ଦାଗୀ ନେତାଙ୍କୁ ଦୂରୁ ଜୁହାର !
୨୦୦୦ ମସିହାରେ ଯେଉଁ ଆଭିମୁଖ୍ୟ, ୨୦୨୧ରେ ବି ସେହି ସମାନ ଆଭିମୁଖ୍ୟ । ବିବାଦୀୟ ନେତାଙ୍କୁ ସାଇଡଲାଇନ । ଦୀର୍ଘ ୨୧ ବର୍ଷ ହେବ ବିଜେଡି ସୁପ୍ରିମୋ ନବୀନଙ୍କ ପଟ୍ଟନାୟକ ସେହି ସମାନ ଆଭିମୁଖ୍ୟ ଦେଖିବାକୁ ମିଳୁଛି । ଯାହାର ଝଲକ ପିପିଲି ଉପ-ନିର୍ବାଚନ ପାଇଁ ବିଜେଡିର ଘୋଷଣା ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ଦେଖିବାକୁ ମିଳିଛି । ଦକ୍ଷ ନେତା ହୋଇଥିଲେ ମଧ୍ୟ ବିବାଦୀୟ ଟ୍ୟାଗ୍ ଲାଗିଥିବାରୁ ଷ୍ଟାର ପ୍ରଚାରକୁ ତାଲିକାରୁ ବାଦ୍ ଦେଇଛନ୍ତି ବିଜେଡି ମୁଖିଆ । ଆଉ ବିବାଦୀୟ ନେତାଙ୍କ ମଧ୍ୟରେ ଏମିତି କିଛି ନାଁ ରହିଛି ଯେଉଁମାନେ ପୂର୍ବ ନିର୍ବାଚନ ଗୁଡିକରେ ଦଳର ଷ୍ଟ୍ରାଟେଜିଷ୍ଟ ଭାବେ ଜଣାଶୁଣା ଥିଲେ । ଏପରିକି ନିର୍ବାଚନ ପରିଚାଳନାରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଥିଲେ ସୁଦ୍ଧା ପ୍ରଚାର ପାଇଁ ସୁଯୋଗ ଦେଇନାହାନ୍ତି ନବୀନ । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି କିଛି ମନ୍ତ୍ରୀ ଓ ସାଂସଦ ।
ଅରୁଣ ସାହୁ : ଉଚ୍ଚଶିକ୍ଷା ଓ କୃଷି ବିଭାଗର ମନ୍ତ୍ରୀ ଥିବା ଅରୁଣ ସାହୁ ବିଜେଡି ଦଳର ଅଭିଜ୍ଞ ରାଜନେତା । ଛାତ୍ରନେତାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଅରୁଣ ବିଜେଡିର ହେଭିୱେଟ ନେତାଙ୍କ ଭିତରେ ଜଣାଶୁଣା । ଏପରିକି ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିର ଷ୍ଟ୍ରାଟେଜି ମେକର ରହି ଆସିଛନ୍ତି ଅରୁଣ । ଛାତ୍ର ଓ ଯୁବ ସଙ୍ଗଠନ ସହ ଦୀର୍ଘବର୍ଷ ଜଡିତ ରହିଥିବା ଅରୁଣଙ୍କୁ ପୂର୍ବ ନିର୍ବାଚନ ଗୁଡିକରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି ଦଳ । କିନ୍ତୁ ପରୀ ପ୍ରସଙ୍ଗରେ ବିବାଦୀୟ ହୋଇପଡିଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ଆଉ ବୋଧହୁଏ ଆଡ ଆଖିରେ ଚାହୁଁନାହାନ୍ତି । ପରୀ ପ୍ରସଙ୍ଗ ନବୀନ ସରକାର ପାଇଁ ବଡ ବିପଦ ସାଜି ଉଭା ହୋଇଥିଲା । ଯେଉଁ ପ୍ରସଙ୍ଗ ସରକାରଙ୍କ ଭାବମୂର୍ତ୍ତି ସହ ନଷ୍ଟ କରିବା ସହ ଲୋକଙ୍କ ଭିତରେ ସରକାର ବିରୋଧରେ ଆକ୍ରୋଶମୂଳକ ବାତାବରଣ ସୃଷ୍ଟି କରିଥିଲା । ତେଣୁ ଏଭଳି ନେତାଙ୍କୁ ପ୍ରଚାର ମୈଦାନକୁ ନେବାକୁ ଉଚିତ ମଣିନାହାନ୍ତି ବିଜେଡି ସୁପ୍ରିମୋ । କାଳେ ଅରୁଣଙ୍କ ପ୍ରଚାର ବିଜେଡି ବୁମେରାଂ ସାଜିବ ସେଥିପାଇଁ ଦଳୀୟ ସୁପ୍ରିମୋ ତାଙ୍କୁ ପିପିଲି ପଲିଟିକ୍ସରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରଖିଥିବା ନେଇ ଚର୍ଚ୍ଚା ହେଉଛି ।
ପ୍ରତାପ ଜେନା : ନବୀନଙ୍କ ପଞ୍ଚମ ପାଳିରେ ସବୁଠୁ ଦକ୍ଷ ମନ୍ତ୍ରୀ ଭାବେ ନାଁ କମାଇଥିଲେ ପ୍ରତାପ ଜେନା । କିନ୍ତୁ ମାହାଙ୍ଗା ଡର୍ବଲ ମର୍ଡର ଘଟଣା ମନ୍ତ୍ରୀଙ୍କୁ ମହାବିବାଦୀୟ ଚରିତ୍ରରେ ଛିଡା କରାଇଥିଲା । ଆଉ ଏଥିପାଇଁ ମନ୍ତ୍ରୀଙ୍କ ଉପରେ ନବୀନଙ୍କର କୋପ ଦୃଷ୍ଟି ପଡିଥିବା କୁହାଯାଉଛି । କାରଣ ମାହାଙ୍ଗା ଘଟଣା ପ୍ରତାପଙ୍କ ପାଇଁ ଯେତିକି ଅଡୁଆ ବଢାଇନି ତାହା ଠାରୁ ଅଧିକ ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରୁଛି । ମାହାଙ୍ଗା ମର୍ଡର ଘଟଣାକୁ ନେଇ ବିରୋଧୀ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ତାହା ବିଜେଡି ପାଇଁ ବଡ ବିପଦ ସାଜି ଉଭା ହୋଇଛି । ଖାସକରି ହତ୍ୟା ଅଭିଯୋଗ ଥିବା ପ୍ରତାପଙ୍କୁ କିଭଳି ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି ନବୀନ ତାହାକୁ ନେଇ ବାରମ୍ବାର ପ୍ରଶ୍ନବାଣ ଛାଡୁଛନ୍ତି ବିରୋଧୀ ବିଜେପି । ଏଭଳି ସ୍ଥିତିରେ ପ୍ରତାପଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇ ପୁଣିଥରେ ଅଡୁଆରେ ପଡିବାକୁ ଚାହୁଁନାହାନ୍ତି ନବୀନ । ବରଂ ନିର୍ବାଚନ ଠାରୁ ଦୂରେଇ ରହିବାକୁ ଆଇନମନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଥିବା ଚର୍ଚ୍ଚା ହେଉଛି । କାରଣ ପ୍ରଚାର ମୈଦାନରେ ପ୍ରତାପଙ୍କୁ ଏଣ୍ଟ୍ରି କରାଇବା ଅର୍ଥ ବିରୋଧୀ ବିଜେପିକୁ ନବୀନଙ୍କୁ ଟାର୍ଗେଟ କରିବାର ସୁଯୋଗ ଦେବା । ତେଣୁ ପିପିଲି ଭଳି ହାଇଭୋଲଟେଜ ଆସନରେ ଅଡୁଆରେ ପଡିବାକୁ ଚାହୁଁନାହିଁ ଦଳ ।
