ଭୁଲ୍ କାହାର ଭୋଗିଲା କିଏ?
୨୦୧୭ ସେପଟେମ୍ବର ମାସର କଥା । ରାଜଧାନୀର ଛାତି ଉପରେ ତିଆରି ଚାଲିଥିବା ବୋମିଖାଲ ବ୍ରିଜର ୧୦ ମିଟରର ଏକ ସ୍ଲାବ ଭୁଶୁଡିପଡିଲା । କେହି ମଧ୍ୟ ଏହି କଥାକୁ ଭୁଲିନଥିବେ ଆଉ ନିହାତି ଭାବେ ମନେ ରଖିଥିବେ କିଭଳି ରାଜ୍ୟର ସମସ୍ତ ଗଣମାଧ୍ୟମ ବୋମିଖାଲ ଓଭରବ୍ରିଜର କାମ ନେଇଥିବା କଂଟ୍ରାକ୍ଟକୁ ଦୋଷୀ ସାବ୍ୟସ୍ତ କରିଥିଲେ । ସକାଳୁ ସଂଜ ପର୍ଯ୍ୟନ୍ତ ଖୋଜା ପଡୁଥିଲା, କଂଟ୍ରାକ୍ଟର କିଏ, କୁଆଡେ ଗଲେ, କାହା ସହ ତାଙ୍କର ଲଙ୍କ, କିଭଳି ଅଭିଜ୍ଞତା ନଥାଇ ସେ କାର୍ଯ୍ୟ କରୁଥିଲେ, ସୁରକ୍ଷା ବ୍ୟବସ୍ଥାକୁ କାହିଁକି ଧ୍ୟାନ ଦିଆଯାଇନଥିଲା । ସମସ୍ତ ଗଣମାଧ୍ୟମ ସଂସ୍ଥାର ପ୍ରମୁଖ ବ୍ୟକ୍ତି, ରିପୋର୍ଟର, ଆଙ୍କର ସମସ୍ତେ ଗୋଟିଏ ଧାରଣା ଲୋକଙ୍କ ଭିତରେ ଭରି ଚାଲିଥିଲେ, ବ୍ରିଜର କାର୍ଯ୍ୟ ନେଇଥିବା କଂଟ୍ରାକ୍ଟର ହିଁ ଏହି ଦୁର୍ଘଟଣା ପାଇଁ ଦାୟୀ । ଯେଉଁ ବ୍ରିଜ ଭୁଶୁଡିବାରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ କିଛି ଜଣ ଆହତ ହୋଇଥିଲେ । ଘଂଟା ଘଂଟା ସେହି ସମୟରେ ଲାଇଭ ଟେଲିକାଷ୍ଟ କରି ଜଣଙ୍କୁ ଦୋଷୀ ସଜାଇ ଦେଇଥିବା ଗଣମାଧ୍ୟମ ଏବେ ଅସଲ ଖବର ବେଳେ କିନ୍ତୁ ତାକୁ ଆପଣଙ୍କ ସାମ୍ନାକୁ ଆଣୁନାହିଁ । ରାଜ୍ୟର ଗଣମାଧ୍ୟମ ଦେଖାଇବ ନାହିଁ, ବୋମିଖାଲ ବ୍ରିଜ ବାବଦରେ ରାଜ୍ୟ ସରକାରଙ୍କ ପୁର୍ତ୍ତ ବିଭାଗ ନେଇଥିବା ନିଷ୍ପତ୍ତିକୁ କିଭଳି ଖାର୍ କରିଦେଇଛନ୍ତି ଓଡିଶା ହାଇକୋର୍ଟ । ବ୍ୟାପିନି ପ୍ରତିନିଧି ଏକ ଦାୟିତ୍ୱବାନ ଡିଜିଟାଲ ମିଡିଆ ଭାବେ ଏହାର ସମସ୍ତ ତଥ୍ୟ ଆଜି ଅପଣଙ୍କ ସାମ୍ନାରେ ରଖିବ ।
ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ. ମୁରଲୀଧର ଏବଂ ଜଷ୍ଟିସ୍ ବି. ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପୁର୍ତ୍ତ ବିଭାଗ ନେଇଥିବା ଏକପାଖିଆ ନିଷ୍ପତ୍ତିକୁ ଖାର୍ କରିଦେବା ସହ କହିଛନ୍ତି, କଂଟ୍ରାକ୍ଟରଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବ ନାହିଁ । ଏହି ମାମଲାର ଶୁଣାଣି ଭିତରେ ପୁର୍ତ୍ତ ବିଭାଗ ପ୍ରତି ଉଠିଥିବା ଅଙ୍ଗୁଳି ବିଭାଗର ସ୍ୱଛତା ଏବଂ ସେତେବେଳେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ସାଧୁତା ଉପରେ ବଡ ପ୍ରଶ୍ନଚିହ୍ନ ଲଗାଇଦେଇଛି । ଜଣଙ୍କୁ କଳା ତାଲିକାଭୁକ୍ତ କରିବା ସମୟରେ, ଯେଉଁ ତରବରିଆ ଏବଂ ପୁର୍ବ ନିର୍ଦ୍ଧାରିତ ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଯ୍ଧବଥିଲା, ସେନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି ହାଇକୋର୍ଟ । କାରଣ ଦର୍ଶାଅ ନୋଟିସ୍ ଜରି କରିବା ଆଗରୁ କିଭଳି ବିଭାଗ ସ୍ତରରେ ଜଣେ କଂଟ୍ରାକ୍ଟରଙ୍କୁ କଳା ତାଲିକାଭୁକ୍ତ କରିବାକୁ ନିର୍ଣ୍ଣୟ କରିନେଉଛନ୍ତି ଅଧିକାରୀ ତାର ବାସ୍ତବ ଚିତ୍ର ମଧ୍ୟ ସାମ୍ନାକୁ ଆସିଯାଇଛି । ହେଲେ ଏସବୁ ଖବର ଆପଣ କେଉଁ ପ୍ରମୁଖ ଗଣମାଧ୍ୟମରେ ଦେଖୀବାକୁ ପାଉଛନ୍ତି କି । କେଉଁ ଗଣମାଧ୍ୟମ ସାମ୍ନାକୁ ଆସି କହୁଛି କି ବୋମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣାରେ ରାଜ୍ୟ ସରକାରଙ୍କ ପୁର୍ତ୍ତ ବିଭାଗର ଭୁମିକା କେତେ ସନ୍ଦେହଜନକ ଥିଲା । କେଉଁ ଗଣମାଧ୍ୟମ କହୁଛି କି କଂଟ୍ରାକ୍ଟରଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ଠିକ ନୁହେଁ ବୋଲି ହାଇକୋର୍ଟ କହିଲେ । ଏକଥା କେହି କହିବେ ନାହିଁ । କାରଣ ପୁର୍ତ୍ତ ବିଭାଗରୁ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ବନ୍ଦ ହୋଇଯିବ । ଏହା କହିବାର ଅର୍ଥ ହେଲା, ସତ ନୁହେଁ ପ୍ରତିଦିନ ପୁଳା ପୁଳା ମିଛ ରାଜ୍ୟର ସବୁ ପ୍ରମୁଖ ଗଣମାଧ୍ୟମ ଆପଣଙ୍କୁ ଦେଖାଉଛନ୍ତି । ଆଉ ଆପଣ ଦେଖୁଥିବା ସମସ୍ତ କଥାକୁ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ । ବେଳେ ବେଳେ ସତ ଉପରେ ମିଛ ପ୍ରଭାବ ବିସ୍ତାର କରିଥାଏ ।
