କାହିଁକି ପିପିଲିରେ ପ୍ରଚାର କଲେନି ନବୀନ ?
ପିପିଲି ନିର୍ବାଚନ ପାଇଁ ପଡିଛି ଭୋଟ । ଇଭିଏମରେ କଏଦ ହୋଇଛି ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଭାଗ୍ୟ । କିଏ ଜିତିବ, କିଏ ହାରିବ? ତାହାର ହିସାବ ନିକାଶ ୩ ତାରିଖରେ ହେବ, ଯେତେବେଳେ ଇଭିଏମର ବାକ୍ସ ଖୋଲିବ । ପିପିଲି ଉପ-ନିର୍ବାଚନରେ କଡା ଟକ୍କର ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । ଶାସକ-ବିରୋଧୀ ଲଢେଇରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଶାସକ ବିଜେଡିର ଏହା ଗଡ ହୋଇଥିବା ବେଳେ ବିରୋଧୀ ବିଜେପି ଏହି ଗଡରେ ଧସେଇ ପଶିବାକୁ ଜୋରଦାର ଉଦ୍ୟମ କରୁଛି । ଏହି ନିର୍ବାଚନର ଫଳାଫଳ ୩ ପ୍ରମୁଖ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । କାରଣ ଏହି ନିର୍ବାଚନ ଫଳାଫଳର ପ୍ରଭାବ ଆଗକୁ ଆସୁଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ମାର୍ଗ ପ୍ରଶସ୍ତ କରିବ । କିନ୍ତୁ ପିପିଲି ଉପ-ନିର୍ବାଚନରେ ୨୦୧୭ ପଞ୍ଚାୟତ ନିର୍ବାଚନର ପୁନରାବୃତ୍ତି ଦେଖିବାକୁ ମିଳିବନି ତ? ଏଭଳି ଏକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ଆଉ ଏଭଳି ଉଙ୍କି ମାରିବା ପଛର ସବୁଠୁ ବଡ କାରଣ ହେଉଛି ପ୍ରଚାର ।
କରୋନା କାଳରେ ହେଉଥିବା ପିପିଲି ଉପ-ନିର୍ବାଚନ ପାଇଁ ସବୁ ପ୍ରାର୍ଥୀଙ୍କୁ କଟକଣା ଭିତରେ ପ୍ରଚାର କରିବାକୁ ପଡିଛି । ପ୍ରଚାର ପାଇଁ ମାତ୍ର ଦିନ କେଇଟା ମିଳିଥିବା ବେଳେ ସବୁ ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରାର୍ଥୀ ଜି ଜାନ୍ ଲଗାଇ ଦେଇଥିଲେ । କିନ୍ତୁ ପଞ୍ଚାୟତ ନିର୍ବାଚନ ଭଳି ପିପିଲି ଉପ-ନିର୍ବାଚନର ପ୍ରଚାର ମୈଦାନରେ ଗୋଟିଏ ସମାନତା ଦେଖିବାକୁ ମିଳିଥିଲା । ତାହା ଥିଲା ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇନଥିଲେ ନବୀନ । ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦଳ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇନଥିଲେ ନବୀନ । ଆଉ ଏଥିପାଇଁ ଦଳକୁ କଣ ମୂଲ୍ୟ ଦେବାକୁ ପଡିଥିଲା ତାହା ସମସ୍ତେ ଜାଣନ୍ତି । ପଞ୍ଚାୟତ ନିର୍ବାଚନର ଫଳାଫଳ ବିଜେଡିକୁ ବଡ ଝଟକା ଦେଇଥିଲା । ନବୀନଙ୍କ ପ୍ରଚାର ମୈଦାନକୁ ନ ଓହ୍ଲାଇବା ନିଷ୍ପତ୍ତି ଦଳ ପାଇଁ ବୁମେରାଂ ହୋଇଥିଲା । ଏପରିକି ଅନେକ ଜିଲ୍ଲା ପରିଷଦ ଆସନ ବିଜେଡି ହାତରୁ ଖସି ଯାଇଥିବା ବେଳେ ବିଜେପି ଏହାର ଫାଇଦା ନେଇଥିଲା । ପୂର୍ବ ପଞ୍ଚାୟତ ନିର୍ବାଚନ ତୁଳନାରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଆଶା ଠାରୁ ଅଧିକ ଆସନ ହାତେଇଥିଲା । ଆଉ ଏଭଳି କରି ନବୀନଙ୍କ ନିଷ୍ପତ୍ତିକୁ ଚେକମେଟ ଦେଇଥିଲା ବିଜେପି ।
ପିପିଲି ଉପ-ନିର୍ବାଚନର ଫଳାଫଳ ଆସିନଥିଲେ ମଧ୍ୟ ନବୀନଙ୍କ ପ୍ରଚାର ମୈଦାନକୁ ନ ଯିବା ନିଷ୍ପତ୍ତି ପାଇଁ ବିଜେଡିକୁ ବହୁମୂଲ୍ୟ ଦେବାକୁ ପଡିପାରେ । ଦଳର ଷ୍ଟାର କ୍ୟାମ୍ପେନର ତାଲିକାର ଶୀର୍ଷରେ ରହିଥିଲେ ମଧ୍ୟ ପ୍ରଚାର ମୈଦାନରୁ ନିଜକୁ ଦୂରେଇ ରଖିଥିଲେ ନବୀନ । ସରକାରୀ କାର୍ୟ୍ୟକ୍ରମରେ ଅନ୍ୟ ଜିଲ୍ଲାକୁ ଯାଇଥିଲେ ମଧ୍ୟ ପିପିଲି ପ୍ରଚାର ମୈଦାନକୁ ଲମ୍ଫ ମାରିନଥିଲେ ନବୀନ । ଭର୍ଚୁଆଲ ରାଲିର ସୁଯୋଗ ଥିଲେ ମଧ୍ୟ ନବୀନଙ୍କ ଆପଣ ମାନେ ଖୁସି ତ ଡାଇଲଗ ଶୁଣିବାକୁ ପାଇନଥିଲେ କର୍ମୀ । ଏପରିକି ଦଳର ଅନେକ ହେଭିୱେଟ ନେତା ମଧ୍ୟ ପ୍ରଚାର ମୈଦାନରୁ ନିଜକୁ ଦୂରେଇ ରଖିଥିଲେ । ଅନ୍ୟପଟେ ବିଜେପି ପିପିଲି ବାଜି ଜିତିବାକୁ ଦିନ ରାତି ଏକ କରି ଦେଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଭଳି ନେତାଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିଛି ବିଜେପି । ପଞ୍ଚାୟତ ନିର୍ବାଚନରେ ମଧ୍ୟ ଧର୍ମେନ୍ଦ୍ର ବିଜେପିର ପ୍ରଚାର ମଙ୍ଗ ଧରିଥିଲେ । ତେଣୁ ସେତେବେଳେ ଦଳକୁ ଯେଉଁ ସଫଳତା ମିଳିଥିଲା ତାହାର ପୁନରାବୃତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏଭଳି ଆକଳନ କରିବା ପଛର ସବୁଠୁ ବଡ କାରଣ ହେଲା ବିଜେପିର ବରିଷ୍ଠ ନେତାଙ୍କ ପିପିଲି ବିଜୟ ନେଇ ଦୃଢୋକ୍ତି । ତେଣୁ ପ୍ରଚାର ମୈଦାନରେ ନବୀନଙ୍କ ପାଦ ନ ପଡିବା ପିପିଲିରେ ପଞ୍ଚାୟତ ନିର୍ବାଚନ ଫଳାଫଳର ପୁନରାବୃତ୍ତି ସମ୍ଭାବନାକୁ ବଢାଇ ଦେଇଛି ।
