ରାଜନୀତିରେ ଏଂଟ୍ରି କରିବେ ରର୍ବଟ!
ରାଜନୀତିରେ ପ୍ରବେଶ କରିବେ ଗାନ୍ଧୀ ପରିବାରର ଜ୍ୱାଇଁ । ରାଜସ୍ଥାନରେ ପହଁଚିବା ପରେ ଗାନ୍ଧୀ ପରିବାରର ଜ୍ୱାଇଁ ରବର୍ଟ ଭଦ୍ରା ରାଜନୀତିରେ ପ୍ରବେଶ କରିବେ ବୋଲି କହିଛନ୍ତି । ରାଜସ୍ଥାନରେ ପହଂଚିବା ପରେ ସେଠାରେ ଭଗବାନ ଗଣେଷଙ୍କୁ ଦର୍ଶନ କରିଥିଲେ ରବର୍ଟ ଭଦ୍ରା । ଏହାପରେ ସେ କହିଛନ୍ତି କି ‘ମୁଁ ଖୁବ୍ ଶୀଘ୍ର ରାଜନୀତିରେ ଯୋଗ ଦେବି’ ।
ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ବଡ ଘୋଷଣା କରିଛନ୍ତି । ରାଜସ୍ଥାନରେ ଭଗବାନ ଗଣେଷଙ୍କୁ ଦର୍ଶନ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ କି ଲୋକଙ୍କ ସେବା କରିବାକୁ ସେ ରାଜନୀତିରେ ଯୋଗ ଦେବେ । ‘କେହି ପରାମର୍ଶ ଦେଉଛନ୍ତି କି ମୁଁ ମୁରାଦାବଦରୁ ରାଜନୀତି ଆରମ୍ଭ କରେ ତ କେହି ପରାମର୍ଶ ଦେଉଛନ୍ତି ମୁଁ ଗାଜିଆବାଦରୁ ରାଜନୀତି ଆରମ୍ଭ କରେ’ ବୋଲି ସେ କହିଥିଲେ । ଦେଶରେ ଏବେ ଦରଦାମ ଅହେତୁକ ବୃଦ୍ଧି ପାଇଛି । ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ପେଟ୍ରୋଲ-ଡିଜେଲ ଓ ରୋଷେଇ ଗ୍ୟାସ୍ ଦର ବଢିଛି । ସେ ସାଧାରଣ ଲୋକଙ୍କ କଷ୍ଟକୁ ବୁଝିଛନ୍ତି । ଲୋକମାନେ ନିଜ ପାଇଁ ଔଷଧ ନେବେ ନା ଗାଡ଼ିରେ ପେଟ୍ରୋଲ ଭରିବେ ତାହା ବିଚାର କରି ପାରୁନାହାଁନ୍ତି ବୋଲି କହିଥିଲେ ।
ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ବି ମତ ରଖିଛନ୍ତି ରବର୍ଟ ଭଦ୍ରା । ଭାରତର ଲୋକମାନେ ଶିକ୍ଷିତ ଅଟନ୍ତି । ସମସ୍ୟା ଅଛି ମାନେ ସେମାନେ ସରକାରଙ୍କୁ ପ୍ରଶ୍ନ ପଚାରିବେ । ତାହା ତାଙ୍କର ଗଣତାନ୍ତ୍ରିକ ଅଧିକାର । କିନ୍ତୁ ସରକାର ଯେଭଳି ସେମାନଙ୍କ ସ୍ୱରକୁ ଚାପି ଦେବାକୁ ଚାହୁଁଛନ୍ତି ତାହା ଏକ ଗଣତନ୍ତ୍ର ରାଷ୍ଟ୍ରର ସରକାର ପାଇଁ ଶୋଭନୀୟ ନୁହେଁ । ଅନ୍ୟପଟେ ତାଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାଲିଥିବା ମାମଲାକୁ ନେଇ ସେ କହିଥିଲେ କି ପୁଣିଥରେ ପଚରା ଉଚରା କରିବାର କୌଣସି ଆବଶ୍ୟକତା ନଥିଲା । କେନ୍ଦ୍ର ସରକାର କ୍ଷମତାର ଅପବ୍ୟବହାର କରି ମୋତେ ବ୍ୟବହାର କରିବାକୁ ଚାହୁଁଛନ୍ତି ।