ବୋମିଖାଲ ଓଭରବ୍ରିଜ ଭୁଶୁଡିବା ମାମଲାରେ ତଦନ୍ତ ପାଇଁ ପୁର୍ତ୍ତ ବିଭାଗ ଏକ କମିଟି ଗଠନ କରିଥିଲା । ଏହି କମିଟି ତାର ରିପୋର୍ଟକୁ ସେପଟେମ୍ବର ୨୬, ୨୦୧୭ରେ ବିଭାଗକୁ ଦେଇଥିଲା । ଏହାର କିଛି ଦିନ ପରେ ୧୦ ଅକଟୋବର, ୨୦୧୭ରେ ପୁର୍ତ୍ତ ବିଭାଗର ଅଣ୍ଡର ସେକ୍ରେଟେରୀ, ଚିଫ ଇଂଜିନିୟର(ଡିପିଆଇ ଆଣ୍ଡ ରୋଡସ)ଙ୍କୁ ଏକ ଚିଠି ଜରିଆରେ କହିଲେ ସରକାର ବୋମିଖାଲ ଓଭରବ୍ରିଜର କାମ ନେଇଥିବା ସଂସ୍ଥା ପଣ୍ଡା ଇନଫ୍ରା ପ୍ରୋଜେକ୍ଟସକୁ କଳା ତାଲିକାଭୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ପୁର୍ତ୍ତ ବିଭାଗ ପକ୍ଷରୁ କୁହାଗଲା । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହାର ୮ ଦିନ ପରେ ଅର୍ଥାତ୍ ଅକଟୋବର ୧୮, ୨୦୧୭ରେ କାମ ନେଇଥିବା ସଂସ୍ଥାକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଗଲା । ନଜର ପକାଇବାର କଥା ହେଉଛି, ବିଭାଗ ଏହି ସମୟ ବେଳକୁ ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି ନେଇସାରିଥିଲା । ହେଲେ ନିଜର ଦୋଷ ଲୁଚାଇବାକୁ ଆଉ ସମସ୍ତ ଫର୍ମାଲିଟିକୁ କାର୍ଯ୍ୟକାରୀ କରାଯାଇଛି ବୋଲି ଦର୍ଶାଇବାକୁ ଏକ ସୋ କଜ୍ ନୋଟିସ୍ ବିଭାଗ ଜାରି କରିଦେଇଥିଲା । ଯାହା ଉପାରେ ହାଇକୋର୍ଟ ମଧ୍ୟ ଟିପ୍ପଣୀ ରଖିଛନ୍ତି । କୋର୍ଟ କହିଛନ୍ତି, ଯେଉଁଭଳି ଭାବେ କଂଟ୍ରାକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା, ତାହା ପୁର୍ବ ନିର୍ଦ୍ଧାରିତ ଏବଂ ଏକ ଯୋଜନାର ଅଂଶବିଶେଷ । କାରଣ ଦର୍ଶାଅ ନୋଟିସ୍ ଜାରି କରିବା ଆଗରୁ କିଭଳି ଜଣଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଗଲା ତାହା କୋର୍ଟଙ୍କୁ ମଧ୍ୟ ତାଜୁବ୍ କରିଥିଲା ।
ବଡ କଥା ହେଉଛି କାରଣ ଦର୍ଶାଅ ନୋଟିସ୍ ପାଇବା ପରେ ୧ ନଭେମ୍ବର ୨୦୧୭ରେ ପିଟିସନର ଅର୍ଥାତ୍ କଂଟ୍ରାକ୍ଟର ଏହାର ଉତ୍ତର ବିଭାଗ ନିକଟକୁ ପଠାଇଥିଲେ । ଏଥିରେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ ପକ୍ଷରୁ କୁହାଯାଇଥିଲା –
- ବୋମିଖାଲ ଓଭରବ୍ରିଜ ଥିଲା ଏକ ପି-୧ କଂଟ୍ରାକ୍ଟ । ଏଥିରେ କାମ କିଭଳି ହେବ, ପରିମାଣ ଏବଂ ରେଟ୍ ସବୁକିଛି ନିର୍ଦ୍ଧାରିତ ଥିଲା
- ଇଂଜିନିୟର ଇନ୍ ଚିଫଙ୍କ ନିର୍ଦ୍ଦେଶରେ ଯେଉଁ ଡିଜାଇନ୍, ଡ୍ରଇଂ ଏବଂ ସ୍ପେସିଫିକେସନକୁ ପୁର୍ତ୍ତ ବିଭାଗ ଅନୁମୋଦିତ ଦେଇଥାଏ ତାକୁ କଂଟ୍ରାକ୍ଟର କେବଳ କାର୍ଯ୍ୟକାରୀ କରିଥାଏ
