ବିଜେଡିର ‘ବଳ’ବନ୍ତରାୟ
ନୁଆ ଓଡିଶା ଓ ବିକଶିତ ଓଡିଶା ସ୍ୱପ୍ନକୁ ସାକାର କରିବାକୁ ଗତ ଦୁଇ ଦଶନ୍ଧି ଧରି ନିରନ୍ତର ପ୍ରୟାସ ଜାରି ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମର୍ଥ ସାରଥୀ ସାଜିଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ । ଧର୍ମଶାଳାରୁ ଦୁଇ ଦୁଇ ଥର ବିଧାୟକ ହୋଇ ନିର୍ବାଚିତ ହୋଇଥିବା ଏହି ନେତା ଏବେ ଦଳର ଯୁବ ବ୍ୟାପାର ସାଧାରଣ ସଂପାଦକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏହି ପଦରୁ ଆପଣ ବୁଝିପାରୁଥିବେ, ଦଳକୁ ଆଗକୁ ବଢାଇବାରେ କେଉଁ ଭୁମିକାରେ ଦଳର ସୁପ୍ରିମୋ ପ୍ରଣବଙ୍କୁ ଦେଖିବାକୁ ଚାହୁଁଛନ୍ତି । ଯୁବ ଶକ୍ତି ଉପରେ ଅଧିକରୁ ଅଧିକ ନିବେଶ କରିବାକୁ ଯେଉଁ ରଣନୀତି ତିଆରି କରାଯାଇଛି ତାର ସେନାପତି ସାଜିଛନ୍ତି ପ୍ରଣବ । ନିଜକୁ କେବଳ ଧର୍ମଶାଳା ରାଜନୀତିରେ ସୀମିତ ରଖିନାହାନ୍ତି, ବରଂ ରାଜ୍ୟସ୍ତରୀୟ ନେତା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ନିଜ ପାଇଁ ପଦ ପଦବୀକୁ ସବୁବେଳେ ଗୈାଣ ଭାବୁଥିବା ଏହି ନେତା ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ କୈାଣସି ସରକାରୀ ପଦ ପଦବୀ ଗ୍ରହଣ କରିବାକୁ ଚାହିଁନାହାନ୍ତି । ସରକାରୀ ଉପମୁଖ୍ୟ ସଚେତକ ପଦରେ ରହିବା ବଦଳରେ ସେ ବାଛିଥିଲେ ଦଳକୁ ତୃଣମୁଳ ସ୍ତରରେ ସଂଗଠିତ ଆଉ ଶକ୍ତିଶାଳୀ କରିବାକୁ । କାରଣ ସେ ଭଲ ଭାବେ ବୁଝିଛନ୍ତି, ଦଳ ସୁଦୃଢ ରହିଲେ ହିଁ ପଦ ପଦବୀ ପଛକୁ ପଛ ଚାଲିଥିବ । ବାସ୍ ଏହି ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ସେ ଆଗକୁ ବଢିଚାଲିଛନ୍ତି । ଜିଲ୍ଲାରୁ ଜିଲ୍ଲା ବୁଲି ଛାତ୍ର ଏବଂ ଯୁବ ସମ୍ମିଳନୀରେ ସାମିଲ ହୋଇ ଦଳର ମିଶନ୍ ଆଉ ଭବିଷ୍ୟତର ରଣନୀତି ସଂକ୍ରାନ୍ତରେ ଅବଗତ କରାଉଛନ୍ତି । ନବୀନଙ୍କ ସ୍ୱପ୍ନ ଆଉ ବିକଶିତ ଓଡିଶାର ଲକ୍ଷ୍ୟ ବାବଦରେ ଯୁବକଙ୍କ ସହ ଆଲୋଚନା କରୁଛନ୍ତି । ଛାତ୍ର ଏବଂ ଯୁବ ସମାଜକୁ ଦଳ ସହ ଯୋଡିବା ପାଇଁ ନିରନ୍ତର ପ୍ରୟାସ କରିଚାଲିଛନ୍ତି ।

