ରୋହିତ କହିଲେ, ହେଲ୍ପ ପ୍ଲିଜ୍…
କରୋନା ଆଗରେ କେହି ବି ବର୍ତ୍ତୁ ନାହାନ୍ତି । ସଂକ୍ରମଣର ପ୍ରଭାବ ଏତେ ବଢୁଛି ଯେ ସବୁ କଳ, ବଳ, କୌଶଳ ବି ଫେଲ ମାରୁଛି । ମହାମାରୀ ମୁକାବିଲା କରିବାକୁ ସରକାର ମାରାଥନ ପ୍ରସ୍ତୁତି ଚଲାଇଛନ୍ତି । ସଂକ୍ରମଣ ହ୍ରାସ ପାଇଁ ବି ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଆକ୍ସନ ମୋଡରେ ଲକଡାଉନ, ସଟଡାଉନ କରୁଛି । ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ ସହ ଟୀକାକରଣକୁ ଜୋରଦାର କରୁଛି । ହେଲେ ସବୁ ଠିକଠାକ ଭିତରେ ସରକାରୀ ଦଳର ଜଣେ ବିଧାୟକଙ୍କ ଟ୍ୱିଟ୍ ସବୁକିଛି ଠିକ ନାହିଁ ବୋଲି ଇସାରା କରୁଛି । କରୋନା ମୁକାବିଲା ଯେମିତି ହେବା କଥା ସେମିତି ହେଉନି ବୋଲି ସଙ୍କେତ ଦେଇଛି ବିଜେଡି ବିଧାୟକଙ୍କ ଏ ଅସହାୟପଣ ।

ରେଢାଖୋଲ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ନିଜ ସୋସିଆଲ ମିଡିଆରେ ସମ୍ବଲପୁରର କରୋନା ମୁକାବିଲା ନେଇ ଅସହାୟତା ପ୍ରକାଶ କରିଥିବେ । ନିଜ ଟ୍ୱିଟର ଏବଂ ଫେସବୁକ ଆକାଉଣ୍ଟରେ ରୋହିତ ଲେଖିଥିଲେ, ଦୟାକରି ସାହାଯ୍ୟ କରନ୍ତୁ । ସମ୍ବଲପୁର ଜିଲ୍ଲା ପାଇଁ ଅକ୍ସିଜେନ ସିଲିଣ୍ଡର, ଫ୍ଲୋମିଟର ଟ୍ୟୁବ ଏବଂ ମାସ୍କ ଦରକାର । ଜିଲ୍ଲାରେ କରୋନା ମୁକାବିଲା ପାଇଁ ଏହାର ଆବଶ୍ୟକତା ରହିଛି ବୋଲି ରୋହିତ ନିଜ ପୋଷ୍ଟରେ ଲେଖି ଅସହାୟତା ପ୍ରକାଶ କରିଥିଲେ । ସମ୍ବଲପୁରରେ ଗତ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଡେଉଁଥିବା ବେଳେ ସଂକ୍ରମିତଙ୍କ ଚିକିତ୍ସା ଏବଂ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ ଓ ଅନ୍ୟ ଉପକରଣର ଆବଶ୍ୟକତା ରହିଛି । ତେଣୁ ଏସବୁ ଜିଲ୍ଲାରେ ମହଜୁଦ ନଥିବା ରେଢାଖୋଲ ବିଧାୟକଙ୍କ ପୋଷ୍ଟରୁ ଅନୁମାନ କରାଯାଇପାରୁଛି ।

