THE BYAPINI

ଆନ୍ନାଙ୍କଠୁ ଅନ୍ନଦାତା: ଏଇ ମାଟିରେ ଅନେକ ଆନ୍ଦୋଳନ …

Get real time updates directly on you device, subscribe now.

ଯେବେଯେବେ ଭାରତ ମାଟିରେ ଆନ୍ଦୋଳନ ଉଗ୍ରରୂପ ନେଇଛି ସେବେସେବେ ଅକଳରେ ପଡିଛନ୍ତି ସରକାର, ଅଡୁଆରେ ପଡିଛନ୍ତି ସପକ୍ଷବାଦୀ । ଏହି ଆନ୍ଦୋଳନ ପାଇଁ ତ ଦିନେ ଗୋରାମାନେ ଆମ ମାଟି ଛାଡି ଯାଇଥିଲେ । ହିଦୁସ୍ତାନରୁ ସବୁଦିନ ପାଇଁ ଗଲା ପରେ ଆମେ ସ୍ୱାଧୀନତା ପାଇଥିଲୁ । ସେଦିନ ସିନା ସ୍ୱାଧୀନତା ପାଇଁ ନିଜ ହକ ପାଇଁ ଇଂରେଜଙ୍କ ସହ ଲଢେଇ ହେଉଥିଲା ହେଲେ ୧୯୪୭ ପରେ ସ୍ୱାଧୀନ ଭାରତରେ ବି ସେହି ଆନ୍ଦୋଳନ, ସେହି ପ୍ରତିବାଦ, ସେହି ବିକ୍ଷୋଭ ଚାଲିଛି । ହକ ପାଇଁ ଏଠି ଜନତାଙ୍କୁ ସରକାରଙ୍କ ପାଖେ ଅଧିଆ ପଡିବାକୁ ପଡୁଛି । ବ୍ୟବସ୍ଥା ସହ ବାକଯୁଦ୍ଧ କରିବାକୁ ପଡୁଛି । ଆନ୍ଦୋଳନର ଏ ଅଭାବନୀୟ ଚିତ୍ର ଦେଖିଲେ ମନରେ ପ୍ରଶ୍ନ ଉଠୁଛି ସତରେ ଆମେ ସ୍ୱାଧୀନ ତ ?

ଆନ୍ଦୋଳନକୁ ନେଇ ଭାରତ ମାଟିରେ ଅନେକ ଲମ୍ବା ଇତିହାସ ରହିଛି । ସ୍ୱାଧୀନ ଭାରତରେ ଏମିତି ଅନେକ ବଡ ବଡ ଆନ୍ଦୋଳନ ଦେଖିଛି ଏ ମାଟି ଯେଉଁଠି ଜନଆନ୍ଦୋଳନର ଜୁଆର ଦେଶର ରୂପରେଖ ବଦଳାଇ ଦେଇଛି, ସରକାରଙ୍କ ଗାଦି ଦୋହଲାଇ ଦେଇଛି । ନଜର ପକାନ୍ତୁ ସେମିତି କିଛି ଆନ୍ଦୋଳନ ଉପରେ ଯାହା ସର୍ବଦା ଚର୍ଚ୍ଚାରେ ରହି ଆସିଛି…

ସାଇଲେଣ୍ଟ ଭ୍ୟାଲି ପ୍ରୋଟେଷ୍ଟ (୧୯୭୩)
ଜଙ୍ଗଲ ପାଇଁ ଜୀବନ ଦେବୁ । ଏହି ନାରାରେ ୧୯୭୩ ମସିହାରେ କେରଳରେ ତୀବ୍ର ରୂପ ନେଇଥିଲା ସାଇଲେଣ୍ଟ ଭ୍ୟାଲି ପ୍ରୋଟେଷ୍ଟ । କେରଳ ପଲ୍ଲକଡରେ ଏକ ବିଦ୍ୟୁତ ପ୍ରକଳ୍ପକୁ ବିରୋଧ କରି ଜଙ୍ଗଲକୁ ସୁରକ୍ଷା ଦେବାକୁ ତେଜିଥିଲା ଜନଆନ୍ଦୋଳନ ଯାହା ଉକ୍ତ ପ୍ରକଳ୍ପ ବନ୍ଦ କରିବାକୁ ବାଧ୍ୟ କରିଥିଲା ।