୨୦୧୪ରେ ବିଜୁ ଜନତା ଦଳର ବିଜୟ ପଛର ନାୟକ ସାଜିଥିବା କଳ୍ପତରୁ ଦାସଙ୍କ ପୁଅ ହେଉଛନ୍ତି ପ୍ରଣବ ବଳବନ୍ତରାୟ । ୨୦୧୨ରେ ପ୍ୟାରୀ ମୋହନ ମହାପାତ୍ରଙ୍କ ମିଡନାଇଟ ଅପରେସନ ବିଫଳ ହେବା ପରେ ବିଜେଡି ଯେଉଁ ଆହ୍ୱାନର ଶୀକାର ହୋଇଥିଲା, ତାକୁ କଳ୍ପତରୁ ଦାସ ନିଜ ବୁଦ୍ଧି ଏବଂ ରଣନୀତି ବଳରେ ପ୍ରତିହତ କରିଥିଲେ । ୨୦୧୪ ପାଇଁ ଦଳର ଟିକେଟ ଚୟନ ଠାରୁ ଆରମ୍ଭ କରି ପ୍ରଚାର ଏବଂ ଜିଲ୍ଲାରୁ ଜିଲ୍ଲା ବୁଲି ବଳ ଗୋଟାଇବାର ସିହଭାଗ କାମକୁ ସଫଳତାର ସହ ନିର୍ବାହ କରିଥିଲେ କଳ୍ପତରୁ । ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ ସେ ରାଜ୍ୟସଭା ଯାଇଥିଲେ । କାରଣ ସେ ଜାଣିଥିଲେ, ଦଳକୁ ୨୦୧୪ରେ କ୍ଷମତାକୁ ଆଣିବାକୁ ତାଙ୍କ ଉପରେ ମୁଖିଆ ଅଜସ୍ର ବିଶ୍ୱାସ କରିଛନ୍ତି । ବାସ୍, ଏହି ଗୋଟିଏ ବାକ୍ୟକୁ ମୁଣ୍ଡ ଭିତରେ ରଖୀ ସେ ଦଳ ପାଇଁ ନିଜର ସମସ୍ତ ସମୟକୁ ଉତ୍ସର୍ଗ କରିଥିଲେ । ୨୦୧୪ରେ ସାରା ଦେଶରେ ମୋଦି ଲହର୍ ସତ୍ୱେ ରାଜ୍ୟରେ ନବୀନ ସୁନାମୀ ଆସିଥିଲା । ଆଉ ଏହାର ନାୟକ ଥିଲେ କଳ୍ପତରୁ ଦାସ୍ ।

ବାପାଙ୍କ ଏହି ମିଶନ ଏବେ ପୁଅ ଆଗକୁ ବଢାଉଛନ୍ତି । ବାପାଙ୍କ ଦେହାନ୍ତ ପରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସହ ବିଜୁ ଜନତା ଦଳକୁ ଆଗକୁ ବଢାଇବାର ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି ପ୍ରଣବ ବଳବନ୍ତରାୟ । ବବି-ବ୍ୟୋମକେଶ-ବଳବନ୍ତରାୟଙ୍କ ଯୋଡି ଏବେ ବିଜେଡି ଭିତରେ ଯଦିଓ ଇର୍ଷାର କାରଣ ପାଲଟିଛନ୍ତି, ହେଲେ ତାଙ୍କ କାର୍ଯ୍ୟଶୈଳୀ ଯେହେତୁ ଦଳର ବିକାଶ ପାଇଁ ରହିଛି ତେଣୁ ସୁପ୍ରିମୋଙ୍କ ଅଗାଢ ବିଶ୍ୱାସ ଏମାନଙ୍କ ଉପରେ ରହିଛି । ଯୁବ ଆଉ ଛାତ୍ର ବ୍ୟାପାର ବାବଦରେ ଏହି ତିନି ଯୁବ ନେତା ହିଁ ନିଷ୍ପତ୍ତି ନେଇଚାଲିଛନ୍ତି । ମୁଖିଆଙ୍କ ସମ୍ମତି ସହ ଯେଉଁ ରଣନୀତି ପ୍ରସ୍ତୁତ କରୁଛନ୍ତି, ତାକୁ ସଫଳତାର ସହ କାର୍ଯ୍ୟକାରୀ ବି କରାଉଛନ୍ତି ।

