THE BYAPINI

ଅପରାଜିତାଙ୍କ ଶିବିରରେ ଧର୍ମେନ୍ଦ୍ରଙ୍କ ସିପାହୀ!

Get real time updates directly on you device, subscribe now.


କଥାରେ ଅଛି ରାଜନୀତିରେ କେହି କାହାର ନୁହଁନ୍ତି । ଯେତେବେଳ ଯାଏଁ ସ୍ୱାର୍ଥ ନିହିତ ଅଛି ସେତେବେଳ ଯାଏଁ ନେତା ସାଥୀରେ ରହିବେ । ସ୍ୱାର୍ଥ ପୂରଣ ନହେଲେ ନେତା ହାତ ଛାଡିବେ । ସେଥିପାଇଁ କୁହାଯାଏ ରାଜନୀତିର ଗଣିତ ବୁଝିବା ଏତେ ସହଜ ନୁହେଁ । କେତେବେଳେ କିଏ କାହା କ୍ୟାମ୍ପରେ ଥିବ ତାହାର ଅନ୍ଦାଜ ଲଗାଇବା ମୁସ୍କିଲ ହୋଇପଡେ । ଇଏ ତ ରାଜନୀତିର ଅପ୍ରିୟ ସତ । ଆଉ ଏଥିରୁ ଓଡ଼ିଶା ନେତା ବା ବାଦ ପଡନ୍ତେ କିପରି । ଖାସକରି ରାଜ୍ୟ ପଦ୍ମ ଦଳର ପଲିଟିକ୍ସକୁ ଯଦି ବୁଝିବାକୁ ଚେଷ୍ଟା କରିବେ ତେବେ ଆପଣଙ୍କ ମୁଣ୍ଡ ଘୂରାଇଦେବ । ଆଉ ଏହି ଗେରୁଆ ଦଳର ଗୋଳିଆ ରାଜନୀତିର ସଜ ଉଦାହରଣ ସାଜି ସାମ୍ନାକୁ ଆସିଛନ୍ତି ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଯାହାଙ୍କୁ ନେଇ ଏବେ ବିଜେପି ଅନ୍ଦରମହଲରେ ଜୋରଦାର ଚର୍ଚ୍ଚା । ଚର୍ଚ୍ଚା ହେବନି ବା କେମିତି, ପୃଥ୍ୱୀରାଜ ଏମିତି ଏକ ରାଜନୈତିକ ଗୋଟି ଖେଳିଛନ୍ତି ଯାହା ଏବେ ରାଜ୍ୟ ବିଜେପିର ବଡ ବଡ ନେତାଙ୍କୁ ମଧ୍ୟ ଶଙ୍କାରେ ପକାଇଦେଇଛି ।
ପୃଥ୍ୱୀରାଜ କଲେ କି ପଟ୍ଟପରିବର୍ତ୍ତନ? ଏକଥା ଆମେ ଏଥିପାଇଁ କହୁଛୁ କାରଣ ରାଜ୍ୟ ବିଜେପିର ପୋଷ୍ଟରବୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ପୃଥ୍ୱୀରାଜଙ୍କୁ ଏବେ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି । ଦଳରେ ଧର୍ମେନ୍ଦ୍ରଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ସହ ନିଜ ନିର୍ବାଚନମଣ୍ଡଳୀ ଚିଲିକାରେ ପୃଥ୍ୱୀରାଜ ମଞ୍ଚ ସେୟାର କରିଛନ୍ତି । କେବଳ ମଞ୍ଚ ସେୟାର କରିନାହାନ୍ତି ବରଂ ନିର୍ବାଚନମଣ୍ଡଳୀରେ ଅଦିନିଆ ରୋଡ ସୋ ମଧ୍ୟ କରିଛନ୍ତି । ଦଳୀୟ ସାଂସଦଙ୍କ ସହ ରୋଡ ସୋ କରିବା ହୁଏତ ଆଶ୍ଚର୍ଯ୍ୟକର ଘଟଣା ନୁହେଁ କିନ୍ତୁ ଯେତେବେଳେ ଏହି ରୋଡ ସୋରେ ଅପରାଜିତା ସାମିଲ ହେଉଛନ୍ତି ଆଉ ତାହା ବି ପୁଣି ବିନା ନିର୍ବାଚନୀ ଋତୁରେ । ତେଣୁ ଚିଲିକାର ଏହି ଘଟଣାକୁ ନେଇ ବିଜେପି ଶିବିରରେ ଚର୍ଚ୍ଚା ହେବା ସ୍ୱାଭାବିକ । କାରଣ ଧର୍ମେନ୍ଦ୍ରଙ୍କୁ ମନ୍ତ୍ରୀ ପଦ ମିଳିବା ପରଠାରୁ ଏବେଯାଏଁ ସବୁବେଳେ ଧର୍ମେନ୍ଦ୍ରଙ୍କ ଟିମର ସବୁଠୁ ବିଶ୍ୱାସ ଓ ଭରସାଯୋଗ୍ୟ ସିପାହୀ ସାଜିଥିଲେ ପୃଥ୍ୱୀରାଜ । ଗଣମାଧ୍ୟମ ଠାରୁ ଆରମ୍ଭ କରି ଦଳର ଗ୍ରାଉଣ୍ଡ ସ୍ତର ଯାଏଁ ସବୁଠି କେନ୍ଦ୍ରମନ୍ତ୍ରୀଙ୍କ ମୁଦିରସ୍ତ ସାଜିଥିଲେ ପୃଥ୍ୱୀରାଜ । କିନ୍ତୁ ପୃଥ୍ୱୀରାଜ ହଠାତ୍ ଧର୍ମେନ୍ଦ୍ରଙ୍କ ଶିବିରରୁ ମୁହଁ ଫେରାଇ ଅପରାଜିତାଙ୍କ ଶିବିର ଆଡକୁ ମୁହାଁଇବା ରାଜନୀତିରେ ରୁଚି ରଖୁଥିବା ଲୋକଙ୍କୁ ମଧ୍ୟ ଚକିତ କରିଛି । ଆଉ କୁହାଯାଉଛି ଏହା ପଛର ସବୁଠୁ ବଡ କାରଣ ହେଲା ପୃଥ୍ୱୀରାଜଙ୍କ ପଲିଟିକାଲ ଭବିଷ୍ୟତ ।
ବିଜେପିର ଅନ୍ଦର ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଧର୍ମେନ୍ଦ୍ରଙ୍କ ଖାସ ତଥା ଅନୁଗତ ପୃଥ୍ୱୀରାଜ ଏବେ ନିଜର ସୁରକ୍ଷିତ ରାଜନୈତିକ ଭବିଷ୍ୟତ ପାଇଁ ଅପରାଜିତାଙ୍କ ଆର୍ଶୀବାଦ ନେବାକୁ ମନ ବଳାଇଛନ୍ତି । କାରଣ ଧର୍ମେନ୍ଦ୍ରଙ୍କ ଅନୁଗତର ଟ୍ୟାଗ୍ ପାଇ ମଧ୍ୟ ରାଜ୍ୟ ସଭାପତି ପଦ ନ ମିଳିବା ପୃଥ୍ୱୀରାଜଙ୍କୁ ବ୍ୟଥିତ କରିଛି । ଆଉ ଅନ୍ୟପଟେ ଦଳର ତୃଣମୂଳସ୍ତରର କର୍ମୀଙ୍କ ମଧ୍ୟରେ ଅପରାଜିତାଙ୍କ ବଢୁଥିବା କ୍ରେଜକୁ ବୋଧହୁଏ ଭଲ ଭାବରେ ପରଖିଛନ୍ତି ପୃଥ୍ୱୀରାଜ । ଯାହା ଆଗାମୀ ନିର୍ବାଚନରେ ପୃଥ୍ୱୀରାଜଙ୍କ ପାଇଁ ଭୋଟବ୍ୟାଙ୍କ୍ ହୋଇପାରେ । ଏହାଛଡା ଆଗାମୀ ଭବିଷ୍ୟତରେ ଯଦି ପେଟ୍ରୋଲ ଦର ପୋଷ୍ଟରବୟଙ୍କୁ ପାୱାରଲେସ କରିଦିଏ ତେବେ ପଦ୍ମ ଦଳର ପାୱାର ପଲିଟିକ୍ସରେ ଅପରାଜିତା ସବୁଠୁ ବଡ ଚେହେରା ଭାବେ ଉଭା ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ସାଂସଦ ଭାବେ ଅପରାଜିତାଙ୍କ ଦିଲ୍ଲୀ ଲିଙ୍କ୍ ଦଳର ଅନ୍ୟ ସାଂସଦ ଓ ନେତାଙ୍କ ଠାରୁ ବେଶ ଭଲ । ତେଣୁ ଏବେଠୁ ଅପରାଜିତାଙ୍କ କ୍ୟାମ୍ପରେ ଆଶ୍ରୟ ନେବାକୁ ବୋଧହୁଏ ମନ ବଳାଇସାରିଲେଣି ପୃଥ୍ୱୀରାଜ । ଯେଉଁଥିପାଇଁ ମନ୍ତ୍ରୀଙ୍କ କ୍ୟାମ୍ପରୁ ମୁହଁ ମୋଡି ଏବେ ସାଂସଦଙ୍କ ଶିବିର ଆଡକୁ ପାଦ ବଢାଉଛନ୍ତି ପୃଥ୍ୱୀରାଜ ।
ପୃଥ୍ୱୀରାଜଙ୍କ ଏହି ପଲିଟିକାଲ ଷ୍ଟଣ୍ଟ ଦେଖି ଭୁବନେଶ୍ୱର ସାଂସଦଙ୍କ ସମର୍ଥକ ମଧ୍ୟ ବେଶ ଖୁସିଥିବା ଜଣାପଡିଛି । କାରଣ ଦଳ ଭିତରେ ଧର୍ମେନ୍ଦ୍ର-ଅପରାଜିତାଙ୍କ ସର୍ମ୍ପକ କାହାକୁ ଅଛପା ନାହିଁ । ଗୋଟିଏ ପଟେ ଧର୍ମେନ୍ଦ୍ର ଦଳୀୟ ସଙ୍ଗଠନକୁ ସାଥୀରେ ଧରି ନିଜକୁ ରାଜ୍ୟ ବିଜେପିର ସର୍ବେସର୍ବା ଭାବୁଥିବା ବେଳେ ଅନ୍ୟପଟେ ନିଜସ୍ୱ ସଙ୍ଗଠନ ମାଧ୍ୟମରେ ରାଜ୍ୟରେ ନିଜର ଲୋକପ୍ର୍ରିୟତାର ପ୍ରମାଣ ଦେବାକୁ ଅହରହ ଉଦ୍ୟମ କରୁଛନ୍ତି ଅପରାଜିତା । ଆଉ ଏଭଳି ସମୟରେ ଧର୍ମେନ୍ଦ୍ରଙ୍କ କ୍ୟାମ୍ପର ଜଣେ ଅନୁଗତ ଅପରାଜିତାଙ୍କ ଶିବିର ଆଡେ ମୁହାଁଇବା ଭୁବନେଶ୍ୱର ସାଂସଦଙ୍କ ପାଇଁ ବଡ ବାଜି ଜିତିବା ଠାରୁ ମଧ୍ୟ କିଛି କମ୍ ନୁହେଁ । ତେବେ ଏସବୁ ଭିତରେ ଅପରାଜିତାଙ୍କ ଆର୍ଶୀବାଦ ପାଇଥିବା ପୃଥ୍ୱୀରାଜଙ୍କ ପଲିକଟିକାଲ କ୍ୟାରିୟରର ଗାଡି କେତେ ସ୍ପିଡରେ ଆଗକୁ ଗତି କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିବ ।

Get real time updates directly on you device, subscribe now.

Leave A Reply

Your email address will not be published.