ଶିଶୁମାନେ ବି ହୁଅନ୍ତି ମାନସିକ ଚାପର ଶିକାର !
ଏହି ଲେଖାଟିକୁ ପିଲାମାନଙ୍କ ସହିତ ତାଙ୍କ ବାପା ମାଆ ମାନେ ମଧ୍ୟ ପଢିବେ ବୋଲି ଅନୁରୋଧ । ଖୁବ କମ ଅଭିଭାବକ ମାନେ ଏ ବିଷୟରେ ଜାଣନ୍ତି, କହିବାକୁ ଗଲେ ସେମାନଙ୍କ ଧାରଣାର ବାହାରେ ଏହି କଥା ଯେ, ଛୋଟ ପିଲାମାନେ ମଧ୍ୟ ବଡ଼ ମାନଙ୍କ ଭଳି ମାନସିକ ଚାପର ଶିକାର ହୁଅନ୍ତି । ହେଲେ ତାଙ୍କ ପାଖରେ ଏହାର ଲକ୍ଷଣ ଖୋଜିପାଇବା ବହୁତ କଷ୍ଟ । ଏପରିକି ବାପା ମାଆ ମାନେ ଜାଣି ପାରନ୍ତି ନାହିଁ, ଯେ ତାଙ୍କ ପିଲାମାନେ କେବେଠାରୁ ଏହି ମାନସିକ ଅସୁସ୍ଥତା ଭୋଗୁଛନ୍ତି । ଫଳରେ କଣ ହୁଏନା, ଯେବେ ଶିଶୁଟି ଏହି ରୋଗରୁ ମୁକ୍ତି ପାଇବା ପାଇଁ ଚିକତ୍ସା ଦରକାର କରିଥାଏ, ସେତେବେଳେ ସେ ଏହି ସୁବିଧା ନ ପାଇ କ୍ରମେ ଆହୁରି ଅସୁସ୍ଥ ହୋଇଯାଏ ।
ମାନସିକ ଅସୁସ୍ଥତା କଣ ? :
ଗୋଟିଏ ଶିଶୁର ସାମୁହିକ ବିକାଶ ; ଅର୍ଥାତ ସେ କିଭଳି ଭାବୁଛି, କେମିତି ସବୁ ପରିସ୍ଥିତିର ସାମ୍ନା କରୁଛି, ତାର ଭାବନା, ବ୍ୟବହାର ରେ ଯଦି କିଛି ନିର୍ଦ୍ଧିଷ୍ଟ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ କିମ୍ବା ତାର କାମ କରିବାର ଶୈଳୀ ରେ କିଛି ଅସୁବିଧା ଦେଖାଯାଏ , ତା ହେଲେ ଆମେ କହିବା ଯେ ସେ ମାନସିକ ଭାବରେ ଅସୁସ୍ଥ ଅଛି । ବୟସ ବଢିବା ଅନୁଯାୟୀ ସାମାଜିକ ବ୍ୟବହାର, ନିଜର ଆବେଗ ଉପରେ ନିୟନ୍ତ୍ରଣ ହରେଇବା ଏହାର ପ୍ରାଥମିକ ଲକ୍ଷଣ । ପରବର୍ତ୍ତୀ ସମୟରେ ଏହା ପିଲାମାନଙ୍କୁ ଘରେ ଏବଂ ବିଦ୍ୟାଳୟ ପରିବେଶରେ ନିଜ ସାଥୀ ପିଲାଙ୍କ ସହିତ ମିଳିମିଶି ଚଳିବାରେ ବ୍ୟାଘାତ ସୃଷ୍ଟି କରେ । ସେମାନେ ନିଜକୁ ଅନ୍ୟ ପିଲାଙ୍କ ଠାରୁ ଭିନ୍ନ ଏବଂ ଏକୁଟିଆ ଭାବନ୍ତି । ପ୍ରତି ପିଲାର ବୟସ ଅନୁଯାୟୀ ଭିନ୍ନ ଲକ୍ଷଣ ଦେଖାଯାଉଥିବାରୁ, ପିଲାଙ୍କ ପରିବାର ସଦସ୍ୟ ଏ ବିଷୟରେ ଜାଣି ପାରନ୍ତି ନାହିଁ । ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ ହେଉଛି ନିଜେ ମାନସିକ ଅସୁସ୍ଥତା ଭୋଗୁଥିବା ଶିଶୁ ବି ଏ ବିଷୟରେ କାହାକୁ କିଛି ଜଣେଇବାରେ ସମର୍ଥ ନ ଥାଏ ।