- ପି-୧୯ ଏବଂ ପି-୨୦ର କାଷ୍ଟିଂ କରିବା ଆଗରୁ ଏହାର ସମସ୍ତ କାର୍ଯ୍ୟ ଯଥା ସେଣ୍ଟ୍ରିଂ, ଷ୍ଟେଜିଂ, ସେଫଟି ଆରେଂଜମେଂଟକୁ ଅନୁଧ୍ୟାନ କରିଥିଲେ ବିଭାଗୀୟ ଇଂଜିନିୟର
- ଏହାପରେ କଂଟ୍ରିଟ ଢାଲିବାକୁ କଂଟ୍ରାକ୍ଟରକୁ ଅନୁମତି ମିଳିଥିଲା । ଆଉ ଏହି ସମୟରେ ବିଭାଗୀୟ ଇଂଜିନିୟ ମଧ୍ୟ ଏଠାରେ ଉପସ୍ଥିତ ଥିଲେ
- ସମସ୍ତ ଅନୁମତି ମିଳିବା ପରେ କାର୍ଯ୍ୟ ହୋଇଥିବାରୁ କାରଣ ଦର୍ଶାଅ ନୋଟିସକୁ ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଥିଲା ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ
ହେଲେ ଏହାର କୈାଣସି ପ୍ରଭାବ ପୁର୍ତ୍ତ ବିଭାଗ ଉପରେ ପଡିନଥିଲା । ୧୨ ଡିସେମ୍ବର ୨୦୧୭ରେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟସକୁ କଳା ତାଲିକାଭୁକ୍ତ କରିଦିଆଗଲା । ଏଥିସହ ସୁପର କ୍ଲାସ୍ କଂଟ୍ରାକ୍ଟରର ଲାଇସେନସକୁ ମଧ୍ୟ ବାତିଲ କରିଦିଆଯାଇଥିଲା । ଯାହା ବିରୁଦ୍ଧରେ ହାଇକୋର୍ଟକୁ ଯାଇଥିଲା ସଂସ୍ଥା । ଏବଂ କୋର୍ଟ ପୁର୍ତ୍ତ ବିଭାଗର ନିଷ୍ପତ୍ତିକୁ ହଟାଇବା ସହ ବିଭାଗ ବାବଦରେ କିଛି ନକରାତ୍ମକ ଟିପ୍ପଣୀ ବି ଦେଇଥିଲେ ।
ହାଇକୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ସେତେବେଳର ପୁର୍ତ୍ତ ସଚିବ ନଳିନୀ ପ୍ରଧାନ ଏବଂ ଇଂଜିନିୟର ଇନ୍ ଚିଫଙ୍କୁ ଭୁମିକା ଆଜି ସନ୍ଦେହଘେରରେ । କାହାକୁ ବଂଚାଇବାକୁ ଯାଇ ଜଣେ କଂଟ୍ରାକ୍ଟରକୁ ବଳିର ବୋଦା ସଜାଇଦେଲେ ଏହି ଦୁଇ ଅଧିକାରୀ । ବୋମିଖାଲ ବ୍ରିଜର ଡିଜାଇନ ପରିବର୍ତ୍ତନ ଆରମ୍ଭ ଦିନରୁ ବିବାଦୀୟ ହୋଇ ରହିଛି । ଏଭଳି ଆଶ୍ଚର୍ଯ୍ୟକର ଡିଜାଇନକୁ କିଏ ଅନୁମୋଦନ ଦେଇଥିଲା, ତାକୁ ନେଇ ମଧ୍ୟ ବିଭାଗ ସେତେବେଳେ ବିବାଦ ଘେରକୁ ଆସିଥିଲା । ଆଉ ଯେତେବେଳେ ନିଜ ବିଭାଗର ଇଂଜିନିୟର ମାନଙ୍କର ଭୁଲସାମ୍ନାକୁ ଆସିଯିବ ସେହି ଡରରେ ଜଣେ କଂଟ୍ରକ୍ଟରକୁ ଦୋଷୀ ସଜାଇ ଦିଆଯାଇଥିଲା ବୋଲି ଆଜିର ଦିନରେ ସ୍ପଷ୍ଟ ଭାବେ ଜଣାପଡୁଛି ।
