ରକ୍ଷକ ନା ଭକ୍ଷକ : ଭାଗ – ୦୧
ରାଜଧାନୀରେ ଘରେ ପଶି ୫୦ ପାଖାପାଖି ଯୁବକ ଆତଙ୍କରାଜ ଖେଳାଉଛନ୍ତି । ନୟାପଲ୍ଲୀ ଥାନା ଠାରୁ ମାତ୍ର କେଇ କିଲୋମିଟର ମଧ୍ୟରେ ଘଟଣା ଘଟୁଛି । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ହାବିଲଦାର ମଧ୍ୟ ଅଛନ୍ତି । ପୋଲିସ ସୁତ୍ରରୁ ମିଳିଥବା ସୁଚନା ଅନୁସାରେ, ମୋଟ ୧୫ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଏଥିରେ ଜଣେ ପିସିଆର କର୍ମଚାରୀ ବି ଅଛନ୍ତି । ଅଭିଯୁକ୍ତଙ୍କ ସହ ମିଶି ସେ ଘର ଭିତରେ ପଶି ଆତଙ୍କରାଜକୁ ସମର୍ଥନ ଦେଇଥିଲେ । ଅନ୍ୟ ଅଭିଯୁକ୍ତଙ୍କୁ ଖୋଜାଚାଲିଛି ଆଉ ଖୁବଶୀଘ୍ର ବନ୍ଧାହେବେ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।
ହେଲେ ଯେଉଁ ଦିଗଟି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହେବା କଥା ତା ହେଉଛି, ରକ୍ଷକ ଏଠି ଭକ୍ଷକ ସାଜୁଛି । ଖାକି ଉପରକୁ ବାରମ୍ବାର ଅଙ୍ଗୁଳି ଉଠୁଛି । ରାଜଧାନୀରେ ଯଦି କିଛି ଘଂଟା ଧରି ଅସାମାଜିକ ଯୁବକ ଆତଙ୍କରାଜ ଖେଳାଇ ଚାଲିବେ ତେବେ ସୁରକ୍ଷା ଦାୟିତ୍ୱର ଉତ୍ତରଦାୟିତ୍ୱ କିଏ ନେବ । ନୁଆ ପୋଲିସ କମିଶନର ଆସିବା ପରେ ସମସ୍ତେ ଆଶା କରୁଥିଲେ ଆଇନ ଶୃଙ୍ଖଳା ସ୍ଥିତିରେ ଉନ୍ନତି ଆସିବ, ହେଲେ ଗତ କିଛୀ ଦିନର ଘଟଣା ପ୍ରମାଣିତ କରୁଛି, ଅପରାଧ କମିବା ବଦଳରେ ବଢିବାରେ ଲାଗୁଛି ।
ଥରେ ଚିନ୍ତା କରନ୍ତୁ, ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଯଦି ଅପରାଧୀଙ୍କ ସହ ହାତ ମିଶାଇବ ତେବେ କଣ ହେବ? ଏହା କେବଳ ଜଣେ ହାବିଲଦାରଙ୍କ କଥା ନୁହେଁ, ଏହା ହେଉଛି ଆଜିର ଦିନର ଅସଲ ଚିତ୍ର । ବଡ କଥା ହେଉଛି, ଏହି ମାମଲାରେ ରାଜ୍ୟ ରାଜନୀତିର ଟାଣୁଆ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କ ନାଁ ସାମ୍ନାକୁ ଆସିଛି । ଏଫଆଇଆରରେ ତାଙ୍କ ନାଁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ତଥାପି ପୋଲିସ ଏଦିଗରେ ଆଭିମୁଖ୍ୟକୁ ନରମ ରଖିଛି । ଯଦି ତଦନ୍ତ ଭିତରେ ଉପାସନାଙ୍କ ନାଁ ସାମ୍ନାକୁ ଆସିବ, ତେବେ ପୋଲିସ କଣ ତାଙ୍କୁ ଗିରଫ କରିବାକୁ ସାହାସ ଦେଖାଇ ପାରିବ? ନା କେବଳ ସାଧାରଣ ଲୋକଙ୍କ ଉପରେ ଜୁଲମ କରି ନାଲିଆଖି ଦେଖାଇ ସବୁ ଘଟଣାରେ ଖାକିର ବହପ ଦେଖାଇବାକୁ ଚେଷ୍ଟା କରିବ । ଏଭଳି ହେଲେ ପୋଲିସ ପ୍ରଶାସନ ଉପରୁ ସାଧାରଣ ଜନତାଙ୍କ ବିଶ୍ୱାସ ହଟିଯିବ ।
ମୋ ସରକାର ଜରିଆରେ ପୋଲିସର ଆଭିମୁଖ୍ୟକୁ ପରିବର୍ତ୍ତନ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ ରାଜ୍ୟ ସରକାର । ପୋଲିସ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାକୁ ବଡ ବଡ ଘୋଷଣା କରିଥିଲେ, ହେଲେ ବାସ୍ତବତାରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଲା ନାହିଁ । କାରଣ ଜନତା ଏବଂ ପୋଲିସ ମଧ୍ୟରେ ସଂପର୍କ ଭଲ ହେବା ବଦଳରେ ଏଥିରେ ତିକ୍ତତା ଦେଖୀବାକୁ ମିଳୁଛି । ସାଧାରଣ ଜନତା ପୋଲିସ ଉପରେ ଭରସା କରିବା ବଦଳରେ ଅବିଶ୍ୱାସ କରିବା ଆରମ୍ଭ କଲେଣି । ପୋଲିସ ଯଦି ନିଜ ଦାୟିତ୍ୱକୁ ସଠିକ ରୁପେ ସମ୍ପାଦନ କରନ୍ତା ତେବେ, ବ୍ୟବସ୍ଥା ସୁଧାରିବାକୁ ବେଶୀ ଦିନ ସମୟ ଲାଗନ୍ତାନତି । ହେଲେ ଜୁଲୁମ ଯେତେବେଳେ ସାଧାରଣ ଲୋକଙ୍କ ଉପରେ ହେବ ଏବଂ ଏଥିରେ ସାଧାରଣ ଜନତା ହିଁ ପେଶୀ ହୋଇଯିବ, ସେତେବେଳେ ପୋଲିସ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।