ଲକ୍ଷଣ :-
ଶିଶୁ ମାନଙ୍କର ଦୈନନ୍ଦିନ ଜୀବନରେ କ୍ରମାଗତ ଭୟ ଏବଂ ବ୍ୟଗ୍ରତା, ଯାହା ତାଙ୍କୁ ବିଦ୍ୟାଳୟରେ ଏବଂ ଖେଳକୁଦ ଆଦିରେ ମିଶିବା ପାଇଁ ମନରେ ଡର ସୃଷ୍ଟିକରେ । ନିଜର ସାଥୀ ପିଲାଙ୍କ ତୁଳନାରେ ସେମାନେ ନିଜକୁ ବହୁତ ପଛୁଆ ମନେକରନ୍ତି । ସେମାନେ ଭାବନ୍ତି ଯେ କେହି ତାଙ୍କୁ ଧ୍ୟାନ ଦେଉ ନାହାନ୍ତି ଏବଂ ଧ୍ୟାନ ଆକର୍ଷଣ କରିବା ପାଇଁ ଉଗ୍ର ଓ ଅପ୍ରାକୃତିକ କାମ କରନ୍ତି । ସବୁବେଳେ ଉଦାସ ହୋଇ ରହିବା, ଲୋକଙ୍କ ସହିତ ମିଶିବାକୁ, କୌଣସି କାମ କରିବାକୁ ଅନିଚ୍ଛା ପ୍ରକାଶ କରିବା, ଏକାଗ୍ରତାର ଅଭାବ ଆଦି ମାନସିକ ରୋଗର ରୋଗର ଲକ୍ଷଣ ବୋଲି କୁହାଯାଇପାରିବ । ବେଳେବେଳେ ତ ଏମିତି ବି ହୁଏ, ଯେ ଏଭଳି ଶିଶୁମାନଙ୍କ ବ୍ୟବହାର ନିୟନ୍ତ୍ରଣ ବାହାରେ ହୋଇଯାଏ । କେତେଜଣ ତ ନିଜକୁ ସୁଦ୍ଧା କ୍ଷତି ପହଞ୍ଚେଇବାର ଉଦାହରଣ ବି ରହିଛି ।
ଅଭିଭାବକଙ୍କ ପାଇଁ ପଦେ :-
ନିଜ ପିଲାଙ୍କୁ ମାନସିକ ଅସୁସ୍ଥତା ରୁ ଦୁରେଇ ରଖିବା ପାଇଁ ମାତାପିତା ପ୍ରାଥମିକ ସ୍ତରରେ କିଛି ବି ଲକ୍ଷଣ ପିଲା ଭିତରେ ଦେଖିଲେ, ତୁରନ୍ତ ଡାକ୍ତର କିମ୍ବା ମନୋବିଜ୍ଞାନୀ ଙ୍କ ପରାମର୍ଶ ନେବା ଉଚିତ । ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ଏ କ୍ଷେତ୍ରରେ ବେଶୀ ଜରୁରୀ, କାରଣ ସେମାନେ ପିଲାଙ୍କ ସହିତ କଥା ହୋଇ ସେମାନଙ୍କ ମନର ଭାବନା କୁ ଠିକ ରୂପେ ବୁଝି ପାରନ୍ତି କ୍ଷ ପିଲାଙ୍କୁ ଖେଳ କିମ୍ବା କିଛି କ୍ରିୟାତ୍ମକ କାମରେ ନିୟୋଜିତ କରି ତାଙ୍କ ମନକୁ ଆସୁଥିବା ଦୁଶ୍ଚିନ୍ତାକୁ ଦୂର କରାଯାଇପାରେ । ପିଲାଙ୍କୁ ବ୍ୟବସ୍ଥିତ କରିବାର କଳା କେବଳ ମନୋବିଜ୍ଞାନୀ ଏବଂ ଡାକ୍ତର ମାନଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥାଏ । ତେଣୁ ବିଳମ୍ବ ନ କରି କିଛି ବି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପାଖକୁ ନେବା ଅଭିଭାବକ ମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ।
ଚିକିତ୍ସା :-
ମାନସିକ ଅସୁସ୍ଥତା ଭୋଗୁଥିବା ଶିଶୁଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଲେ ଚିନ୍ତା ଏବଂ ବିଷାଦରୁ ମୁକ୍ତ ରହିବା ପାଇଁ ପିଲାମାନଙ୍କୁ ଔଷଧ ଦିଆଯାଇପାରେ । ମାତ୍ର କୋମଳମତି ପିଲାଙ୍କ ମାନସିକ ଅବସ୍ଥାକୁ ସ୍ଥିର ରଖିବା ପାଇଁ ଔଷଧ ଠାରୁ ସେମାନଙ୍କ ଚାରିପାଖର ପରିବେଶ ଓ ତାର ଚଳଣି କୁ ବେଶୀ ଗୁରୁତ୍ୱ ଦେବା ଆବଶ୍ୟକ । ପିଲାମାନଙ୍କୁ ଯେତେ ଅଧିକ ଖୁସିରେ ରଖାଯାଇପାରିବ, ସେମାନେ ସେତେ ଶୀଘ୍ର ମାନସିକ ଚାପରୁ ମୁକୁଳି ପାରିବେ । ପିଲାଙ୍କ ସାମର୍ଥ୍ୟ କୁ ଚିହ୍ନି ତାଙ୍କୁ ପ୍ରଶଂସା କଲେ ସେମାନେ ଉତ୍ସାହିତ ହେବେ । ନିଜ ଦୁର୍ବଳତା କୁ ଧ୍ୟାନ ନ ଦେଇ ଯାହା ସେମାନଙ୍କୁ ଖୁସି ଦିଏ ସେଭଳି କିଛି କରିବାକୁ ପିଲାଙ୍କୁ ଉତ୍ସାହିତ କଲେ ଧୀରେ ଧୀରେ ସେମାନେ ଏହି ମାନସିକ ଅସୁସ୍ଥତା ରୁ ଆରୋଗ୍ୟ ଲାଭ କରିବେ ।
ପିଲାମାନେ ହେଉଛନ୍ତି ଆଗାମୀ କାଲିର ଭବିଷ୍ୟତ । ମାନସିକ ଚାପ ଭଳି ରୋଗ କବଳିତ ହେବା ପାଇଁ କିଛି ନିର୍ଦ୍ଧିଷ୍ଟ ବୟସ ନ ଥାଏ । ଏହି ରୋଗର ଉପଚାର କଷ୍ଟ ନୁହେଁ, କିନ୍ତୁ ଏହାର ଲକ୍ଷଣ ଧରାପଡିବା ମଧ୍ୟ ଏତେ ସହଜ ନୁହେଁ । ଏହି ରୋଗର ଉପଶମ ସମ୍ଭବ, କେବଳ ଦରକାର ପିଲାଙ୍କ ପାଇଁ ଟିକେ ସ୍ନେହ, ଆତ୍ମୀୟତା ଏବଂ ନିଜ ଲୋକଙ୍କ ସହଯୋଗ ।
ଲେଖକ: ଶୃତକୀର୍ତ୍ତି ତ୍ରିପାଠୀ