ଆମେ କ’ଣ ପାପୀ?
ମନ୍ତ୍ରୀ ପ୍ରତାପ ଜେନାଙ୍କ ପାପୀ ଉପଖ୍ୟାନକୁ ନେଇ ଏବେ ଆରମ୍ଭ ହୋଇଛି ନୂଆ ବିବାଦ । ବିଜେପି ବିଧାୟକଙ୍କୁ ବାଧିଛି ମନ୍ତ୍ରୀଙ୍କ ମନ୍ତବ୍ୟ । ଆଜି ବିଧାନସଭାରେ ମଧ୍ୟ ପ୍ରତାପ ଜେନାଙ୍କ ପାପ ଧୋଇବା ପ୍ରସଙ୍ଗ ଉଠିଛି । ଯାହାକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀ ଆମକୁ ଏପରି ଅପମାନିତ କରିବେ । ଆମେ କଣ ପାପୀ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । । ।
ଗତକାଲି ବିଜେପି ବିଧାୟକମାନେ ବିଧାନସଭାରୁ ନବୀନ ନିବାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ , ନବୀନ ନିବାସ ଏକ ପବିତ୍ର ସ୍ଥାନ । ଏଠାରେ ପାଦ ରଖିଲେ ପାପ ଧୋଇହୋଇଯିବ । ମନ୍ତ୍ରୀଙ୍କ ଏଭଳି ବୟାନକୁ ନିନ୍ଦା କରିଛନ୍ତି ବିଜେପି ବିଧାୟକ । ମନ୍ତ୍ରୀଙ୍କ ବୟାନ ପରେ ଆମେ ନବୀନ ନିବାସ ଭିତରକୁ ଯିବାକୁ ଚାହୁଁ ନଥିଲୁ । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଯାଇଥିଲୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।
ତେବେ ବିଜେପିର ଏଭଳି ହାଇଡ୍ରାମାକୁ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବିଜେଡି-ବିଜେପି ଭାଇ ଭାଇ ଆଗରୁ କହିଥଲୁ। କାଲି ପ୍ରମାଣିତ ହୋଇଗଲା ବୋଲି କହିଛନ୍ତି ନରସିଂହ । ବହାଘର ବରଯାତ୍ରୀ ଭଳି ନବୀନ ନିବାସ ଆଡେ ଯାଇଥିଲେ। ଫୁଲ ଚନ୍ଦନ ଲଗାଇ , ହୁଳହୁଳି ଓ ଶଙ୍ଖନାଦ କରି ଭଉଣୀ ମାନେ ମଧ୍ୟ ସ୍ୱାଗତ କରିଥିଲେ। ମନ୍ତ୍ରୀମାନେ ମଧ୍ୟ ନବୀନ ନିବାସ ଅପେକ୍ଷା କରିଥିଲେ। ବିଜେଡି ବିଧାୟକ ମାନେ ବଡ଼ିଗାର୍ଡ ଭଳି ତାଙ୍କ ପଛେପଛେ ଯାଇଥିଲେ ବୋଲି କହିଛନ୍ତି ନରସିଂହ ।