ମୟୁରଭଂଜରେ ଦଳର ସଂଗଠନକୁ ଆହୁରି ସୁଦୃଢ କରିବାକୁ ମୟୁରଭଂଜ ପ୍ରିମିୟର ଲିଗର ଯେଉଁ ପରିକଳ୍ପନା କରଯାଇଥିଲା, ତାପଛରେ ପ୍ରଣବଙ୍କର ଥିଲା ବଡ ଭୁମିକା । ଖେଳ ଜରିଆରେ ଯୁବଶକ୍ତିକୁ ଦଳ ସହ ଯୋଡିବା ପାଇଁ ରଣନୀତି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ଏହି ନେତା । ବିଭିନ୍ନ ଜିଲ୍ଲାକୁ ଏହା ବ୍ୟପ୍ତ କରିବାକୁ ମଧ୍ୟ ସେ ଉଦ୍ୟମ କରିଚାଲିଛନ୍ତି । ପଶ୍ଚିମରୁ ଆରମ୍ଭ କରି ଦକ୍ଷିଣ, ଉପକୁଳରୁ ଆରମ୍ଭ କରି ଉତ୍ତର ସବୁଠି ବିଜେଡି ସପକ୍ଷରେ ହାୱା ବୁହାଇବାକୁ ଉଦ୍ୟମ ଚାଲିଛି । ପଂଚାୟତ ନିର୍ବାଚନ ଆଗରୁ ସମଗ୍ର ୩୦ ଜିଲ୍ଲାରେ ଛାତ୍ର ଏବଂ ଯୁବ ସଂଗଠନକୁ ଶକ୍ତିଶାଳୀ କରାଇବାକୁ ଅଂଟା ଭିଡିଛନ୍ତି ପ୍ରଣବ ।

ଜଣେ ଦରଦୀ ମଣିଷ ଭାବେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସେ ସୃଷ୍ଟି କରିପାରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ କାହାର ଅସୁବିଧା ହେବା କ୍ଷଣି ତୁରନ୍ତ ସେଠାରେ ପହଁଚିବା ସହ ସମର୍ଥ ମୁତାବକ ସେବା ଦେଇ ଲୋକଙ୍କ ହୃଦୟ ଜିତିଛନ୍ତି । ଆଉ ଦଳ ଯେତେବେଳେ ଯେଉଁ ସମୟରେ ତାଙ୍କୁ ଖୋଜିଛି, ସମୟ ଦେଇ ଦଳ ପାଇଁ କାର୍ଯ୍ୟ କରିଛନ୍ତି ।

ଦଳର ସାଂଗଠନିକ ସଂପାଦକ ପ୍ରଣବ ବଳବନ୍ତରାୟଙ୍କ ଏକାନ୍ତ ବିଶ୍ୱସ୍ତ ଏବଂ ଅନୁଗତ ହେଉଛନ୍ତି ପ୍ରଣବ ବଳବନ୍ତରାୟ । ଗୋଟିଏ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀରୁ ଉଭୟେ ଆସିଥିବାରୁ ସେମାନଙ୍କର ଚିନ୍ତାଧାରା ଗୋଟିଏ ପ୍ରକାରର । ନିଜ ସ୍ୱାର୍ଥ ନୁହେଁ ଦଳକୁ ସ୍ୱାର୍ଥକୁ ଉଭୟେ ପ୍ରାଥମିକତା ଦେଇଥିାରୁ ମୁଖିଆଙ୍କ ଅତ୍ୟନ୍ତ ନିକଟତର ବି ହୋଇପାରିଛନ୍ତି ।

୨୦୨୨ ପଂଚାୟତ ନିର୍ବାଚନ ବବି-ବ୍ୟୋମକେଶ-ବଳବନ୍ତରାୟଙ୍କ ଯୋଡି ପାଇଁ ହେବ ପ୍ରଥମ ପରୀକ୍ଷା । ଛାତ୍ର ଏବଂ ଯୁବ ସଂଗଠନକୁ ଶକ୍ତିଶାଳୀ କରାଇ କିଭଳି ଭୋଟ ରାଜନୀତିରେ ପ୍ରତିପକ୍ଷଙ୍କୁ ପଛରେ ରଖାଯାଇପାରିବ, ତାର ଟେଷ୍ଟ ଦେବେ ଏହି ନେତା । ଅନୁମାନ କରାଯାଉଛି ସଫଳତାର ସହ ଏହି ପରୀକ୍ଷାକୁ ଅତିକ୍ରମ କରି ଏହି ତିନି ନେତା ବିଜେଡିର ଭବିଷ୍ୟତ ହେବାକୁ ଯାଉଛନ୍ତି । ଅର୍ଥାତ୍ ଏହି ତିନି ନେତା ଯେବେ ଯାଏଁ ଦଳର ସଂଗଠନ କଥା ବୁଝିବେ ସେବେଯାଏଁ ଦଳ କ୍ଷମତା ରଜନୀତିରେ ରହିଥିବ ।