THE BYAPINI

ଶ୍ମଶାନର ସତ,ସରକାରଙ୍କ ମିଛ?

Get real time updates directly on you device, subscribe now.

କରୋନା ମୃତ୍ୟୁର ସତ କଣ? ଶ୍ମଶାନରେ ଜଳୁଥିବା ଶବ ନା ସରକାରଙ୍କ ସୋସିଆଲ ମିଡ଼ିଆ ତଥ୍ୟ । ଆଖି ଦେଖୁଥିବା ସତକୁ ବିଶ୍ୱାସ କରିବେ ନା ସରକାର ଦେଉଥିବା ତଥ୍ୟ । ଗତ ବର୍ଷେ ହେବ ଲୋକଙ୍କ ମନରେ କରୋନା ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳୁଛି । ସରକାରୀ ରିପୋର୍ଟକୁ ଭରସା କରିପାରୁନାହାନ୍ତି ଲୋକେ । କାରଣ ଗତ ବର୍ଷେ ମଧ୍ୟରେ ଶ୍ମଶାନରୁ ଯେଉଁ ଚିତ୍ର ସାମ୍ନାକୁ ଆସୁଛି ତାହା କରୋନା ମୃତ୍ୟୁର ସରକାରୀ ରିପୋର୍ଟକୁ ସନ୍ଦେହ ଘେରକୁ ଟାଣୁଛି । ଆଉ ଏଭଳି ସନ୍ଦେହ ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ମଧ୍ୟ ରହିଛି । କେବଳ ଦେଶରେ ନୁହେଁ ରାଜ୍ୟରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି । ଏପରିକି ସରକାର କରୋନ ମୃତ୍ୟୁର ସତ ଲୁଚାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏଭଳି ଚର୍ଚ୍ଚା ସେତେବେଳେ ଜୋର ଧରିଛି ଯେତେବେଳେ ସତ୍ୟନଗର ଶ୍ମଶାନର ଗତବର୍ଷ ହୋଇଥିବା ଶବଦାହର ତାଲିକା ସାମ୍ନାକୁ ଆସିଛି ।

