ଠକୁଥିଲେ ଜ୍ୱାଇଁ, ସହଯୋଗ କରୁଥିଲେ ଶ୍ୱଶୁର.
୫ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ଘନଘନ ଜେରା କରୁଛି କ୍ରାଇମବ୍ରାଂଚ । ତେବେ ରିମାଣ୍ଡରେ ଗୋଟିଏ ଦିନ ପରେ କ୍ରାଇମବ୍ରାଂଚ ଏଡିଜି ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ସାମନାରେ ଭାବୀ ଶ୍ୱଶୁର ଓ ଜ୍ୱାଇଁର କେଳେଙ୍କାରୀର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆଣିଛି । କିଭଳି ଭାବୀ ଶ୍ôଶୁର ଓ ଜ୍ୱାଇଁ ମିଶି ନିଯୁକ୍ତି ନାଁରେ ଠକେଇ କରୁଥିଲେ ଗୋଟିଏ ରାତିର ମାରାଥନ ଜେରା ପରେ ସତ ପଦାକୁ ଆସିଛି ।
ଟାଟା ମୋଟର୍ସ କମ୍ପାନୀରେ ନିଯୁକ୍ତି କରାଇଦେବା ନାଁରେ ଠକେଇ କରୁଥିଲେ ଆକାଶ ପାଠକ । ଏଥିପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ଆକାଉଂଟକୁ ଆସୁଥିଲା ପୁଳା ପୁଳା ଟଙ୍କା । ଆଉ ଟଙ୍କା ନେବା ପରେ ଜାଲ କାଗଜପତ୍ର ଦେଉଥିଲେ ଆକାଶ । ଖବର ଅନୁସାରେ ଟାଟା ମୋଟର୍ସ ଜାମସେଦପୁରର ଡେପୁଟି ଜେନେରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତିଙ୍କ ରିପୋର୍ଟ ଆଧାରରେ ଗତ ସେପ୍ଟେମ୍ବର ୨୩ ତାରିଖରେ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଆକାଶ ପାଠକ ବିରୋଧରେ ମାମଲା ରୁଜୁ ହୋଇଥିଲା । ଟାଟାରେ ନିଯୁକ୍ତି ନେଇ ମୋଟ ୬ଟି ଏତଲା ହୋଇଥିବାବେଳେ ଆକାଶ ନିଜକୁ ଟାଟା ମୋଟର୍ସର ଗଊ କହି ଠକୁଥିଲେ । ସେ ଟାଟାର ଜାଲ ଆଇକାର୍ଡ, ଭିଜିଟିଂ କାର୍ଡ ଓ ଇମେଲ ଆଇଡି କରି ଲୋକଙ୍କୁ ଭୂଆଁ ବୁଲାଉଥିଲେ ।ଆଉ ଏଥିରେ ତାଙ୍କୁ ସହଯୋଗ କରୁଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀମାନେ । ଅନେକ ଆଶାୟୀଙ୍କ ଠାରୁ ପ୍ରଦୀପ ପାଣିଗ୍ରାହୀ ନିଜେ ଟଙ୍କା ଆଦାୟ କରୁଥିଲେ ।
ଏପରିକି ଜାଲ ନିଯୁକ୍ତି ପତ୍ର ପାଇଥିବା ଯୁବକ ଯୁବତୀ ମାନଙ୍କ ପାଇଁ ଅନଲାଇନ ଟ୍ରେନିଂ ମଧ୍ୟ ସରିଥିଲା । ପିଏ ଡେଭିଡ ପିଟରଙ୍କୁ ପଚରାଉଚରା ପରେ ଏହି ତଥ୍ୟ ଏବେ ସାମନାକୁ ଆସିଛି । ତେବେ ଚାକିରି ପାଇଁ ଟଙ୍କା ଦେଇଥିବା ଅନେକ ଆଶାୟୀ ଏବେ ଭୟରେ ମୁହଁ ଖୋଲୁନଥିବା କହିଛନ୍ତି କ୍ରାଇମବ୍ରାଂଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ଏହି ରିମାଣ୍ଡ ଅବଧିରେ ଆକାଶଙ୍କ ଠାରୁ ଅନେକ ସତ ଓଗାଳିପାରେ କ୍ରାଇମବ୍ରାଂଚ । ଏହା ପୂର୍ବରୁ ଏସଆଇଟି ୩ ଦିନିଆ ରିମାଣ୍ଡରେ ପାଠକ ବାପ, ପୁଅଙ୍କୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲା ।