THE BYAPINI

ବାତ୍ୟା ପାଇଁ ପ୍ରସ୍ତୁତ ରୁହ..

Get real time updates directly on you device, subscribe now.

ସମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୪ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟା ‘ୟାସ’ର ରୂପ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଅଭିମୁଖେ ଗତି କରିବାର ସମ୍ଭାବନା ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ, ସ୍ଵତନ୍ତ୍ର ରିଲିଫ କମିଶନର ଓ ୧୪ଟି ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବାତ୍ୟାରେ ଜନଜୀବନ ଯେଭଳି ନଷ୍ଟ ନହୁଏ ସେଥିପ୍ରତି ବିଶେଷ ଭାବେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ସମସ୍ତ ତଳିଆ ଅଂଚଳ ଓ କଚ୍ଚାଘରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏବେ କୋଭିଡ୍ ସମୟ ହୋଇଥିବାରୁ ଗୋଟିଏ ଗୋଟିଏ ଆଶ୍ରୟସ୍ଥଳୀରେ କମ୍ ସଂଖ୍ୟକ ଲୋକଙ୍କୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ହସ୍ପିଟାଲଗୁଡ଼ିକରେ ପର୍ୟ୍ୟାପ୍ତ ପରିମାଣର ଅକ୍ସିଜେନ୍ ଯେଭଳି ମହଜୁଦ୍ ରହିବ, ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲଗୁଡ଼ିକରେ ରୋଗୀସେବା ଯେଭଳି ବାଧାପ୍ରାପ୍ତ ନହେବ ସେଥିପାଇଁ ଜେନେରେଟର ସେଟ୍‌, ପାନୀୟ ଜଳ ସମେତ ଡାକ୍ତର ଓ ନର୍ସଙ୍କ ରହିବା ଏବଂ ଖାଇବା ନିମନ୍ତେ ପର୍ୟ୍ୟାପ୍ତ ସୁବିଧା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନେ ହସ୍ୱିଟାଲଗୁଡ଼ିକରେ ବ୍ୟାପକ ପରିମାଣର ଅକ୍ସିଜେନ୍ ରଖିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବାବେଳେ ଅକ୍ସିଜେନ୍ ପାଇଁ ଗଠିତ ହୋଇଥିବା ଟାସ୍କଫୋର୍ସକୁ ମଧ୍ୟ ଅକ୍ସିଜେନ ଯୋଗାଣ, ପରିବହନ ଓ ରିଫିଲିଂ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି।

କରୋନା ମହାମାରୀ ସମୟରେ ବାତ୍ୟା ମୁକାବିଲା ନେଇ ୪ଟି ଦିଗ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର । ୧ –କରୋନା ଆକ୍ରାନ୍ତଙ୍କୁ ନିରନ୍ତର ଚିକିତ୍ସା ସେବା ଯୋଗାଇବା । ୨- ଆକ୍ରାନ୍ତଙ୍କୁ ଚିହ୍ନଟ କରିବା । ୩- ଅଧିକ ପ୍ରଭାବିତ ହେବାକୁ ଥିବା ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା । – ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ପୁନଃରୁଦ୍ଧାର କାର୍ୟ୍ୟ । ଏନେଇ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଥିବା କହିଛନ୍ତି ସ୍ଵତନ୍ତ ରିଲିଫ କମିଶନର ।
ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି । ଆଉ କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାନ୍ତି ବୋଲି କହିଛନ୍ତି ଏସଆରସି । ସେହିଭଳି କୃଷକମାନେ ସେମାନଙ୍କ କୃଷିଜାତ ଦ୍ରବ୍ୟକୁ ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ ବୋଲି ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.