ଫଶିଗଲେ ପ୍ରଦୀପ !
ଅଡୁଆରେ ପୂର୍ବତନ ସାଂସଦ ତଥା ରାଜ୍ୟ କଂଗ୍ରେସର ବଡ ଚେହେରା ପ୍ରଦୀପ ମାଝୀ । ପରୀ ପ୍ରସଙ୍ଗରେ ବିଜେପି କରିବାକୁ ଥିବା ପଦଯାତ୍ରା ସପକ୍ଷରେ ବୟାନ ରଖି ସେ ବିବାଦ ଘେରକୁ ଚାଲି ଆସିଛନ୍ତି । ବରିଷ୍ଠ କଂଗ୍ରେସ ନେତା ପିସିସି ସଭାପତିଙ୍କୁ ଭେଟି ନିଜ ଅସନ୍ତୋଷ ଜାହିର କରିଥିବା ବେଳେ, ଦଳ ତରଫରୁ ଖୋଳତାଡ ମଧ୍ୟ ଆରମ୍ଭ ହୋଇଛି । ପ୍ରଦୀପ ମାଝୀ କହିଥିଲେ, ବିଜେପିର ପଦଯାତ୍ରାକୁ ସ୍ୱାଗତ କରୁଛୁ । ଏହାଫଳରେ ସରକାର ଚାପଗ୍ରସ୍ତ ହେବେ ଏବଂ ପରୀକୁ ନ୍ୟାୟ ମିଳିପାରିବ ।
ବାସ୍ ଏଇ କେଇପଦ କଥା ହିଁ ପ୍ରଦୀପଙ୍କୁ ବିବାଦ ଭିତରକୁ ନେଇଆସିଛି । ପିସିସି ସଭାପତି ମଧ୍ୟ ଏହି ବୟାନକୁ ଗୁରୁତ୍ୱର ସହ ନେଇଥିବା କଂଗ୍ରେସ ମହଲରୁ ଜାଣିବାକୁ ମିଳିଛି । ପୂର୍ବରୁ ମଧ୍ୟ ପ୍ରଦୀପ ମାଝୀ ଅନେକ ଥର ବିବାଦ ଘେରକୁ ଆସିଛନ୍ତି । ଏପରିକି କିଛି ମାସ ଆଗରୁ ଯେତେବେଳେ ଦଳର ଶୀର୍ଷ ନେତୃତ୍ୱଙ୍କ ଦକ୍ଷତା ଉପରେ ପ୍ରଦୀପ ପ୍ରଶ୍ନ ଉଠାଇଥିଲେ ସେତେବେଳେ ଦଳ ଛାଡିବା କଥା ମଧ୍ୟ ଉଠିଥିଲା । ହେଲେ ଏହାକୁ ସଂପୂର୍ଣ୍ଣ ବିଭ୍ରାନ୍ତିକର ବୋଲି ପରବର୍ତ୍ତୀ ପର୍ଯ୍ୟାୟରେ ସେ କହିଥିଲେ ।
ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଖୁବଶୀଘ୍ର ପ୍ରଦୀପ ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ତେବେ ବଡ କଥା ହେଉଛି, ଦକ୍ଷିଣ ଓଡିଶାରେ କଂଗ୍ରେସର ବଡ ଚେହେରାଙ୍କୁ ଯଦି ଦଳରୁ ବାହାର କରାଯାଏ ତେବେ ଦଳ ହୁଏତ ଆହୁରି ଦୁର୍ବଳ ହୋଇପାରେ । କଂଗ୍ରେସ ଏଦିଗକୁ ମଧ୍ୟ ସମୀକ୍ଷା କରିବାର ଆବଶ୍ୟକତା ରହୁଛି ।