‘ମୁଁ ଜୀବିତ ଫେରିିଛି, ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ’
ଆଜି ପଞ୍ଜାବରେ ମଝି ରାସ୍ତାରେ ଅଟକିଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ । ଫ୍ଲାଏଓଭର ଉପରେ ପ୍ରାୟ ୧୫ରୁ ୨୦ ମିନିଟ୍ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫଶି ରହିଥିଲା । ଆଉ ଏହିଠାରୁ ସଭାସ୍ଥଳକୁ ଯିବା ପରିବର୍ତ୍ତେ ପୁଣିଥରେ ବିମାନବନ୍ଦର ଅଭିମୁଖେ ବାହାରିଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ । ଆଉ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ସଭା । ପ୍ରଥମେ ବର୍ଷା କାରଣରୁ ମୋଦୀଙ୍କ ସଭା ବାତିଲ ହୋଇଥିବା କୁହାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁରକ୍ଷା ସମ୍ବନ୍ଧୀୟ କାରଣରୁ ସଭା ବାତିଲ ହୋଇଥିବା କୁହାଯାଉଛି । ମୋଦୀଙ୍କ କାରକେଡ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ୍ ପର୍ୟ୍ୟନ୍ତ ଅଟକି ରହିଥିଲା । କାରଣ ରାସ୍ତାରେ ପ୍ରଦର୍ଶନକାରୀଙ୍କ ଭିଡ ପାଇଁ ମୋଦୀଙ୍କ କାରକେଡ ଆଗକୁ ଯାଇପାରିନଥିଲା । ଆଉ ଏହା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି ବୋଲି କୁହାଯାଉଛି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ମୁଁ ଭଟିଣ୍ଡା ବିମାନବନ୍ଦର ପର୍ୟ୍ୟନ୍ତ ଜୀବିତ ଫେରିଛି, ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ । ଭଟିଣ୍ଡା ବିମାନବନ୍ଦର ଅଧିକାରୀଙ୍କୁ କିଛି ଏଭଳି କହିଛନ୍ତି ମୋଦୀ । ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ ଭଟିଣ୍ଡାରେ ପହଞ୍ଚିଥିଲେ । ମେଘୁଆ ପାଗ ଯୋଗୁ ପ୍ରାୟ ୨୦ ମିନିଟ୍ ଅଟକିବା ପରେ ସଡକପଥରେ ରାଷ୍ଟ୍ରୀୟ ସହିଦ ସ୍ମାରକ ଯାଇଥାନ୍ତେ । ଯେଉଁଥିରେ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ସଙ୍ଗେ ସଙ୍ଗେ ପଞ୍ଜାବ ପୋଲିସ ଡିଜିଙ୍କୁ ଜଣାଇବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଥିଲା ।
ତେବେ ରାଷ୍ଟ୍ରୀୟ ସହିଦ ସ୍ମାରକ ଠାରୁ ୩୦ କିଲୋମିଟର ଦୂରରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଥିବା ବେଳେ ଏକ ଫ୍ଲାଏଓଭରରେ ଅଟକିବାକୁ ପଡିଲା । କାରଣ ଆଗକୁ ପ୍ରତିବାଦ କରୁଥିଲେ ପ୍ରଦର୍ଶନକାରୀ । ଆଉ ଉକ୍ତ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ୍ ଫଶି ରହିବା ପରେ ବିମାନବନ୍ଦର ଅଭିମୁଖେ ମୋଦୀଙ୍କ କାରକେଡ ବାହାରିଥିଲା । ଆଉ ଏହାକୁ ଗୃହ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ବୋଲି ଦର୍ଶାଇଛି । କାରଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ପୂର୍ବରୁ ପଞ୍ଜାବ ସରକାରଙ୍କୁ କୁହାଯାଇଥିଲା । ଯାହାକୁ ଧ୍ୟାନରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି, ବ୍ୟବସ୍ଥା କରିବା କଥା । ଏପରିକି ଜରୁରୀକାଳୀନ ସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତି ରହିବାର ଆବଶ୍ୟକ ଥିଲା । ଯେହେତୁ ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ ଯାଉଥିଲେ ତେଣୁ ଅତିରିକ୍ତ ପୋଲିସ ନିୟୋଜିତ କରିବା କଥା । ଯାହା କରାଯାଇନଥିଲା । ଯେଉଁଥିପାଇଁ ପଞ୍ଜାବ ସରକାରଙ୍କୁ ଏ ସମ୍ବନ୍ଧରେ ବିସ୍ତୃତ ରିପୋର୍ଟ ଦେବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।