ରାଜଧାନୀ ଛାତି ଉପରେ ଥିବା ବମୀଖାଲ ରେଲୱେ ଓଭରବ୍ରିଜକୁ ଅନୁଧ୍ୟାନ କଲେ ଏହା ବିରଳତମ ବୋଲି କୁହାଯାଇପାରିବ । ଗଠନ ଶୈଳୀ, ପ୍ରକ୍ରିୟା ଓ ଉଦ୍ଦେଶ୍ୟକୁ ଦେଖିଲେ ଇଂଜିନିୟରିଂର ସମସ୍ତ ପାଠ ମଧ୍ୟ ଏହି ପୋଲ ଆଗରେ ହାର ମାନିବ । ତତ୍କାଳୀନ ପୂର୍ତ୍ତ ସଚିବ ଶୁଭେନ୍ଦୁ ରାୟ ଓ ମୁଖ୍ୟଯନ୍ତ୍ରୀ ବିଜନ ବେହେରାଙ୍କ ଦ୍ଵାରା ଟେଣ୍ଡର ଡକାଯାଇଥିବା ଏହି ଉନ୍ନତିମୂଳକ ପ୍ରକଳ୍ପର ଆଢୁଆଳରେ ମୂଳରୁ ହିଁ ବ୍ୟାପକ ଦୁର୍ନୀତି ପାଇଁ ନକ୍ସା ତିଆରି କରାଯାଇଥିଲା । ବାରମ୍ବାର ପ୍ଲାନିଂ ବଦଳେଇବା, ଠିକା ସଂସ୍ଥାକୁ ସମ୍ପୂର୍ଣ ପ୍ଲାନ ବଦଳରେ ପର୍ୟ୍ୟାୟକ୍ରମେ ଧୀରେ ଧୀରେ ପ୍ଲାନ ଦେବା ପଛରେ ଏହି ଦୁଇ ଅଫିସରଙ୍କ ମହତ ଉଦ୍ଦେଶ୍ୟ ନଥିଲା ବୋଲି ସ୍ପଷ୍ଟ ବାରିହେଉଥିଲା । ଆଉ ଠିକ ମଝିରେ ଏହି ଦୁଇ ଅଧିକାରୀ ବଦଳି ହୋଇଯାଇଥିଲେ । କିନ୍ତୁ ଏହାପରେ ଆସିଥିବା ଅଫିସର ଥିଲେ ଆହୁରି ଭୟଙ୍କର । ସଚିବ ନଳୀନି ପ୍ରଧାନ ଓ ମୁଖ୍ୟଯନ୍ତ୍ରୀ ଓମ ପ୍ରକାଶ ପଟେଲ ସମଗ୍ର ରାଜ୍ୟରେ ଚାଲିଥିବା ଉନ୍ନୟନମୂଳକ କାମରେ ମିଳିତ ଭାବେ ଆରମ୍ଭ କରିଦେଇଥିଲେ ଦୁର୍ନୀତିର ଷଡଯନ୍ତ୍ର । ସାଧାରଣ ଲୋକ ଜଣେ ନିରିଖେଇ ଦେଖିଲେ ମଧ୍ୟ ବମିଖାଲ ପୋଲର ଦୁର୍ନୀତି ବିଷୟରେ ଜାଣିପାରିବ । ରେଳ ଧାରଣା ଉପରେ ନିର୍ମିତ ଅଂଶ ରେଳବାଇ ନିର୍ଦ୍ଧାରିତ ଚଉଡା କରିଥିବା ବେଳେ ପୂର୍ତ୍ତ ବିଭାଗ କରିଥିବା ଅଂଶ କାହିଁକି ଅଣଓସାରିଆ ହେଇଛି ତାର ଉତ୍ତର କାହା ପାଖରେ ନାହିଁ । ଦୁଇଟି ଅଂଶ ଭିତରେ ଚଉଡାରେ ପାଖାପାଖି ୭ ଫୁଟର ବ୍ୟବଧାନ ରହିଛି । ପୃଥିବୀରେ ବୋଧହୁଏ ବମିଖାଲ ଏକମାତ୍ର ରେଲୱେ ଓଭରବ୍ରିଜ ଯାହାର ପାଦଚଲା ବାଟ ବା ଫୁଟପାଥ ନାହିଁ । ଏମିତି ଉଦ୍ଦେଶ୍ୟ ରଖି ଏହି ବ୍ରିଜ କରାଯାଇଛି ଲୋକ ଏବେ ବି ବୁଝିପାରୁନାହାନ୍ତି କେଉଁପଟେ ଯିବେ ଆଉ କେଉଁପଟେ ଆସିବେ । ମୂଳ ଡିଜାଇନରେ ବାରମ୍ବାର ପରିବର୍ତ୍ତନ, ବ୍ୟୟ ଲକ୍ଷ୍ୟକୁ ବଢ଼ାଇ ବଢ଼ାଇ କେବଳ ହରିଲୁଟ କରିଛନ୍ତି ଦାୟିତ୍ୱରେ ଥିବା ଅଫିସର । ଆଉ ଯେତେବେଳେ ଦୁର୍ଘଟଣା ଘଟିଛି କଣ୍ଟ୍ରାକ୍ଟର ଓ ତଳତଳିଆଙ୍କୁ ଜେଲ ପଠେଇ ନିଜେ ଝାଡ଼ିଝୁଡ଼ି ହେଇ ପଡିଛନ୍ତି ।
ପିଟିସନରଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ଦର୍ଶାଯାଇଥିଲା, କେଉଁଭଳି ଭାବେ ପିଲାର ଡିଜାଇନକୁ ପରିବର୍ତ୍ତଣ କରାଯାଇଥିଲା ଏବଂ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସତ୍ତେ୍ୱ କଂଟ୍ରାକ୍ଟରକୁ କିଭଳି ସେପଟେମ୍ବର ୨୦୧୭ ରୁ ମାର୍ଚ୍ଚ ୨୦୧୮ ମଧ୍ୟରେ ବଳକା ଥିବା ୧୫ଟି ସ୍ପାନକୁ ପୁରଣ କରିବା ପାଇଁ ସୁଯୋଗ ଦିଆଗଲା? ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା କଂଟ୍ରାକ୍ଟର ଉଭୟ ଶହୀଦନଗର ପଟରୁ ଏବଂ ରସୁଲଗଡ ପାଶ୍ୱର୍ରୁ ସମସ୍ତ ୭୫ଟି ସ୍ପାନକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିଥିଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ସେତେବେଳେ ପୁର୍ତ୍ତ ବିଭାଗରେ କାର୍ଯ୍ୟ କରୁଥିବା କିଛି ଅସାଧୁ ଅଫିସରଙ୍କର ମୁଖା ଖୋଲିଯିବାର ଭୟ ଏତେ ଘାରିଥିଲା ଯେ ସେମାନେ ଜଣେ ନିର୍ଦ୍ଦୋଷକୁ ଜେଲ ଭିତରକୁ ପଠାଇବା ପାଇଁ ବି ପଛାଇ ନଥିଲେ ।
ହାଇକୋର୍ଟଙ୍କ ରାୟ ଆସିବା ପରେ ଏସବୁ ଅଧିକାରୀ ଏବେ କହିବେ କଣ? ଯେଉଁ ବଦନାମୀ ଏବଂ ଲୋକଲଜ୍ଜା କଂଟ୍ରାକ୍ଟର ସହିଥିଲେ ତାକୁ ସେମାନେ କଣ ଫେରାଇ ପାରିବେ କି । ନା ଜେଲ ଭିତରେ ଯେଉଁ ମାନସିକ ନିର୍ଯ୍ୟାତନା ଏବଂ କଷ୍ଟ କଂଟ୍ରାକ୍ଟର ସହିଥିଲେ ତାକୁ ସେମାନେ ଭରଣା କରିପାରିବେ । କିଛି ଅସାଧୁ ଅଫିସର ଯେଉଁମାନେ କେବଳ ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଆସୁଛନ୍ତି, ସେମାନେ ଖାଲି ଲୋକଙ୍କୁ ଫସାଇ ନିଜେ ଖସିଯିବା ବାଟ ଖୋଜିବାରେ ବ୍ୟସ୍ତ ରହୁଛନ୍ତି । ଏହି ଅବଧି ଭିତରେ ଯେଉଁ ଲଜ୍ଜା ପୁରା ପରିବାରକୁ ସହିବାକୁ ପଡିଥିଲା, ସେଥିପାଇଁ ଉତ୍ତରଦାୟୀ କିଏ ରହିବେ । ଯେଉଁ ଗଣମାଧ୍ୟମ ସକାଳୁ ସନ୍ଧ୍ୟା ପର୍ଯ୍ୟାନ୍ତ ଚିଲାଇ ଚିଲାଇ ପଣ୍ଡା ଇନଫ୍ରା ପ୍ରୋଜେକ୍ଟସକୁ ଦୋଷୀ କହୁଥିଲା, ସେମାନେ ହାଇକୋର୍ଟ ଅର୍ଡର ଆସିବା ପରେ ବି ଚୁପ୍ କାହିଁକି । ସେମାନେ କାହିଁକି ପୁର୍ତ୍ତ ବିଭାଗର ସେହି ସମୟର ଅଧିକାରୀଙ୍କ ଉପରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରୁନାହାନ୍ତି । ଜଣଙ୍କୁ ଦୋଷୀ ସଜାଇବା ସହଜ । ହେଲେ ସେ ନିର୍ଦ୍ଦୋଷରେ ମୁକ୍ତ ହେବା ପରେ ତାକୁ ନିର୍ଦ୍ଦୋଷ କହିବା କଷ୍ଟ । ବଡ ବିଚିତ୍ର ଅବସ୍ଥା ଆମ ସମସ୍ତଙ୍କ ସାମ୍ନାରେ ରହିଛି ।
