ଜିରୋ ନାଇଟରେ ଘରେ ରୁହ : ବିଏମସି
ନୁଆବର୍ଷ ଆସୁଛି । ସ୍ୱାଗତ କରିବାକୁ ଜିରୋ ନାଇଟ ସେଲିବ୍ରେସନ ପାଇଁ ସବୁଠି ଉକ୍ରଣ୍ଠା ଥାଏ । ହେଲେ ଏଥର କିନ୍ତୁ ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ ଲାଗିଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଜାରି ହୋଇଛି ଗାଇଡଲାଇନ । କୋଭିଡ ପରିସ୍ଥିତିକୁ ଆଖି ଆଗରେ ରଖି ଜାରି ହୋଇଥିବା ନିର୍ଦ୍ଦେଶନାମାରେ ୩ଟି ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି । ନିଜ ନିଜ ଘରେ ରହି ନୁଆବର୍ଷକୁ ସ୍ୱାଗତ କରିବାକୁ ପରାମର୍ଶ ଦିଆଯାଇଛି । ନଜର ପକାନ୍ତୁ ବିଏମସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ କଣ କୁହାଯାଇଛି ।
୧- ହୋଟେଲ, କ୍ଲବ, କନଭେନସନ ସେଂଟର, କଲ୍ୟାଣମଣ୍ଡପ ଭଳି ଜାଗାରେ ଜିରୋ ନାଇଟ ସେଲିବ୍ରେସନ ପାଇଁ କୈାଣସି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ
୨- ସେହିଭଳି ନୁଆବର୍ଷକୁ ସ୍ୱାଗତ କରିବାକୁ ଅନ୍ୟ କୈାଣସି ଜାଗାରେ ଜିରୋ ନାଇଟରେ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିବନାହିଁ
୩- କୋଭିଡ କଟ୍କଣାକୁ ଅନୁପାଳନ କରି ସମସ୍ତେ ନିଜ ନିଜ ଘର କିମ୍ବା ବ୍ୟକ୍ତିଗତ ସ୍ଥାନରେ ପରିବାର, ସଂପର୍କୀୟ ଏବଂ ସାଙ୍ଗସାଥୀଙ୍କ ସହ ନୁଆବର୍ଷ ପାଳନ କରିବାକୁ ପରାମର୍ଶ
ମୁଖ୍ୟତଃ ଏହି ତିନୋଟି ଦିଗ ଉପରେ ଜୋର ଦିଆଯାଇ ଗାଇଡଲାଇନ ଜାରି ହୋଇଛି । ଅର୍ଥାତ୍ କରୋନା ପାଇଁ ଏଥର ନୁଆବର୍ଷ ସ୍ୱାଗତ କାର୍ଯ୍ୟକ୍ରମ ଫିକା ରହିବ । ଯଦିଓ ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା କମ୍ ରହିଛି, ହେଲେ ବ୍ରିଟେନରୁ ଫେରିଥିବା କିଛି ଲୋକ ପଜିଟିଭ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଏବଂ ସରକାରଙ୍କ ମନରେ ଛନକା ପଶିଛି । ତେଣୁ ସଚେତନ ଓ ସତର୍କ ରହିବା ଉପରେ ଜୋର ଦିଆଯାଉଛି ।