ସାରା ଦେଶରେ ଯେତେବେଳେ ନିଶ୍ୱାସ ନିଅଣ୍ଟ ହୋଇଛି । ଅକ୍ସିଜେନ ବିନା ଭାରତ ଅଣନିଶ୍ୱାସୀ ହୋଇଛି ସେତେବେଳେ ସଙ୍କଟ ସମୟର ସଙ୍କଟମୋଚକ ସାଜି ଓଡିଶା ଯୋଗାଇଥିଲା ସଞ୍ଜିବନୀ । ଦିଲ୍ଲୀଠୁ ଆରମ୍ଭ କରି ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଯାଇଥିଲା । ଯଦିଓ ସେତେବେଳେ ବିରୋଧୀ ସରକାରଙ୍କୁ କହୁଥିଲେ ନିଜକୁ ନିଅଣ୍ଟ ସାହି ସାହି ବାଣ୍ଟ । କିନ୍ତୁ ସେତେବେଳେ ଓଡିଶାର ସ୍ଥିତି ସେମିତି ନଥିଲା ଯେ ଅନ୍ୟକୁ ଅକ୍ସିଜେନ ଦେଲେ ରାଜ୍ୟର ଲୋକେ ହଇରାଣ ହେବେ ବୋଲି । କିନ୍ତୁ ଏବେ ଅକ୍ସିଜେନର ଆବଶ୍ୟକତା ବହୁତ ରହିଥିବା ଖୋଜ ସରକାରୀ ଦଳର ଜଣେ ବିଧାୟକ କହିଛନ୍ତି । ଆଉ ତାଙ୍କର ଏ ଅସହାୟତାଭରା ଟ୍ୱିଟ୍ ସରକାରଙ୍କ ମିଛକୁ ପଦାରେ ପକାଇଛି ।
ଅନ୍ୟପଟେ ରୋହିତଙ୍କ ଏହି ଟୁଇଟ କିଛି ସମୟ ପରେ ତାଙ୍କ ସୋସିଆଲ ମିଡିଆରୁ ଡିଲିଟ ହୋଇଥିଲା । ବୋଧହୁଏ ଉପରିସ୍ଥ ଚାପରେ ପଡି ରୋହିତ ଏହାକୁ ଡିଲିଟ କରିଥାଇ ପାରନ୍ତି କିନ୍ତୁ ଡିଲିଟ ହୋଇଥିବା ବିଦାୟକଙ୍କ ଟ୍ୱିଟକୁ ଟାଣି ଓଟାରି, ସ୍କ୍ରିନସଟ ମାରି କଣ୍ଟାବାଡରେ ଲୁଗା ପକାଇ କଳି କଲା ପରି ରାଜନୀତି ଆରମ୍ଭ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଅକ୍ସିଜେନ ନେଇ ନବୀନ ବାବୁ ବାହାଦୁରୀ ମାରୁଛନ୍ତି ଆଉ ତାଙ୍କ ବିଜେଡି ବିଧାୟକ ଦୁନିଆ ଆଗରେ ହାତ ପାତୁଛନ୍ତି । ଲେଖାଶ୍ରୀ ଲେଖିଛନ୍ତି ବହି ଯାଉଥିବା ଗଙ୍ଗାରେ ହାତ ଧୋଇ ବାହାଦୁରୀ ନେଉ ନେଉ ନବୀନ ବାବୁ ଧରାପଡିଗଲେ । ଇସ୍ପାତ ଶିଳ୍ପର ଅକ୍ସିଜେନକୁ ନିଜ କହୁଥିବା ବେଳେ ସିଲିଣ୍ଡର ବି ତାଙ୍କର ନୁହେଁ ବୋଲି ଜଣାପଡିଗଲା । ଆଉ ଓଡିଶାର କୋଭିଡ୍ ପରିଚାଳନାର ପ୍ରକୃତ ସ୍ଥିତି ଦାଣ୍ଡରେ ପକାଇ ଦେଲେ ବିଜେଡି ବିଧାୟକ । ରୋହିତ ପୂଜାରୀଙ୍କ ଟ୍ୱିଟକୁ ନେଇ ବିଜେପି ରାଜନୀତି କରିବା ଆରମ୍ଭ କରିଥିବା ବେଳେ ଏଠି କିଛି ପ୍ରଶ୍ନ ମନକୁ ଆସୁଛି, କାହିଁକି ପୋଷ୍ଟ ଡିଲିଟ କଲେ ରୋହିତ ? ଚାପରେ ପଡି ନିଜ ଲେଖା କାଟିଦେଲେ କି? ବିଧାୟକଙ୍କ ଅସହାୟତାଭରା ଟ୍ୱିଟ କି ସଙ୍କେତ ଦେଉଛି? ସତରେ ଠିକଠାକ ଚାଲିଛି ନା କିଛି ଗଫଲତି ରହୁଛି କୋଭିଡ୍ ପରିଚାଳନାରେ? ଓଡିଶାରେ ସତରେ ଅଭାବ ହେଲାଣିି କି ଅକ୍ସିଜେନ? ରୋହିତଙ୍କ ଏ ଟ୍ୱିଟ୍ ସରକାରଙ୍କ ପାଇଁ ନିଜ ବସ୍ତ୍ର ପରକୁ ଦେଇ… ଘଟଣା ଭଳି ହେବନି ତ?