ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ
ପୁଣି ଘୁଞ୍ଚିଲା ପିପିଲି ଉପ ନିର୍ବାଚନ ତାରିଖ । ମେ ୧୩ ତାରିଖରେ ହେବନାହିଁ ଭୋଟଗ୍ରହଣ । ମେ ୧୩ ବଦଳରେ ୧୬ ତାରିଖରେ ହେବ ନିର୍ବାଚନ । ଏହାର ଦୁଇ ଦିନ ପରେ ଅର୍ଥାତ ୧୯ ତାରିଖରେ ଭୋଟ୍ ଗଣତି ହେବ। ୧୩ ତାରିଖରେ ଇଦ୍-ଉଲ୍-ଫିତର ପଡୁଛି, ତେଣୁ ଏହାକୁ ଦୃଷ୍ଟିରେ ରଖି ଉପନିର୍ବାଚନର ତାରିଖକୁ ପୁଣିଥରେ ଘୁଞ୍ଚାଯାଇଛି। ନିର୍ବାଚନ କମିଶନଙ୍କ ତରଫରୁ ନୋଟିଫିକେସନ୍ ଆସିବା ପରେ ରାଜ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ପିପିଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଏପ୍ରିଲ ୧୪ରେ ବିୟୋଗ ପରେ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପରେ ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲ। । ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିଲା । କିନ୍ତୁ ଏବେ ପୁଣିଥରେ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ୧୬ ମେ’ରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ । ଅଥାର୍ତ ୧୩ ମେ ସନ୍ଧ୍ୟା ସୁଦ୍ଧା ପ୍ରଚାର ବନ୍ଦ ରହିବ । ଅନ୍ୟପଟେ ପୂର୍ବରୁ ଏପ୍ରିଲ ୨୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ବୋଲି କୁହାଯାଇଥିଲା। ଯାହାକି ଅପରିବର୍ତ୍ତିତ ରହିଛି। ସେହିଭଳି ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ଏପ୍ରିଲ ୨୯ ତାରଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା। ତାହା ମଧ୍ୟ ଅପରିବର୍ତ୍ତିତ ରହିଛି।
ଅନ୍ୟପଟେ କରୋନା ସଂକ୍ରମଣ ପାଇଁ ନିର୍ବାଚନ କମିଶନ ନୂଆ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି। ଏନେଇ ସିଇଓ ସୁଶୀଲ ଲୋହାନୀଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏଣିକି ୪୮ ଘଣ୍ଟା ପରିବର୍ତ୍ତେ ୭୨ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ ହେବ। ପିପିଲିରେ ୧୩ ତାରିଖ ସଂଧ୍ୟାରୁ ପ୍ରଚାର କାର୍ୟ୍ୟ ବନ୍ଦ କରାଯିବ। ଏହାସହ ରାଜନୈତିକ ସଭା କିମ୍ବା ସମାବେଶକୁ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ବାରଣ କରିଛନ୍ତି। ହେଲେ ଭର୍ଚୁଆଲ ମାଧ୍ୟମରେ ରାଜନୈତିକ ଦଳମାନେ ପ୍ରଚାର କରିପାରିବେ ବୋଲି ଅନୁମତି ରହିଛି। ଘରକୁ ଘର ବୁଲି ପ୍ରଚାର କରିବାରେ ସର୍ବାଧିକ ୫ ଜଣଙ୍କୁ ଏକାଠି ଯିବାର ଅନୁମତି ଦିଆଯାଇଛି। ସେହିଭଳି ଭୋଟ ଗ୍ରହଣ କେନ୍ଦ୍ରରେ ସମସ୍ତଙ୍କ ଶରୀର ତାପମାତ୍ରା ମପାଯିବ। ଲକ୍ଷଣ ଦେଖିଲେ ଟୋକନ ଦିଆଯିବ, ଏବଂ ସେମାନେ ସେହିଦିନ ସଂଧ୍ୟା ୫ଟା ପରେ ଭୋଟ ଦେବେ। ଭୋଟରମାନଙ୍କ ହାତ ସାନିଟାଇଜ୍ କରାଯିବ, ମାସ୍କ ପିନ୍ଧିବେ ।