ବିକ୍ରମ ଆରୁଖ : ନବୀନ ସରକାରଙ୍କର ସବୁଠୁ ପୁରୁଣା ତଥା ଅଭିଜ୍ଞ ମନ୍ତ୍ରୀ । ପ୍ରତି ନିର୍ବାଚନରେ ବିକ୍ରମଙ୍କୁ ଖୋଜିଥାନ୍ତି ବିଜେଡି ସୁପ୍ରିମୋ । କିନ୍ତୁ ପିପିଲି ପ୍ରଚାରରେ ବିକ୍ରମଙ୍କ ପାଇଁ ନୋ ଏଣ୍ଟ୍ରିର ଲକ୍ଷ୍ମଣରେଖା ଟାଣିଛନ୍ତି ନବୀନ । ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦେଇ କିଛି ଏଭଳି ସଂକେତ ଦେଇଛନ୍ତି ନବୀନ । ଆଉ ଏହା ପଛର କାରଣ ହେଉଛି ଜଙ୍ଗଲ ନିଆଁ । ଚଳିତଥର ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ରାଜ୍ୟ ସରକାରଙ୍କୁ ବେଶ ହଲାପଟା ହେବାକୁ ପଡିଥିଲା । କିନ୍ତୁ ଜଙ୍ଗଲ ମନ୍ତ୍ରୀ ଭାବେ ବିକ୍ରମ ଆରୁଖଙ୍କର ବେପରୁଆ ବୟାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ବିରୋଧୀଙ୍କ ପାଇଁ ବାଟ କାଢିଥିଲା । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପ୍ରସଙ୍ଗରେ ନବୀନ ସରକାର ବିରୋଧରେ ବର୍ଷିଥିଲେ ରାଜ୍ୟର ଲୋକେ । ଜଙ୍ଗଲ ନିଆଁ ବ୍ୟାପିବା ଓ ଏଥିପାଇଁ ତତ୍ପରତା ନଦେଖାଇବା ପୂରା ଦେଶରେ ଓଡ଼ିଶା ସରକାରକୁ ନିନ୍ଦିତ କରିଥିଲା । ଆଉ ଏହି ଘଟଣାକୁ ବେଶ ବିବାଦୀୟ ହୋଇପଡିଥିଲେ ବିକ୍ରମ । ତେଣୁ ବିକ୍ରମଙ୍କୁ ମଧ୍ୟ ପିପିଲିରେ ପାଦ ନ ପକାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଚର୍ଚ୍ଚା ହେଉଛି ।
ଅନୁଭବ ମହାନ୍ତି : କେନ୍ଦ୍ରାପଡା ସାଂସଦ ଅନୁଭବ । କେବେ ବିଜେଡିର କ୍ରାଉଡ ପୁଲର ଥିବା ଅନୁଭବ ଏବେ ଦଳରେ ଅଲୋଡା । ଆଉ ଏହା ପଛର କାରଣ ହେଲା ଅନୁଭବଙ୍କ ବିବାଦୀୟ ଭାବମୂର୍ତ୍ତି । ପତ୍ନୀ ବର୍ଷାଙ୍କ ସହ ପାରିବାରିକ କଳହକୁ ନେଇ ବିବାଦୀୟ ହୋଇ ପଡିଥିବା ଅନୁଭବଙ୍କୁ ଆଉ ବୋଧହୁଏ ପାଖ ପୂରାଇବାକୁ ଚାହୁଁନାହାନ୍ତି ବିଜେଡି ସୁପ୍ରିମୋ । ବିବାଦୀୟ ଚରିତ୍ର ପାଇଁ ଏବେ ଅନୁଭବଙ୍କୁ ଲୋକେ ପୂର୍ବଭଳି