ସ୍ୱର୍ଗଦ୍ୱାରରେ ଶବଦାହ ମନା
ପୁଣି ପୁରୀରେ ଫେରିଛି କଟକଣା । ଶ୍ରୀମନ୍ଦିରକୁ ସର୍ବସାଧାରଣ ଲୋକଙ୍କ ପ୍ରବେଶ ବନ୍ଦ ପରେ ଏବେ ସ୍ୱର୍ଗଦ୍ୱାରରେ ବି କଟକଣା ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହକୁ ନେଇ ପ୍ରଶାସନର ବଡ ନିଷ୍ପତି ନେଇଛି । ସ୍ୱର୍ଗଦ୍ୱାରରେ ଶବ ଦାହ ଉପରେ କଟକଣା ଲଗାଯାଇଛି । କାଲିଠୁ ସ୍ଵର୍ଗଦ୍ଵାର ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ବନ୍ଦ କରାଯାଇଛି ।
ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ପୁରୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ କୋଭିଡ୍ କାଳରେ ସ୍ୱର୍ଗଦ୍ୱାରରେ ଶବ ଦାହ ଉପରେ ଲଗାଯାଇଛି କଟକଣା । ବିଶେଷ କରି ପୁରୀ ଜିଲ୍ଲା ବାହାରୁ ଶବ ଆସିଲେ ଦେବାକୁ ପଡିବ କରୋନାର ନେଗେଟିଭ୍ ସାର୍ଟିଫିକେଟ । ଏହା ସହିତ ଜିଲ୍ଲା ବାହାର ବ୍ୟକ୍ତିଙ୍କୁ ସ୍ୱର୍ଗଦ୍ୱାର ମନା କରାଯାଇଛି । ଏହାପୂର୍ବରୁ ମଧ୍ୟ ଯେତେବେଳେ କୋଭିଡର ପ୍ରଥମ ଲହର ଦେଖାଦେଇଥିଲା, ସେ ସମୟରେ ବାହାର ଜିଲ୍ଲା ଓ ରାଜ୍ୟର ଲୋକଙ୍କୁ ପୁରୀ ସ୍ୱର୍ଗଦ୍ୱାର ମନା ହୋଇଥିଲା । ପୁରୀରେ ଅନ୍ୟ ଜିଲ୍ଲା ଓ ରାଜ୍ୟର ଲୋକଙ୍କ ଶବଦାହ ହେଲେ କୋଭିଡ୍ ବ୍ୟାପିବାର ଭୟ ରହୁଛି । ଯାହାକୁ ଆଖି ଆଗରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ।
ଗତ ୨୪ ଘଂଟାରେ ରାଜ୍ୟରେ ୬ ହଜାର ୧୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୧୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀକୁ ସାଧାରଣକ ବାହାରୁ ଅଧିକାଂଶ ଲୋକ ଆସୁଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ରହିଥାଏ ।