ସୂଚନା ଅଧିକାର ଆଇନ ବଳରେ ଗତବର୍ଷ ସତ୍ୟନଗର ଶ୍ମଶାନରେ କେଉଁ ମାସରେ କେତେ ଶବଦାହ କରାଯାଇଥିଲା ତାହାର ପୂରା ଇତିହାସ ଏବେ ସାମ୍ନାକୁ ଆସିଛି । ଆଉ ସବୁଠୁ ଅଧିକ ଚକିତ କରିଛି ସେପ୍ଟେମ୍ବର ମାସର ରିପୋର୍ଟ । କେବଳ ସେପ୍ଟେମ୍ବର ମାସରେ ସତ୍ୟନଗର ଶ୍ମଶାନରେ ୧୨୮୮ ଜଣଙ୍କର ଶବଦାହ କରାଯାଇଛି । ଗତବର୍ଷ ସେପ୍ଟେମ୍ବର ମାସ ବେଳକୁ କୋଭିଡ ପିକରେ ଥିଲା । ଏହି ସମୟରେ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ରାଜ୍ୟରେ ସେପ୍ଟେମ୍ବର ମାସର ସଂକ୍ରମଣ ଲକ୍ଷେ ଛୁଇଁଥିଲା । ରାଜ୍ୟରେ କୋଭିଡ ମୃତ୍ୟୁସଂଖ୍ୟା ସବୁଠୁ ଅଧିକ ହୋଇଥିଲା । କିନ୍ତୁ ଏହି ସଂଖ୍ୟା ଥିଲା ମାତ୍ର ୩୫୬ । ଅଥାର୍ତ ରାଜ୍ୟରେ ଦୈନିକ ହାରାହାରି କରୋନା ମୃତ୍ୟୁ ଥିଲା ୧୨ । କିନ୍ତୁ ସତ୍ୟନଗରରେ ଶବ ଜଳିଥିଲା ୧୨୮୮ । ଅଥାର୍ତ କେବଳ ସତ୍ୟନଗର ଶ୍ମଶାନରେ ଦୈନିକ ହାରାହାରି ଶବ ଜଳୁଥିଲା ୪୩ । ଯାହା ଅନେକ ପ୍ରଶ୍ନବାଚୀ ଛିଡା କରିଥିଲା । ହୁଏତ ଅନ୍ୟ କାରଣରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ମଧ୍ୟ ଶବଦାହ ହୋଇଥାଇପାରେ । ଯେହେତୁ ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲା ଗୁଡିକ ପାଇଁ ସ୍ୱର୍ଗଦ୍ୱାର ବନ୍ଦ ଥିଲା । ତେଣୁ ସତ୍ୟନଗରକୁ ଶ୍ମଶାନରେ ଲୋକେ ଶବଦାହ କରିଥାଇପାରନ୍ତି । କିନ୍ତୁ ସେପ୍ଟେମ୍ବର ପୂର୍ବରୁ ଜୁଲାଇ ପର୍ୟ୍ୟନ୍ତ ପ୍ରତି ମାସରେ ୭୦ରୁ ୮୦ଟି ଶବଦାହ କରାଯାଉଥିଲା । ଜୁଲାଇ ଓ ଅଗଷ୍ଟରେ ଏହା ଶହେ ଅତିକ୍ରମ କରିବା ପରେ ସେପ୍ଟେମ୍ବରରେ ଏହା ହଜାରେ ପାର କରିଥିଲା । ଆଉ ସତ୍ୟନଗରରେ ଶବଦାହର ଏହି ଲମ୍ବାଡିଆଁ ଅନେକ ପ୍ରଶ୍ନ ମଧ୍ୟ ଛିଡା କରିଥିଲା ।
ଯେହେତୁ ସେପ୍ଟେମ୍ବରରେ ଲକଡାଉନ କଟକଣା ଟିକିଏ କୋହଳ ହୋଇଥିଲା ତେଣୁ ସଂକ୍ରମଣ ଟିକିଏ ବଢିଥିଲା । କିନ୍ତୁ ଲୋକେ ପୂର୍ବଭଳି କରୋନା ଭୟରେ କଟକଣାକୁ ମାନୁଥିବାର ଦେଖିବାକୁ ମିଳିଥିଲା । ଏହାସହ ଗାଡିମୋଟର ବି ସେଭଳି ଅଧିକ ମାତ୍ରାରେ ଯାତାୟତ କରୁନଥିଲା । ତେଣୁ ଦୁର୍ଘଟଣାଜନିତ ମୃତ୍ୟୁ ବିଶେଷ ନଥିଲା । ଏହାବାଦ୍ ଅଧିକାଂଶ ହସ୍ପିଟାଲରେ କରୋନା ରୋଗୀ ହିଁ ଚିକିତ୍ସିତ ହେଉଥିଲେ । ତେଣୁ ହସ୍ପିଟାଲରୁ ଶଶ୍ମାନ ଅଭିମୁଖେ ଯାଉଥିବା ଗାଡିରେ ଅଧିକାଂଶ ମୃତକ କରୋନା ସଂକ୍ରମିତ ଥିଲେ ବୋଲି ଚର୍ଚ୍ଚା ହୁଏ । ଏହବାଦ୍ ସତ୍ୟନଗରରେ ଯେହେତୁ କରୋନା ମୃତକଙ୍କ ଶବଦାହ ହେଉଥିଲା ତେଣୁ ଏଠାକୁ ଅନ୍ୟ କାରଣ ପାଇଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରବର୍ଗ ଆସିବାକୁ ଉଚିତ୍ ମଣୁନଥିଲେ । ତେଣୁ ସେପ୍ଟେମ୍ବରରେ ସତ୍ୟନଗରରେ ଜଳୁଥିବା ଅଧିକାଂଶ ଶବର ସତ କଣ ତାହା ଏବେ ବି ସସପେନ୍ସ ଘେରରେ । କେବଳ ସତ୍ୟନଗର ନୁହେଁ ବରଂ ରାଜ୍ୟର ଅନ୍ୟ ସ୍ଥାନରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । କିନ୍ତୁ ସରକାରଙ୍କ ଖାତାରେ ଦୈନିକ ଚଢୁଥିଲା ମାତ୍ର ୧୨ ଜଣ ମୃତକଙ୍କ ନାଁ ।

ଆଉ ଏବେ ଦୈନିକ ସଂକ୍ରମଣ ୧୦ ହଜାର ପାର କରିଛି । ଦୈନିକ ସତ୍ୟନଗର ଶଶ୍ମାନରେ ୫୦ରୁ ୬୦ ଶବ ଜଳୁଛି । ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ମୃତଦେହ ସେମିତି ପଡି ରହୁଛି କିନ୍ତୁ ସରକାରୀ ଦସ୍ତାବିଜରେ ମୃତକଙ୍କ ସଂଖ୍ୟା ୨୫ ପାର୍ କରିନି । କିନ୍ତୁ ଶ୍ମଶାନରେ ଜଳୁଥିବା ଶବକୁ ଦେଖିବା ପରେ କେଉଁଠି ନା କେଉଁଠି ସରକାର କରୋନା ମୃତ୍ୟୁର ସତ ଲୁଚାଉଥିବା କୁହାଯାଉଛି । ଠିକ୍ ଯୋଗୀ ସରକାରଙ୍କ ପରି ।

Get real time updates directly on you device, subscribe now.

Leave A Reply

Your email address will not be published.