ଚାଷୀଙ୍କ ଖାତାକୁ ମୋଦିଙ୍କ ଟଙ୍କା
ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଥମିନଥିବା ବେଳେ ଆଜି ଓଡିଶା ସମେତ ୬ଟି ରାଜ୍ୟର ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶାର ନୂଆପଡା ଚାଷୀଙ୍କ ସହ ବି ମୋଦି କଥା ହୋଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟି ଟଙ୍କା ପଠାଇଛନ୍ତି ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଚାଷୀଙ୍କ ମନରେ ଉଠୁଥିବା ପ୍ରଶ୍ନକୁ ଦୂର କରିବାକୁ ଚେଷ୍ଟା କରିଥିବା ବେଳେ ବିରୋଧୀଙ୍କୁ ଖୋଲାଖୋଲି ସମାଲୋଚନା କରିଛନ୍ତି ।
ପିଏମ କିଷାନ ଯୋଜନାରେ ମିଳିଥିବା ଅର୍ଥ କିଭଳି ଖର୍ଚ୍ଚ ହେଉଛି ସେ ନେଇ ଚାଷୀଙ୍କୁ ସିଧାସଳଖ ପଚାରିବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୬ଟି ରାଜ୍ୟର ଚାଷୀଙ୍କ ସହ ଆଲୋଚନା ବେଳେ ନୂଆପଡା ଚାଷୀ ନବୀନ ଠାକୁରଙ୍କ ସହ କଥା ହୋଇଛନ୍ତି ମୋଦି । ଏହି କ୍ରମରେ ନୂଆପଡା ଚାଷୀ ମୋଦି ସରକାରଙ୍କ ଟଙ୍କାକୁ କିଭଳି ଖର୍ଚ୍ଚ କରିଛନ୍ତି ତାହା ପ୍ରଧାନମନ୍ତ୍ରୀଙ୍କ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୨୫ ଶହ ଚାଷୀଙ୍କୁ ଉଦବୋଧନ ଦେଇଛନ୍ତି । କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ମୋଦି କହିଛନ୍ତି ।
ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଥମୁନଥିବା ବେଳେ କୃଷି ଆଇନକୁ ନେଇ ପୁଣିଥରେ ଚାଷୀଙ୍କ ସହ ଖୋଲାଖୋଲି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ପିଏମ କିଷାନ ଯୋଜନାରେ ୯ କୋଟି ଚାଷୀଙ୍କ ଖାତାକୁ ସିଧାସଳଖ ୧୮ ହଜାର କୋଟି ଫେରାଇଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଚାଷୀ ଆନ୍ଦୋଳନକୁ ନେଇ ବିରୋଧୀ ଗ୍ରହଣ କରିଥିବା ଆଭିମୁଖ୍ୟକୁ ଖୋଲାଖୋଲି ସମାଲୋଚନା କରିଛନ୍ତି । କିଛି ରାଜନୈତିକ ଦଳମାନଙ୍କ ଦ୍ବାରା ଚାଷୀମାନଙ୍କୁ ଆନ୍ଦୋଳନ କରିବା ପାଇଁ ଉସକାଯାଉଛି । ଶସ୍ତା ରାଜନୀତି କରୁଥିବା କିଛି ରାଜନୈତିକ ଦଳ ଏବଂ ରାଜନେତା ଚାଷୀଙ୍କୁ ମୂଳ ମୁଦ୍ଦା ବିଷୟରେ ଅବଗତ କରାଉନାହାନ୍ତି । ଫଳରେ ଚାଷୀମାନେ ଚକ୍ରାନ୍ତର ଶିକାର ହୋଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
କୃଷି ଆଇନକୁ ନେଇ ଚାଷୀଙ୍କ ଭିତରେ ଉଠୁଥିବା ପ୍ରଶ୍ନର ଉତର ରଖି ପ୍ରଧାନମନ୍ତ୍ୀ କହିଛନ୍ତି, ଚାଷୀଙ୍କୁ ଏମଏସପି ମିଳିବ । ପୂର୍ବଭଳି ମଣ୍ଡି ବ୍ୟବସ୍ଥା ଚାଲୁ ରହିବ । ଏପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଅନ୍ତତଃ ବର୍ଷେ କିମ୍ବା ୨ ବର୍ଷ କୃଷି ଆଇନ ଲାଗୁ କରିବାକୁ ଦିଆଯାଉ ।