ଏହାବାଦ୍ ପିପିଲି ଉପ-ନିର୍ବାଚନର ଫଳାଫଳ କଣ ହେବ ତାହାକୁ ନେଇ ବିଜେଡିର ପାୱାରସେଣ୍ଟର ପୂର୍ବରୁ ସନ୍ଦିହାନ ଥିବା କୁହାଯାଉଛି । ପ୍ରଦୀପଙ୍କ ଦେହାନ୍ତର କିଛି ଦିନ ମଧ୍ୟରେ ନିର୍ବାଚନ ହୋଇଥିଲେ ହୁଏତ ଏହା ବିଜେଡିକୁ ଫାଇଦା ଆଣି ଦେଇଥାନ୍ତା । ଯେଉଁଥିପାଇଁ ସେତେବେଳେ ପ୍ରଦୀପଙ୍କ ପୁଅ ରୁଦ୍ରଙ୍କୁ ପ୍ରାର୍ଥୀ କରି ଅନୁକମ୍ପାମୂଳକ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଥିଲା ଦଳ । କିନ୍ତୁ ପ୍ରଦୀପଙ୍କ ମୃତ୍ୟୁକୁ ଦୀର୍ଘ ଦିନ ବିତି ଯାଇଥିବାରୁ ବିଜେଡିର ଏହି କାର୍ଡ ଆଉ କାମ ଦେଇନପାରେ । ଏହାଛଡା ପିପିଲି ଉପ-ନିର୍ବାଚନ ପୂର୍ବରୁ ଦୁଇ କେନ୍ଦ୍ରମନ୍ତ୍ରୀ ପୁରୀ ଗସ୍ତ ବିଜେପି କର୍ମୀଙ୍କ ମଧ୍ୟରେ ଜୋଶ ଭରିଥିଲା । ଯାହାର ପରିଣାମ ପିପିଲି ଉପ-ନିର୍ବାଚନରେ ପଡିପାରେ ବୋଲି କୁହାଯାଉଛି । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପିପିଲିରେ ପରିବର୍ତ୍ତନ ନିଶ୍ଚୟ ହେବ ବୋଲି ଦୃଢ ଆଶାବାଦୀ ରହିଛନ୍ତି । ଏପିରିକି ଫୋନି ସହାୟତାକୁ ନେଇ ଶାସକ ବିଜେଡି ଉପରେ ଲୋକଙ୍କର ରୋଷ ରହିଛି । ଏଭଳି ସ୍ଥିତିରେ ପିପିଲି ଉପ-ନିର୍ବାଚନର ଫଳାଫଳକୁ ବିଜେଡି ଶିବିର ସନ୍ଦିହାନ ହୋଇଥାଇପାରେ । ଯେଉଁଥିପାଇଁ ହୁଏତ ପିପିଲି ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇ ନଥାଇ ପାରନ୍ତି ନବୀନ । କାରଣ ପିପିଲିରେ ଯଦି ଦଳ ପରାଜିତ ହୁଏ ତେବେ ନବୀନଙ୍କୁ ପରାଜୟର ବୋଝ ମୁଣ୍ଡାଇବାକୁ ପଡିପାରେ । ଆଉ ଏହାର ପ୍ରଭାବ ଆଗକୁ ଆସୁଥିବା ପଞ୍ଚାୟତ ଓ ପୌର ନିର୍ବାଚନ ଉପରେ ପଡିପାରେ । ତେଣୁ ୨୦୧୭ ଭଳି ଆଉ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ରିସ୍କ ନେବାକୁ ଚାହୁଁନାହିଁ । ନବୀନଙ୍କ ନେତୃତ୍ୱରେ ଦଳ ସେତେବେଳେ ପଞ୍ଚାୟତ ନିର୍ବାଚନ ଲଢିପାରେ, ତେଣୁ ପିପିଲିର ଫଳାଫଳକୁ ନେଇ ନବୀନଙ୍କ ଉପରେ କେହି ଆଙ୍ଗୁଠି ଉଠାନ୍ତୁ ଏହା ବୋଧହୁଏ ଚାହୁଁନାହିଁ ଦଳ । ଯେଉଁଥିପାଇଁ ପିପିଲି ପ୍ରଚାର ମୈଦାନରୁ ନବୀନ ନିଜକୁ ଦୂରେଇ ରଖିଥିବା କୁହାଯାଉଛି ।