଇଁ ବାର ବର୍ଷର ତପସ୍ୟା ଶୁଖୁ ପୋଡାରେ ଚାଲିଯିବ । ତେଣୁ ଯେତେ ସଂକ୍ରମଣ ବଢୁଛି ବଢୁ ଖାଲି ଭୋଟ ସରୁ । ୧୭ ପରେ ସରକାର ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ନିର୍ବାଚନ ପାଇଁ ପିପିଲିରେ ଏବେ ଚାଲିଛି ହାଇଭୋଲଟେଜ ପ୍ରଚାର । ଷ୍ଟାର ପ୍ରଚାରକଙ୍କ ସହ ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି । କେବେଳ ରାଜ୍ୟର ନେତା ନୁହେଁ ଦିଲ୍ଲୀରୁ ମଧ୍ୟ ନେତା ମାନେ ଆସି ଡେରା ପକାଇ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । କିଛି ଦିନ ପରେ ପ୍ରଚାର ବି ସରିଯିବ । ସମସ୍ତେ ନିଜ ନିଜ ବାଟରେ ଚାଲିଯିବେ । ନେତା ବି ନିଜ ନିଜ ନିଡକୁ ଫେରିଯିବେ । କିନ୍ତୁ ଭାବିଲେ, ଯଦି କୌଣସି ନେତା ବା ପ୍ରାର୍ଥୀ କି ସାଧାରଣ ଲୋକେ ଯଦି ପଜିଟିଭ ବାହାରିଲେ ତାହେଲେ ଅବସ୍ଥା କଣ ହେବ । ପିପିଲିରେ ଯଦି ସଂକ୍ରମଣ ବ୍ୟାପେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଏ, ସେତେବେଳେ ଏଥିପାଇଁ ଦାୟୀ କିଏ ରହିବ । ପିପିଲି ଯଦି ସୁପରସ୍ପ୍ରେଡର ସାଜେ ସେଥିପାଇଁ ଦୋଷ ମୁଣ୍ଡାଇବେ କି ସରକାର?