ପୂର୍ବତନ କୂଳପତିଙ୍କୁ କାହିଁକି ହତ୍ୟାକଲା ପ୍ରବୀଣ ? ଖୋଳତାଡ଼ ପରେ ସାମନାକୁ ଆସିଲା ସତ
ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ପ୍ରବୀଣ ଧରୁଆ ଘର ଲଇକେରା ବ୍ଲକ କୁଅଁରମାଲରେ। ପ୍ରବୀଣ ୧୦୦ ଟଙ୍କା ପାଇଁ ପୂର୍ବତନ କୁଳପତିଙ୍କୁ ହତ୍ୟା କରିଥିବା ଅଭିଯୋଗ ପରେ ପୁଲିସ ଆରମ୍ଭ କରିଥିଲା ତଦନ୍ତ । ତେବେ ମାଛ ଧରାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।
ରବିବାର ଦିନ ଧ୍ରୁବରାଜ ନାୟକଙ୍କୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପ୍ରବୀଣ । ପ୍ରଫେସର ଧ୍ରୁବରାଜ ୩ ବର୍ଷ ତଳେ ଘର ପାଖରେ ଥିବା ନିଜ ପୋଖରୀକୁ ଲିଜ ଆକାରରେ କାଙ୍କମାଲ ଗାଁର ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ । ହେଲେ ସର୍ଗିଗୁଡା ଗାଁର ପ୍ରବୀଣ ସହିତ କିଛି ବ୍ୟକ୍ତି ନିୟମିତ ସେହି ପୋଖରିରୁ ମାଛ ଚୋରି କରୁଥିଲେ । ଏହାକୁ ନେଇ ୧୫ ଦିନ ଆଗରୁ ପୋଖରୀକୁ ଲିଜ ନେଇଥିବା ବ୍ୟକ୍ତି ପ୍ରବୀଣ ନାଁରେ ଲଇକେରା ଥାନାରେ ଅଭିଯୋଗ କରିଥିଲେ । ପ୍ରବୀଣ ସହିତ ଅନ୍ୟ ଦୁଇଜଣ ମଧ୍ୟ ଏହି ଅଭିଯୋଗରେ ଜେଲ ଯାଇ ଜାମିନରେ ଗାଁକୁ ଫେରିଥିଲେ । ତେବେ ଫ୍ରଫେସର ଧ୍ରୁବରାଜଙ୍କ ଯୋଗୁଁ ସେମାନେ ଜେଲ ଯାଇଥିବା ଅଭିଯୋଗ କରି ତାଙ୍କ ଉପରେ ରାଗ ରଖିଥିଲେ ।
ସେହି କାରଣରୁ ସରଗିଗୁଡ଼ା ଘରେ ପ୍ରଫେସର ନାୟକ ଘରକୁ ଟାଙ୍ଗିଆ ଧରି ପଶି ଯାଇଥିଲା ଅଭିଯୁକ୍ତ । ଘରେ ଥିବା ପ୍ରଫେସର ନାୟକଙ୍କ ବୋହୂ ଓ ଝିଅଙ୍କୁ ସେ ୧୦୦ ଟଙ୍କା ମାଗିଥିଲା। ତେବେ ଟଙ୍କା ନାହିଁ ପରେ ଆସିବୁ ବୋଲି ସେମାନେ ତାକୁ କହିଥିଲେ। ଏହା ଭିତରେ ପ୍ରଫେସର ନାୟକ ସେଠାରେ ପହଞ୍ଚି ଟାଙ୍ଗିଆ ଧରି କାହିଁକି ଘର ଭିତରକୁ ଆସିଛୁ ବୋଲି ଅଭିଯୁକ୍ତକୁ ପଚାରି ଥିଲେ। ଏହା ସହିତ ତାକୁ ପ୍ରଥମେ ଘରୁ ବାହାରିବାକୁ କହିଥିଲେ। ଏହା ପରେ ଉତ୍ତ୍ୟକ୍ତ ପ୍ରବୀଣ ତାଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା। ଗୁରୁତର ଅବସ୍ଥାରେ ପ୍ରଫେସର ନାୟକଙ୍କୁ ଝାରସୁଗୁଡ଼ାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଲଇକେରା ଥାନା ପୋଲିସ ଅଭିଯୁକ୍ତ ପ୍ରବୀଣଙ୍କୁ ଗତକାଲି ଧରି ଥାନାରେ ଅଟକ ରଖିଥିଲା। ଜେରା ପରେ ତାକୁ ଗିରଫ କରିଛି।