THE BYAPINI

ମହାରଥୀଙ୍କ ପରିବାରକୁ ଅଲଟିମେଟମ୍ !

Get real time updates directly on you device, subscribe now.

ଦିନ ଥିଲା ପିପିଲି ରାଜନୀତିରେ ପ୍ରଦୀପ ମହାରଥୀଙ୍କୁ ଛାଦିଦେଲେ ଆଉ କାହା ନାଁ ସାମ୍ନାକୁ ଆସୁନଥିଲା । ପୁରା ନିର୍ବାଚନ ମଣ୍ଡଳୀକୁ ନିଜ ହାତମୁଠାରେ ରଖିଥିଲେ ଏହି ଦିବଂଗତ ନେତା । ହେଲେ ତାଙ୍କ ଦେହାନ୍ତ ପରେ ପିପିଲି ନିର୍ବାଚନ ମଣ୍ଡଳୀରେ ଯେଉଁ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି, ତାକୁ ପୁରଣ କରିବା ଶାସକ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ପିପିଲି ଉପ ନିର୍ବାଚନରେ କିଏ ପ୍ରାର୍ଥୀ ହେବ ସେନେଇ ମହାରଥୀଙ୍କ ପରିବାରରେ ଏକ ଛୋଟିଆ ଝଡ ତିଆରି ହୋଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ପ୍ରଦୀପ ମହାରଥୀଙ୍କ ପତ୍ନୀ ନା ପୁଅ କିଏ ହେବ ପିପିଲି ନିର୍ବାଚନ ମଣ୍ଡଳୀର ଭବିଷ୍ୟତ, ସେଇ ଅଙ୍କ ଛିଣ୍ଡିପାରୁନି । ପାରିବାରିକ ବିବାଦ ହୋଇଥିବାରୁ ରାଜ୍ୟସ୍ତରୀୟ ନେତା ଏଯାଏଁ ଏଥିରେ ମୁଣ୍ଡ ଖେଳାଇ ନାହାନ୍ତି । ହେଲେ ମଝିରେ ମଝିରେ ଡାକି ଉଭୟଙ୍କୁ ତାଗିଦ କରାଯାଉଥିବା ଖବର, ରାଜଧାନୀ ଗଳି କନ୍ଦିରେ ଘୁରି ବୁଲୁଛି ।

ଏହାରି ଭିତରେ ପ୍ରଦୀପ ମହାରଥୀଙ୍କ ପତ୍ନୀ ଗଣମାଧ୍ୟମ ସାମ୍ନାରେ ଏକ ବୟାନ ରଖିଛନ୍ତି । ଟିକେଟ ମିଳିଲେ ସେ ଖୁସି ହେବେ ବୋଲି ନିଜ ଇଛା ବ୍ୟକ୍ତି କରି ପରୋକ୍ଷରେ ଦର୍ଶାଇଛନ୍ତି ମହାରଥୀଙ୍କ ରାଜନୈତିକ ଲିଗାସୀର ଉତ୍ତରାଧିକାରୀ ହେବାକୁ ସେ ପ୍ରସ୍ତୁତ । ଆଉ ଅନ୍ୟପଟେ ନୁଆବର୍ଷ ଆଳରେ ଚାରିଆଡେ ମହାରଥୀଙ୍କ ପୁଅ ଶୁଭେଛା ବାର୍ତ୍ତାର ବଡ ବଡ ପୋଷ୍ଟର ଏବଂ ହୋର୍ଡିଂ ଲଗାଇ ନିଜ ଦବଦବା ଜାହିର କରିବାକୁ ପ୍ରସ୍ତୁତ ଅଛନ୍ତି । ଯାହା ଦଳ ପାଇଁ ବିଲକୁଲ ଭଲ ସଂକେତ ନୁହେଁ । ଚର୍ଚ୍ଚା ଚାଲିଛି ଦଳର ସଂଗଠନ ସଂପାଦକ ବବି ଦାସ ଏହାରି ଭିତରେ କୁଆଡେ ଉଭୟଙ୍କ ସହ ଏକ ରାଉଣ୍ଡ ଆଲୋଚନା କରି ସାରିଛନ୍ତି । ବିବାଦକୁ ଆଗକୁ ନବଢାଇ କିଭଳି ସୁରୁଖୁରୁରେ ନିର୍ବାଚନ କାମ ସରିବ ସେଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଯଦି ପାରିବାରିକ ବିବାଦର ସମାଧାନ ନହୁଏ ତେବେ ନୁଆ ପ୍ରାର୍ଥୀ ଆସିବା କିଛି ଅସମ୍ଭବ ନୁହେଁ ବୋଲି ପରୋକ୍ଷରେ ମଧ୍ୟ ଚେତାଇ ଦିଆଯାଇଛି । ତେଣୁ ଦୁଇ ଜଣଙ୍କ କଳିରେ ତୃତୀୟ ଜଣଙ୍କର ଲାଭ ହେବା ନ୍ୟାୟରେ ବାହାରୁ କେହି ନେତା ଯେ ପିପିଲି ଗାଦି ପାଇବେନି ଏହାକୁ ସଂପୁର୍ଣ୍ଣ ଅସ୍ୱୀକାର କରାଯାଇ ପାରିବ ନାହିଁ ।

ପିପିଲି ରାଜନୀତି ଏମିତିରେ ବି ସବୁବେଳେ ଚର୍ଚ୍ଚାରେ ଥାଏ । ମହାରଥୀ ୨୦୧୯ରେ ଯେଉଁ ଗୋଟିଚାଳନା କରିଥିଲେ, ତାହା ଥିଲା ମାଷ୍ଟରଷ୍ଟ୍ରୋକ । ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନିଜ ସପକ୍ଷକୁ ଆଣି ସେ ଯେଉଁ ଗୋଟିଚାଳନା କରିଥିଲେ, ତାହା ବିଶେଷ ଲାଭଦାୟକ ମଧ୍ୟ ହୋଇଥିଲା । ତେଣୁ ପିପିଲିକୁ ମହାରଥୀ ନିଜ ଗଡ ଭାବେ ଦୀର୍ଘ ଦଶନ୍ଧି ଧରି ଯେଭଳି ରଖିଥିଲେ, ତାଙ୍କ ପରିବାର ଏଥିରେ ସଫଳତା ହାସଲ କରିପାରିବେ କି ନାହିଁ, ତା ଉପରେ ସମସ୍ତଙ୍କ ନଜର ରହିଛି । ଆଉ ରାଜନୀତିର ପଶାପାଲିରେ କିଏ ପିପିଲି ଟିକେଟ ହାତେଇବ ଉପ ନିର୍ବାଚନରେ ଦଳର ପ୍ରାର୍ଥୀ ହେବ ତା ଉପରେ ଅନେକାଂଶରେ ନିର୍ଭର କରିବ ଦଳର କ୍ରାଇସିସ ମ୍ୟାନେଜରଙ୍କ ଭୁମିକା କଣ ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.