ୟୁକ୍ରେନର ଦୁଇଟି କ୍ଷେତ୍ରକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଲା ରୁଷ
ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି । ୟୁକ୍ରେନରେ ଥିବା ଦୁଇଟି ବିଦ୍ରୋହୀ ଅଞ୍ଚଳ ବା କ୍ଷେତ୍ରକୁ ରୁଷ ପକ୍ଷରୁ ସ୍ୱାଧୀନ ଘୋଷଣା କରାଯାଇଛି। ଏହାର ଅର୍ଥ ଏହି ଦୁଇ ଅଞ୍ଚଳକୁ ରୁଷ ସ୍ୱତନ୍ତ୍ର ଦେଶ ଭାବେ ମାନ୍ୟତା ପ୍ରଦାନ କରିଛି। ପୁଟିନ୍ କହିଛନ୍ତି, ଶାନ୍ତିପୂର୍ଣ୍ଣ ସ୍ଥିତି ବଜାୟ ରଖିବାକୁ ଉଦ୍ୟମ କରାଯାଉଛି । ତେବେ ନାଟୋ ଏବଂ ଆମେରିକାର ଦଖଲକୁ ପସନ୍ଦ କରୁନି ଋଷ । ଋଷ ଚାହୁଁନି ୟୁକ୍ରେନ୍ ଏବେ ନାଟୋରେ ସାମିଲ ହେଉ । କାରଣ ଏହାଦ୍ବାରା ନାଟୋ ସେନା ଋଷ ସୀମା ପର୍ୟ୍ୟନ୍ତ ଆସିଯିବେ ।
ପୁଟିନ ଦେଶକୁ ସମ୍ବୋଧନ କରି ୟୁକ୍ରେନର ପୂର୍ବ ଭାଗରେ ଥିବା ଦୁଇଟି ଅଞ୍ଚଳକୁ ସ୍ୱାଧୀନତା ପ୍ରଦାନ କରିଛନ୍ତି। ପୁଟିନ କହିଛନ୍ତି, “ମୋର ବିଶ୍ୱାସ ଯେ ଡୋନେଟସ୍କ ପିପୁଲ୍ସ ରିପବ୍ଲିକ ଓ ଲୁଗାନସ୍କ ପିପୁଲ୍ସ ରିପବ୍ଲିକକୁ ସ୍ୱାଧୀନତା ଓ ସାର୍ବଭୌମତ୍ୱ ସ୍ୱୀକୃତି ଦେବା ପାଇଁ ଦୀର୍ଘ ଦିନ ହେଲା ବିଚାର ଚାଲିଥିଲା। ଏବେ ଏହି ଦୁଇ କ୍ଷେତ୍ରକୁ ସ୍ୱତନ୍ତ୍ର ସ୍ଥାନର ମାନ୍ୟତା ଦେବାର ଆବଶ୍ୟକ ରହିଛି।”ଏହାପରେ ପୁଟିନ ସର୍ବସମ୍ମୁଖରେ ୟୁକ୍ରେନର ବିଦ୍ରୋହୀ ନେତାଙ୍କ ସହ ପାରସ୍ପରିକ ସହାୟତା ଚୁକ୍ତିନାମାରେ ଦସ୍ତଖତ କରିଛନ୍ତି। ଦୀର୍ଘ ସମୟ ଧରି ଦେଶକୁ ସମ୍ବୋଧନ କରିବା ପରେ ପୁଟିନ ଦେଶର ଉଚ୍ଚ ସଦନକୁ ଏହି ନିଷ୍ପତ୍ତି ଉପରେ ମୋହର ମାରିବାକୁ କହିଛନ୍ତି।
ଏ ଭିତରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ଆଶଙ୍କା କରୁଛନ୍ତି, ଋଷ ଯେକୌଣସି ସମୟରେ ୟୁକ୍ରେନ ଉପରେ ହମଲା କରିପାରେ । ବେଲାରୁଷ ଓ ରୁଷ ସେନା ମିଳିତ ଭାବେ ୟୁକ୍ରେନ ସୀମାରେ ସମରାଭ୍ୟାସ ଜୋରଦାର କରିଛନ୍ତି । ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଋଷର ୩୦ହଜାର ସୈନ୍ୟ ମୁତୟନ ଅଛନ୍ତି ।