ସରକାରୀ ଅଫିସକୁ ଯିବା ମନା
ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ପରେ ଗୋଟିଏ କଟକଣା ଲାଗୁ କରୁଛନ୍ତି ରାଜ୍ୟ ସରକାର । ସଂକ୍ରମଣ ଯେପରି ବୃଦ୍ଧି ନହୁଏ ସେଥିପାଇଁ କଟକଣା କଡାକଡି କରାଯାଉଛି । ସରକାରଙ୍କ ଅଫିସକୁ ଲୋକଙ୍କ ଯିବା ଉପରେ କଟକଣା ଲଗାଯାଇଛି ।
କଟକ, ଭୁବନେଶ୍ୱରରେ ଥିବା ସରକାରୀ ଅଫିସକୁ ଲୋକଙ୍କୁ ଯିବା ମନା । ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଜିଲ୍ଲାରେ ସରକାରୀ ଅଫିସକୁ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି । ଅତି ଜରୁରୀ କାମ ଯଦି ଥାଏ ତାହେଲେ ଉପରିସ୍ଥ ବରିଷ୍ଠ ଅଧିକାରୀଙ୍କ ଅନୁମତି ନେବା ଜରୁରୀ । ଯଦି ଅତି ଜରୁରୀ ନଥାଏ ତାହେଲେ ସାମନା ସାମନି ବୈଠକକୁ ମନା କରାଯାଇଛି । ଯଦି ନିହାତି ଆବଶ୍ୟକ ପଡେ ତାହେଲେ ଅନଲାଇନରେ ବୈଠକ ହେବ । ଯଥା ସମ୍ଭବ ଭର୍ଚୁଆଲ ମାଧ୍ୟମରେ ଅଫିସ କାମ କରିବାକୁ ଗୁୁରୁତ୍ୱ ଦେବାକୁ କୁହାଯାଇଛି ।
ସେହିପରି ଇ-ଅଭିଯୋଗ ମାଧ୍ୟମରେ ସମସ୍ୟା ଜଣାଇପାରିବେ ଲୋକେ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ରାଜ୍ୟରେ ଯେପରି ପୂର୍ବପରି ସ୍ଥିତି ନଉପୁଜେ ସେ ନେଇ ସତର୍କ କରାଇଦେଇଛନ୍ତି ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ଚେକିଂ ଜୋରଦାର କରାଯାଇଛି ।