ହାଇକୋର୍ଟଙ୍କ ଏହି ରାୟର କପି ଆମର ହସ୍ତଗତ ହେବା ପରେ ଆମେ ବୋମିଖାଲର କାମ ପାଇଥିବା କଂଟ୍ରାକ୍ଟରଙ୍କ ସହ କଥା ହୋଇଥିଲୁ । ତାଙ୍କ କହିବା କଥା ଥିଲା, ଏଥିରେ ରାଜ୍ୟ ସରକାରଙ୍କର କିଛି ଦୋଷ ନାହିଁ । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ନିକଟତମ ଅଧିକାରୀ ସଂପୁର୍ଣ୍ଣ ସ୍ୱଛତାର ସହ କାର୍ଯ୍ୟ କରୁଛନ୍ତି । ହେଲେ କିଛି ବିଭାଗର ଅଧିକାରୀ ନିଜକୁ ଭଗବାନ ଭାବି ସାଧାରଣ ଲୋକ ଏବଂ ଠିକାଦାରଙ୍କ ବିରୋଧରେ ଯେଉଁ ଭଳି କାର୍ଯ୍ୟ କରୁଛନ୍ତି ତାହା ଗ୍ରହଣୀୟ ହୋଇପାରିବ ନାହିଁ । ତାଙ୍କ ଜୀଭନର ସାଢେ ୩ ବର୍ଷକୁ କଣ ସେତେବେଳର ପୁର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଫେରାଇଦେବେ କି? ଯଦି ଫେରାଇ ପାରିବେ ନାହିଁ ତେବେ ସତ କହିବାର ସାହାସ ସେ ରଖନ୍ତୁ ଏବଂ ଗଣମାଧ୍ୟମ ସାମ୍ନାକୁ ଆସି କୁହନ୍ତୁ କାହିଁକି ସେ ଜଣେ ସାଧାରଣ ଲୋକଙ୍କୁ ଫସାଇ ଜେଲ ପଠାଇଥିଲେ । ଯେଉଁ ଆଘାତ ତାଙ୍କ ହୃଦୟକୁ ଲାଗିଛି ତାର ଭରଣା କେହି କରିପାରିବେ ନାହିଁ ବୋଲି ଅତ୍ୟନ୍ତ କ୍ଷୋଭଭରା କଂଠରେ କହିଛନ୍ତି ପଣ୍ଡା ଇନଫ୍ରା ପ୍ରୋଜେକ୍ଟସର ପ୍ରୋପ୍ରାଇଟର ।
ସେହିଭଳି ବିନା ତଦନ୍ତରେ କେଉଁଭଳି ଲକ୍ଷ୍ମୀସାଗର ଥାନା ପୋଲିସ ଜଣଙ୍କୁ ବାନ୍ଧି ଜେଲକୁ ପଠାଇଦେଲା ତାହା ଉପରେ ମଧ୍ୟ ସେ ଆପତ୍ତି ଉଠାଇଛନ୍ତି । ଯଦି ଥାନାରେ ଏକ ମାମଲା ହେଲା ତେବେ ପୋଲିସର ଦାୟିତ୍ୱ ହେଉଛି, ଏହା ପଛର କାରଣ ଖୋଜିବା ଏବଂ ସତ ସାମ୍ନାକୁ ଆଣିବା । ମାର୍ ମାର୍ ଭଣ୍ଡାରିଆକୁ ମାର୍ ଭଳି ନ୍ୟାୟରେ ଯଦି କାମ ନେଇଥିବା କଂଟ୍ରାକ୍ଟରକୁ କେବଳ ବାନ୍ଧି ଦିଆଯିବ ଏବଂ ସରକାରୀ ଅଧିକାରୀ ଓ ଇଂଜିନିୟରଙ୍କ ଦୋଷ ପ୍ରତି ଆଖୋ ବୁଜି ଦିଆଯିବ ତେବେ ଏହି ବ୍ୟବସ୍ଥା ଉପରେ କାହାର ଭରସା ମଆସିବ । ପୋଲିସ ପାଖରେ କ୍ଷମତା ରହିଛି ସେ ଯାହାକୁ ଚାହିଁଲେ ବାନ୍ଧି ଜେଲରେ ଭର୍ତ୍ତି କରିପାରିବ, ହେଲେ ଫଳ କିଭଳି ଗୋଟିଏ ପରିବାରକୁ କ୍ଷତାକ୍ତ କରିଦିଏ ତାକୁ ମଧ୍ୟ ପୋଲିସ ବାବୁ ବୁଝିବାକୁ ପଡିବ । ଖାକିର ବହପ ସାଧାରଣ ଲୋକଙ୍କୁ ହିଁ ଅପରାଧୀ ସଜାଇଥାଏ, ତେଣୁ କୈାଣସି ବି ମାମଲାରେ ଆଗପଛ ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଥାଏ ବୋଲି ସେ ଯୁକ୍ତି କରିଛନ୍ତି ।
ସେତେବେଳର ପୁର୍ତ୍ତ ସଚିବ ଥିବା ଶୁଭେନ୍ଦୁ ରାୟ ଓ ଚିଫ ଇଞ୍ଜିନିୟର ବିଜନ ବେହେରାଙ୍କ ବେଳେ ଯେଉଁ ଦୁର୍ନୀତିର ମଞ୍ଜି ପୋତାଯାଇଥିବାର ଅଭିଯୋଗ ଉଠିଥିଲା ଆଉ ଯାହାକୁ ଆଗକୁ ଯାଇ କାର୍ଯ୍ୟକାରୀ କରାଇଥିଲେ ନଳୀନି ପ୍ରଧାନ ଏବଂ ଓମ ପ୍ରକାଶ ପଟେଲ, ତାଙ୍କ ଉପରେ କାହିଁକି କାର୍ୟ୍ୟାନୁଷ୍ଠାନ ନିଆଯିବାନି ଏବେ ତାକୁ ନେଇ ଆରମ୍ଭ ହୋଇଛି ସମୀକ୍ଷା ।
ଏହା ଆମ ସମସ୍ତଙ୍କ ଆଖି ଖୋଲିଦେବା ଭଳି ଏକ ମାମଲା । ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ କର୍ମଚାରୀ, ପୋଲିସ ଅଧିକାରୀ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଅଧ୍ୟାୟ । ଆଇନ ଆଗରେ ସମସ୍ତେ ସମାନ ତାକୁ ପ୍ରମାଣ କରିବା ପାଇଁ ଏହା ସମସ୍ତଙ୍କ ସାମ୍ନାରେ ଏକ ସୁଯୋଗ ଆଣିଥିଲା । ହେଲେ ସମସ୍ତେ ଦେଖାଇଦେଲେ ଯେ ଅଧିକାରୀ ଭାବେ ଯେତେ ଭୁଲ କଲେ ବି ପୋଲିସ ଏବଂ ଗଣମାଧ୍ୟମର ହାତ ତାଙ୍କ ନିକଟକୁ ପହଁଚିବ ନାହିଁ । ହେଲ ନ୍ୟାୟାଳୟ ଏବଂ ନ୍ୟାୟମୁର୍ତ୍ତି ପ୍ରମାଣିତ କରିଦେଲେ ଯେ, ସାଧାରଣ ଲୋକଟିଏର କଥା ଶୁଣିବାକୁ ଆମର ବିଚାର ବ୍ୟବସ୍ଥା ରହିଛି । ସେ ଯେତେ କ୍ଷମତାଶାଳୀ ଲୋକ ହୋଇଥାଉ ବା ସାଧାରଣ ଦିନ ମଜୁରିଆଟେ ସମସ୍ତେ କୋର୍ଟରୁ ନ୍ୟାୟ ପାଇବେ । ଆଉ ଏହି ରାୟର କପି ସେହି ଅସାଧୁ ଅଧିକାରୀଙ୍କ ଗାଲର ଏକ ଚାପୁଡା ସଦୃଶ ହୋଇ ରହିବ ଯେଉଁ ମାନେ ଟଙ୍କାର ଲାଳସାରେ ଡିଜାଇନ ପରିବର୍ତ୍ତନ କରିଦିଅନ୍ତି ଏବଂ ଦୁର୍ଘଟଣା ଘଟିଲେ କଂଟ୍ରାକ୍ଟରକୁ ଜେଲ ପଠାଇବାକୁ ମଧ୍ୟ ପଛାନ୍ତିନାହିଁ । ରାଜ୍ୟ ସରକାରଙ୍କର ୫-ଟି ଛାଟ ଏମାନଙ୍କ ଉପରେ ପଡିବାର ନିହାତି ଆବଶ୍ୟକତା ରହୁଛି ।