ଆଉ ପସନ୍ଦ କରୁନାହାନ୍ତି । ତେଣୁ ତାଙ୍କ ପ୍ରଚାର ମୈଦାନରେ ସାମିଲ କରି ଭୋଟ ହରାଇବାକୁ ଦଳ ଚାହୁଁନଥିବା ଚର୍ଚ୍ଚା ହେଉଛି । ୨୦୧୯ ନିର୍ବାଚନ ପୂର୍ବରୁ ପ୍ରଚାର ମୈଦାନରେ ଅନୁଭବଙ୍କୁ ଆଗ ଖୋଜା ପଡୁଥିବା ବେଳେ ଏବେ କିନ୍ତୁ ପ୍ରଚାର ମୈଦାନର ପାଖ ଯେପରି ଅନୁଭବ ନ ମାଡନ୍ତି ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଦଳୀୟ ମହଲରୁ ଶୁଣିବାକୁ ମିଳୁଛି । ଯେଉଁଥିପାଇଁ ତାଙ୍କୁ ପିପିଲି ପାଇଁ ଘୋଷଣା ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରୁ ନବୀନ ବାଦ୍ ଦେଇଥିବେ ବୋଲି କୁହାଯାଉଛି । ସେହିଭଳି ନିର୍ବାଚନ ପରିଚାଳନାରେ ବେଶ ଦକ୍ଷ ଥିବା ରାଜା ସ୍ୱାଇଁଙ୍କୁ ମଧ୍ୟ ସମଦଶା ଭୋଗିବାକୁ ପଡିଛି । ମଣ୍ଡି ଅବ୍ୟବସ୍ଥାକୁ ନେଇ ସରକାରଙ୍କ ବିରୋଧରେ ଲୋକଙ୍କର ଯେଉଁ ଆଭିମୁଖ୍ୟ ରହିଛି ତାହାକୁ ପୁଣିଥରେ ଉଜ୍ଜୀବୀତ କରିବାକୁ ଚାହୁଁନାହାନ୍ତି ସରକାର । ଧାନ ମଣ୍ଡି ସମସ୍ୟାକୁ ନେଇ ଯେପରି ଚାଷୀଙ୍କ ଭୋଟ ହାତଛଡା ନହେଉ ସେଥିପାଇଁ ରାଜା ସ୍ୱାଇଁଙ୍କୁ ପିପିଲି ପ୍ରଚାର ମୈଦାନରୁ ଆଉଟ କରାଯାଇଛି । କାରଣ ଧାନ ମଣ୍ଡି ପ୍ରସଙ୍ଗରେ ବେଶ ବିବାଦୀୟ ହୋଇଥିଲେ ମନ୍ତ୍ରୀ ରାଜା ସ୍ୱାଇଁ ।
ଅରୁଣ, ପ୍ରତାପ, ବିକ୍ରମ, ରଣେନ୍ଦ୍ର, ଅନୁଭବଙ୍କ ଭଳି ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡିଥିବା ବେଳେ ବିବାଦୀୟ ନେତାଙ୍କୁ ନବୀନ ସାଇଡଲାଇନ କରୁଥିବା ନେଇ ସଂକେତ ଦେଇଛନ୍ତି । କାରଣ ଦୀର୍ଘ ୨୧ ବର୍ଷ ହେବ ଶାସନ କ୍ଷମତାରେ ବସିଥିବା ନବୀନ ଓଡ଼ିଶା ରାଜନୀତିକୁ ବେଶ ଭଲ ଭାବେ ବୁଝିସାରିଛନ୍ତି । ଦାଗୀ ନେତାଙ୍କୁ ଦାୟିତ୍ୱ ଦେଲେ ଦଳର ବିଜୟ ରଥରେ ବ୍ରେକ ଲାଗିବ ଏହାର ଅନ୍ଦାଜ ବୋଧେ ପୂର୍ବରୁ ଲଗାଇ ସାରିଛନ୍ତି ନବୀନ ।ଏବେ ଏବେ କେବଳ ପ୍ରଚାର ମୈଦାନରୁ ଆଉଟ କରିଥିବା ବେଳେ ଆଗକୁ ପନିସମେଣ୍ଟ ବାବଦରେ ନବୀନ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ରହିବ ସମସ୍ତଙ୍କର ନଜର ।