ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ
ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜାମିନ ପାଇବା ପରେ ଝାରପଡ଼ା ଜେଲରୁ ପ୍ରଦୀପ । ଆଜି ସେ ଜେଲରୁ ମୁକୁଳିବା ସମୟରେ ତାଙ୍କ ସାଙ୍ଗରେ ତାଙ୍କ ପତ୍ନୀ ରହିଥିବା ଦେଖିବାକୁ ମିଳିଥିଲା । ୬ଟି ମାମଲାରେ ଗୋପାଳପୁର ବିଧାୟକ ଜେଲରେ ଥିଲେ । ଶୁକ୍ରବାର ଷଷ୍ଠ ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିଲେ ପ୍ରଦୀପ । ବିଧାୟକ ପ୍ରଦୀପ ପାଣିଗ୍ରାହୀ ଡିସେମ୍ବର ୩ ତାର୍ରିଖରେ ଗିରଫ ହୋଇଥିଲେ ।
ଠକେଇ, ଜାଲିଆତି ଭଳି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା । ତା ସହିତ ଅପରାଧିକ ଷଡଯନ୍ତ୍ର ନେଇ ମଧ୍ୟ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ଥିଲା । ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ସେ ଆଜି ଜେଲରୁ ବାହାରିଛନ୍ତି । ଗଣମାଧ୍ୟମରେ କୌଣସି ବିବୃତ୍ତି ନଦେବାକୁ ତଥା ସାକ୍ଷୀମାନଙ୍କୁ ଧମକଚମକ ନଦେବାକୁ ସର୍ତ୍ତ ରଖିଛନ୍ତି କୋର୍ଟ। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତା’ସହିତ ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟଙ୍କ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ୫ଟି ମାମଲାରେ ତାଙ୍କୁ ଜାମିନ ମିଳିଥିଲା। ଗତକାଲି ଷଷ୍ଠ ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଜରିଆରେ ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଗଞ୍ଜାମର ଭିନ୍ନ ଭିନ୍ନ ଥାନାରେ ତାଙ୍କ ନାଁରେ ଏକାଧିକ ମାମଲା ରୁଜୁ ହୋଇଥିଲା।