ଅଲୋଡା ହୋଇଗଲେ ସଂଜୟ, ଅରୁଣ !
ବିଜୁ ଜନତା ଦଳର ସାଂଗଠନିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବାର ସଂକେତ ମିଳୁଛି, ଯେତେବେଳେ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ଦଳର ଦୁଇ ତୁଙ୍ଗ ନେତାଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି । ଦୀର୍ଘ ବର୍ଷ ଧରି ଦଳର ଯୁବ ଓ ଛାତ୍ର ସଂଗଠନ ସଂଜୟ ଦାସବର୍ମା ଏବଂ ଅରୁଣ ସାହୁଙ୍କ ହାତରେ ଥିଲା । ଉଭୟଙ୍କ ବିନା ଇଙ୍ଗିତରେ ଏହି ଦୁଇ ସଂଗଠନରେ ପତ୍ର ବି ହଲୁନଥିଲା । ହେଲେ ଏବେ ଦଳର ଯୁବ ଓ ଛାତ୍ର ସଂଗଠନରେ ଏମାନଙ୍କର ଅଭିଜ୍ଞତା ଆବଶ୍ୟକତା ପଡୁନାହିଁ । ସଫା ସଫା କହିବାକୁ ଗଲେ ଦଳ ଯେତେବେଳେ ତାର ଭବିଷ୍ୟତର ରୋଡମ୍ୟାପ ତିଆରି କରୁଛି ସେତେବେଳେ ସଂଜୟ ଏବଂ ଅରୁଣ ଅବହଳାର ଶୀକାର ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବ୍ୟୋମକେଶ ରାୟ ଏବେ ବିଜୁ ଯୁବ ଜନତା ଦଳର ଦାୟିତ୍ୱରେ । ସେ ଏଭଳି ଏକ ସମୟରେ ଦାୟିତ୍ୱ ପାଇଛନ୍ତି ଯେତେବେଳେ ଦୀର୍ଘ ଦିନ ଧରି ସରକାରରେ ରହିବା ପରେ ଦଳ ବିରୁଦ୍ଧରେ ଏକ ହାୱା ତିଆରି ହୋଇଛି । ତାକୁ ପ୍ରତିହତ କରିବାର ଗୁରୁ ଦାୟିତ୍ୱ ବ୍ୟୋମକେଶଙ୍କ ଉପରେ । ନୁଆ ପିଢୀଙ୍କୁ ଦଳ ପ୍ରତି ଆକର୍ଷିତ କରିବା, ଯୁବକ ମାନଙ୍କ ସମସ୍ୟାକୁ ଦୂର କରିବା, ଦଳର ଏକ ଗ୍ରହଣୀୟ ଚେହେରା ଯୁବସମାଜରେ ସୃଷ୍ଟି କରରିବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ । ଆଉ ଏହି ଆହ୍ୱାନ ଭରା ସମୟରେ କିନ୍ତୁ ଦଳ ତାର ପୁରୁଖା ତଥା ଉଭୟ ସଂଗଠନ ଉପରେ ଅଖଣ୍ଡ ପ୍ରଭାବ ରଖୁଥିବା ଦୁଇ ନେତାଙ୍କୁ ସାଇଡ୍ କରି ଆଗକୁ ବଢିବାର ଅର୍ଥ କଣ ହୋଇପାରେ?
ଶୁଣିବାକୁ ମିଳୁଛି, ଦଳ ଭିତରେ ଏକାଧିକ ଗୋଷ୍ଠୀ ନିଜର କ୍ଷମତାକୁ ଜାହିର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଆଉ ତାର ଫଳ କିଛି ଏଭଳି ଭାବେ ଦେଖିବାକୁ ମିଳିଛି । ୨୦୧୨ର ରାତିଅଧିଆ ଷଡଯନ୍ତ୍ର ଅଭିଯୋଗ ପରେ ମନ୍ତ୍ରୀମଣ୍ଡଳରେ ହୋଇଥିବା ଅଦଳବଦଳ ଏବଂ ଏଥିରେ ଗୁରୁତ୍ୱ ପାଇଥିବା ନେତାଙ୍କ କାନ୍ଧ ଉପରେ ଆଜିର ଦିନରେ ଦଳର ଭବିଷ୍ୟତ ନିର୍ଭର କରୁଛି । ଖାସ୍ କରି ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବଙ୍କ ଭଳି ନେତା ଦଳର ଗୋଟିଏ ଗୋଟିଏ ସ୍ତମ୍ଭ ଭାବେ କାର୍ଯ୍ୟ କରୁଛନ୍ତି । ହେଲେ ପ୍ରଣବ ପ୍ରକାଶ ଦାସ ଦଳ ଭିତରେ ଯେଉଁ ଉଚ୍ଚତାରେ ଯାଇ ପହଁଚିଛନ୍ତି ତାକୁ ନେଇ ଅନ୍ୟମାନେ ଇର୍ଷାନ୍ୱିତ ହେବା ସ୍ୱାଭାବିକ ।
ନିଜର ଗୋଟି ବେଶ ଭଲଭାବେ ଚଲାଇବାରେ ମାହିର ଥିବା ବବି ଦାସ, କାହାକୁ ଅସନ୍ତୁଷ୍ଟ କରିବା ବଦଳରେ ସମସ୍ତଙ୍କୁ ନିଜ ସହ ଆଗକୁ ନେଇ ବଢିବାକୁ ଉଦ୍ୟମ କରିଥାନ୍ତି । ସଂଜୟ ଦାସବର୍ମା ନିର୍ବାଚନ ହାରିବା ସତ୍ତେ୍ୱ ସେ ଆଜିର ଦିନରେ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏହା ପଛରେ ପ୍ରଣବ ପ୍ରକାଶଙ୍କର ଏକ ବଡ ଭୂମିକା ଥିଲା । ୨୦୧୯ରେ ନିର୍ବାଚନ ହାରିଥିବା ଏକମାତ୍ର ନେତା ଭାବେ ସେ ଦାୟିତ୍ୱ ପାଇବା ସଂଜୟଙ୍କ କ୍ଷମତାକୁ ପ୍ରମାଣିତ କରୁଥିଲା । ଆଉ ବବି ଦର୍ଶାଇଥିଲେ, ତାଙ୍କ ପାଇଁ ସଂଜୟ କେତେ ଗୁରୁତ୍ୱପୂର୍ଣ୍ଣ । ସେହିଭଳି ୟଙ୍ଗ ବ୍ରିଗେଡଙ୍କ ମଧ୍ୟରୁ ଅରୁଣ ସାହୁ ହିଁ କେବଳ ମନ୍ତ୍ରୀ ହୋଇଥିଲେ । ଅତନୁ, ପ୍ରତାପ ଦେବ ଏମାନେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇନଥିଲେ ।
ଆଉ ଏବେ ଆଜିର ସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଅରୁଣ-ସଂଜୟଙ୍କୁ ପଦ ପଦବୀ ଦେଇସାରିବା ପରେ ସଂଗଠନରୁ କିନ୍ତୁ ସେମାନଙ୍କୁ ଦୂରେଇ ରଖାଯାଇଛି । ଯାହା ଦର୍ଶାଉଛି ଦଳ ବଦଳରେ ସେମାନଙ୍କୁ ସରକାରର ଅଧିକ ବ୍ୟସ୍ତ ରଖିବା ପାଇଁ ଯୋଜନା ହୋଇଛି । ବଡ କଥା ହେଉଛି, ଯେଉଁ ନୂଆ ଛାତ୍ର ଆଉ ଯୁବ ସଂଗଠନ ତିଆରି ହୋଇଛି ସେଥିରେ ଉଭୟ କ୍ୟାମ୍ପର କମ୍ ନେତାଙ୍କୁ ସୁଯୋଗ ମିଳିଛି, ଅନେକ ନୂଆ ନେତାଙ୍କୁ ସାମ୍ନାକୁ ଅଣାଯାଇଛି । ସମୀକରