THE BYAPINI

ଦ୍ୱିତୀୟ ଲହରରେ ପ୍ରଭାବିତ ‘ସମ୍ବାଦ ଗ୍ରୁପ୍’ ?

Get real time updates directly on you device, subscribe now.

ମହାମାରୀ ମହାସଙ୍କଟ ପୂରା ବିଶ୍ୱକୁ ଦୋହଲାଇ ଦେଇଛି । ଆଉ ଏଥିରୁ ବାଦ୍ ପଡିନି ରାଜ୍ୟର ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ’ ଗ୍ରୁପ୍ । ଦ୍ୱିତୀୟ ଲହରର ସବୁଠୁ ଅଧିକ ପ୍ରଭାବ ସମ୍ବାଦ ଗ୍ରୁପ୍ ଉପରେ ପଡିଥିବା ଭଳି ମନେ ହେଉଛି । ଦ୍ୱିତୀୟ ଲହରରେ ସଂସ୍ଥାର କିଛି ଜଣାଶୁଣା ସାମ୍ବାଦିକ ପ୍ରାଣ ହରାଇଥିବା ବେଳେ ଆର୍ଥିକ ଭାବେ ମଧ୍ୟ ବେଶ ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ବ୍ୟାପିନି ପ୍ରତିନିଧିଙ୍କୁ ମିଳିଥିବା ସୂଚନା ମୁତାବକ, ସମ୍ବାଦ ଗ୍ରୁପ୍ ନିଜ କର୍ମଚାରୀଙ୍କ କିଛି ପ୍ରତିଶତ ଦରମାକୁ ଘୁଂଚାଇ ଦେଇଛି । ଏପରିକି ଏହି ଖବର ବାବଦରେ ବିଭିନ୍ନ ମିଡିଆ ଖଟିରେ ଜୋରଦାର ଚର୍ଚ୍ଚା ଚାଲିଛି । କେତେ ପ୍ରତିଶତ ଦରମା କଟିଛି ତାହା ସଠିକ୍ ଭାବେ ଜଣାପଡିନଥିଲେ ମଧ୍ୟ ଏହି ମାସରେ ମିଳିଥିବା ଦରମା କାଟ ହୋଇ ଆସିଥିବା ଜଣାପଡିଛି ।

ଆଉ ଏଭଳି କରି ସମ୍ବାଦ ଗ୍ରୁପ୍ ରାଜ୍ୟର ପ୍ରଥମ ଗଣମାଧ୍ୟମ ସଂସ୍ଥା ଭାବେ ଦରମାର କିଛି ଭାଗ ଘୁଂଚାଇଥିବା କୁହାଯାଉଛି । ତେବେ ଆଗାମୀ କେତେ ମାସ ଯାଏଁ ଏହି ପ୍ରକ୍ରିୟା ଜାରି ରହିବ ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । କେବଳ ଚଳିତ ବର୍ଷ ନୁହେଁ ଏହାପୂର୍ବରୁ ଗତବର୍ଷ ମଧ୍ୟ ସମ୍ବାଦ ଗ୍ରୁପର କର୍ମଚାରୀଙ୍କୁ ସମଦଶା ଭୋଗିବାକୁ ପଡିଥିଲା । କରୋନାର ପ୍ରଥମ ଲହରରେ ଯେତେବେଳେ ଲକଡାଉନ ଘୋଷଣା କରାଗଲା ସେତେବେଳେ ମଧ୍ୟ କର୍ମଚାରୀଙ୍କ ଦରମା କାଟ୍ କରିଥିଲା ସମ୍ବାଦ ଗ୍ରୁପ୍ । ଅବଶ୍ୟ ପରବର୍ତ୍ତୀ ସମୟରେ କାଟ ହୋଇଥିବା ଟଙ୍କା କର୍ମଚାରୀଙ୍କୁ ଫେରସ୍ତ କରାଯାଇଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଆଉ ଏବେ ଦ୍ୱିତୀୟ ଲହର ଆରମ୍ଭରୁ ରାଜ୍ୟର ଅନ୍ୟ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ ଏଭଳି ଦରମା କାଟ୍ ହୋଇନଥିବା ବେଳେ ସମ୍ବାଦ ଗ୍ରୁପ୍ ପକ୍ଷରୁ କର୍ମଚାରୀଙ୍କ ଦରମା କାଟ ନିଶ୍ଚିତ ଭାବେ ସୂଚାଉଛି ଯେ, ଆଗକୁ ଗଣମାଧ୍ୟମ ସଂସ୍ଥା ଗୁଡିକ ବଡ ଧରଣର ଆର୍ଥିକ ସଙ୍କଟ ଦେଇ ଗତି କରିପାରେ ।

ଏକଥା ଏଥିପାଇଁ କୁହାଯାଉଛି କାରଣ, କରୋନାର ଦ୍ୱିତୀୟ ଲହର ପାଇଁ ଏବେ କଟକଣାକୁ ଅଧିକରୁ ଅଧିକ କଡାକଡି କରାଯାଇଛି । ପ୍ରଥମ ଲହର ବେଳେ ଯେଉଁ ଆର୍ଥିକ କ୍ଷତି ହୋଇଥିଲା ତାହାର ଭରଣା କରିବା ପୂର୍ବରୁ ଦ୍ୱିତୀୟ ଲହରର ଝଟକା ଲାଗିଛି । ଉଭୟ ବ୍ୟବସାୟ ଓ ବ୍ୟବସାୟୀ ଅଣ୍ଟା ସଳଖି ଛିଡା ହେଉଥିବା ବେଳେ ମହାମାରୀ ମାଡ ବାଜିଛି । ଲକଡାଉନ ପାଇଁ ଏବେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା ଝୁଲୁଛି । ଏଭଳି ସ୍ଥଳେ ଗଣମାଧ୍ୟମ ସଂସ୍ଥାକୁ ପୂର୍ବଭଳି ବିଜ୍ଞାପନ ମିଳିବା ସହଜ ହେଉନାହିଁ । ଏହାଛଡା ସରକାରୀ ବିଜ୍ଞାପନ ମଧ୍ୟ ବେଶ କମ ମିଳୁଛି । ଯାହାର ପ୍ରଭାବ ଗଣମାଧ୍ୟମ ସଂସ୍ଥା ଗୁଡିକ ଉପରେ ସିଧାସଳଖ ପଡୁଛି । ତେବେ ସମ୍ବାଦ ଗ୍ରୁପ୍ ଭଳି ଏକ ପ୍ରତିଷ୍ଠିତ ସଂସ୍ଥା ବିଜ୍ଞାପନ ପାଇଁ କର୍ମଚାରୀଙ୍କ ଦରମା କାଟିବ ଏହା ଆଦୌ କେବେ ବିଶ୍ୱାସଯୋଗ୍ୟ ନୁହେଁ । କାରଣ ଦୀର୍ଘବର୍ଷ ଧରି କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ଦେଉଥିବା କାରଣରୁ ଗଣମାଧ୍ୟମ ଜଗତରେ ବେଶ ବିଶ୍ୱାସୀ ହୋଇପାରିଛି ସମ୍ବାଦ ଗ୍ରୁପ୍ । ତେଣୁ ଏଭଳି ବିଶ୍ୱାସ ଭାଙ୍ଗିବାକୁ ହୁଏତ କେବେ କମ୍ପାନି ପକ୍ଷରୁ ଉଦ୍ୟମ କରାଯିବ ନାହିଁ । ତେବେ ରାଜ୍ୟରେ ନୁଆ ନୁଆ ଖୋଲୁଥିବା ଗଣମାଧ୍ୟମ ସଂସ୍ଥା ଗୁଡିକ ଏହାକୁ ଏକ ସୁଯୋଗ ଭାବି ଗୋଟି ଚଳାଇବା ଆରମ୍ଭ କରିସାରିଲେଣି ।

Get real time updates directly on you device, subscribe now.

Leave A Reply

Your email address will not be published.