ଚିପକୋ ଆନ୍ଦୋଳନ (୧୯୭୩)
ବୃକ୍ଷ ନାହିଁ ତ କିଛି ନାହିଁ… ଜଙ୍ଗଲ ସମ୍ପତ୍ତି, ପରିବେଶ ପାଇଁ ଗଛର ଆବଶ୍ୟକତାକୁ ବୁଝି ଗାନ୍ଧୀବାଦୀ ଆଦର୍ଶରେ ସେହି ୧୯୭୩ରେ ହିଁ ପୁଣି ମୁଣ୍ଡ ଟେକିଥିଲା ଆଉ ଏକ ଆନ୍ଦୋଳନ । ଉତ୍ତର ପ୍ରଦେଶରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସାରା ଦେଶକୁ ବ୍ୟାପୀଥିଲା ଯେଉଁଠି ଗଛକୁ ଜାବୁଡି ଧରି ପ୍ରତିବାଦ କରିଥିଲେ ମହିଳା

ଜେପି ଆନ୍ଦୋଳନ (୧୯୭୫)
୧୯୭୫ ଜୁନ ୨୫, ଭାରତ ଇତିହାସର ଏକ ଅଲିଭା ଅକ୍ଷର । ଯେଉଁଦିନ ଇନ୍ଦିରା ସରକାର ଦେଶରେ ଲଗାଇଥିଲେ ଜରୁରୀକାଳୀନ ପରିସ୍ଥିତି । ଏହି ଏମରଜେନ୍ସି ନିଷ୍ପତ୍ତି କଂଗ୍ରେସ ସରକାରକୁ ଦୋହଲାଇ ଦେଲା । ଦେଶରେ କଂଗ୍ରେସ ବିରୋଧୀ ପବନ ଏତେ ଜୋରରେ ବହିଲା ଯେ ଜେ.ପି ନାରାୟଣଙ୍କ ନେତୃତ୍ୱରେ ରାସ୍ତାକୁ ଓହ୍ଲାଇଥିଲେ ଲକ୍ଷ ଲକ୍ଷ ଛାତ୍ର ।

ଆନ୍ଦୋଳନର ନାଁ ଆନ୍ନା (୨୦୧୧)
ମୁଣ୍ଡରେ ଧଳା ଟୋପି, ଧଳା ପାଇଜାମା ପିନ୍ଧି ଯେତେବେଳେ ଜନଲୋକପାଳ ବିଲ ବିରୋଧରେ ଅନଶନ ଆରମ୍ଭ କଲେ ସେତେବେଳେ ଦେଶ ଜାଣିଲା ଆନ୍ନାଙ୍କୁ । ଆନ୍ନ ଅନ୍ନ ଛାଡି ଭ୍ରଷ୍ଟାଚାର ବିରୋଧରେ ଲଢେଇ କରୁଥିଲେ । ଦିଲ୍ଲୀ ଜନ୍ତରମନ୍ତରରେ ଆନ୍ନା ହଜାରେଙ୍କ ନେତ୍‌ୃତ୍ୱରେ ହୋଇଥିବା ଜନଲୋକପାଳ ବିଲ୍ ଆନ୍ଦୋଳନକୁ ସାରା ଦେଶରୁ ସମର୍ଥନ ମିଳିଥିଲା । ଆଉ ଏହି ଆନ୍ଦୋଳନ ଦେଶରେ ଏକ ବଡ ପ୍ରଭାବ ପକାଇଥିଲା ।

ଦେଶ ମାଗିଥିଲା ନିର୍ଭୟା ପାଇଁ ନ୍ୟାୟ (୨୦୧୨)
ବସ ଭିତରେ ପାରମେଡିକାଲ ଛାତ୍ରୀକୁ ନର ପିଶାଚ ଝୁଣିଖାଇଗଲେ, ତା ରକ୍ତମାଂସ ପିଇ ମନ ବୁଝିଲାନି ଯେ ତା ଯୌନାଙ୍ଗରେ ଲୁହ ରଡରେ ଆକ୍ରମଣ କରି ତା ଜୀବନ ନେଇଗଲେ । ରାଜଧାନୀ ଦିଲ୍ଲୀର ଏହି ଲଜ୍ଜିତ ଘଟଣା ସାରା ଦେଶରେ ନିଆଁ ଲଗାଇଥିଲା । ନାରୀ ସୁରକ୍ଷା ପାଇଁ ପଲ୍ଲୀରୁ ଦିଲ୍ଲୀ ଜଳିଥିଲା ପ୍ରତିବାଦର ନିଆଁ । ଆଉ ପରେ ଆନ୍ଦୋଳନ ତେଜିବାରୁ ନାରୀ ସୁରକ୍ଷା ପାଇଁ ଆଇନ ଆସିଲା । ନିର୍ଭୟା ପରେ ଅନେକ ଯୁବତୀ ବି ଦୁଷ୍କର୍ମର ଶିକାର ହେଉଛନ୍ତି । ହାଥରସର ହୃଦୟଥରା ଘଟଣା ପାଇଁ ବି ଦେଶ ଦୋହଲିଥିଲା । ୟୁପି ସରକାର ଅକଳରେ ପଡିଛନ୍ତି ।

ଦେଶରେ ଜଳିଥିଲା ନାଗରିକତା ନିଆଁ (୨୦୧୯-୨୦)
ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ସାରା ଦେଶରେ ଜଳିଥିଲା ନିଆଁ । ସିଏଏରେ ସରକାର ମୋହର ମାରିବା ପରେ ସବୁଆଡୁ ଏହାକୁ ବିରୋଧ କରାଯାଇଥିଲା । ପରିସ୍ଥିତି ଏମିତି ହେଲା କି ଦିଲ୍ଲୀରୁ ଜଳିଥିବା ଏହି ନାଗରିକତା ନିଆଁ ସାରା ଭାରତରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ସବୁଠି ବିକ୍ଷୋଭ, ବିରୋଧ କରି ମୋଦି ସରକାରଙ୍କ ମୁଣ୍ଡ ବିଧାଇଥିଲେ ଆନ୍ଦୋଳନକାରୀ । ଆଉ ଏବେ କୃଷି ଆଇନ ନେଇ ପୁଣି ମୋଦି ଅକଳରେ ପଡିଛନ୍ତି ।

ସେ ଆନ୍ନା ହୁଅନ୍ତୁ କି ଅନ୍ନଦାତା ଯେବେଯେବେ ଲୋକଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି ହୋଇଛି ସେବେସେବେ ସରକାରଙ୍କୁ ଘେରାଯାଇଛି । ଆନ୍ଦୋଳନ କରି ସରକାରଙ୍କୁ ହରଡ ଘଣାରେ ପକାଯାଇଛି । ତେବେ ଦୀର୍ଘ ୨୧ ଦିନ ଧରି ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନରୁ ଶେଷ ପରିଣତି କଣ ହେବ ତାରି ଉପରେ ସମସ୍ତଙ୍କ ନଜର ଅଟକିଥିବା ବେଳେ ଆନ୍ଦୋଳନ ପାଇଁ ଅଣନିଶ୍ୱାସୀ ହୋଇଛନ୍ତି ସରକାର ।

Get real time updates directly on you device, subscribe now.

Leave A Reply

Your email address will not be published.