ସକାଳ ୮ଟାରୁ ପିପିଲି ଉପ ନିର୍ବାଚନ ଭୋଟ୍ ଗଣତି
ଆସନ୍ତାକାଲି ଆସିବାକୁ ଯାଉଛି ପିପିଲି ଉପ ନିର୍ବାଚନ ଫଳାଫଳ । କାଲି ସକାଳ ୮ଟାରୁ ପିପିଲି ଉପ ନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଏବଂ ସକାଳ ସାଢେ ୮ଟାରୁ ଇଭିଏମ୍ ଭୋଟ ଗଣତି ଆରମ୍ଭ ହେବ ବୋଲି ଶନିବାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।
ଭୋଟ୍ ଗଣତି ସମୟରେ ସମସ୍ତ ପ୍ରକାର କୋଭିଡ୍ କଟକଣା ପାଳନ ହେବ ବୋଲି ସିଇଓ ସୂଚନା ଦେଇଛନ୍ତି । ଗଣତି ହଲ ଭିତରକୁ ଯିବାକୁ ହେଲେ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ରାଜନୈତିକ ଦଳର ଏଜେଣ୍ଟ ମାନେ ମଧ୍ୟ ଏହି ସମୟରେ ଉପସ୍ଥିତ ରହିପାରିବେ । ତା ସହିତ ଗଣମାଧ୍ୟମର କର୍ମଚାରୀ କେବଳ କ୍ୟାମେରି ନେଇ ଗଣତି ହଲ ଭିତରକୁ ଯାଇପାରିବେ । ଭୋଟ୍ ଗଣତି ପାଇଁ ମୋଟ ୧୪ଟି ଟେବୁଲ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ମୋଟ ୬୨ ଜଣ ସରକାରୀ ଅଧିକାରୀଙ୍କୁ ଗଣତି ପାଇଁ ନିୟୋଜିତ କରାଯିବ । ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । କିଏ ପିପିଲିର ଆଗାମୀ ବିଧାୟକ ହେବ ଆସନ୍ତାକାଲି ଭୋଟ୍ ଗଣତି ପରେ ହିଁ ଜଣାପଡିବ ।