ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର
ରେଡ୍ ଆଲର୍ଟରେ ଭୁବନେଶ୍ବର ବିମାନବନ୍ଦର । ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ଦିଲ୍ଲୀ ବିମାନବନ୍ଦରକୁ ଉଡାଇ ଦେବାକୁ ଧମକ ଦେବା ପରେ ଭୁବନେଶ୍ବର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଗଷ୍ଟ ୧୦ତାରିଖରୁ ୨୦ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନନ୍ଦର କଡା ସୁରକ୍ଷା ବଳୟ ମଧ୍ୟରେ ରହିବ ।
ଆଗକୁ ସ୍ବାଧୀନତା ଦିବସ ଥିବାରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭିଜିଟର୍ସ ପାସ୍ରେ ବିମାନବନ୍ଦର ଟର୍ମିନାଲକୁ ପ୍ରବେଶ ନିଷିଦ୍ଧି ରହିଛି। ଆସନ୍ତା କିଛି ଦିନ ଯାଏ ଟର୍ମିନାଲକୁ ବାହାରର କୌଣସି ବ୍ୟକ୍ତିଙ୍କ ପ୍ରବେଶକୁ ବାରଣ କରାଯାଇଛି । ବିମାନବନ୍ଦର ସୁରକ୍ଷାରେ ଥିବା ସିଆଇଏସ୍ଏଫ୍ ଏବଂ କମିଶନରେଟ ପୋଲିସର ଟିମ୍ ବିମାନବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ଚଳପ୍ରଚଳ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ଏହି ସୂଚନା ଦେଇଛନ୍ତି।
ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଡାଇ ଦେବାକୁ ଧମକ ମିଳିଥିଲା । ପୋଲିସକୁ ଇମେଲ ମାଧ୍ୟମରେ ଧମକ ମିଳିବା ପରେ ବିମାନବନ୍ଦରରେ ସୁରକ୍ଷାକୁ ଆହୁରି କଡାକଡି କରାଯାଇଥିଲା । ଏହାସହ ପୋଲିସ ଓ ସିଆଇଏସଏଫ ଯବାନଙ୍କୁ ହାଇ ଆଲର୍ଟ କରାଯାଇଥିଲା ।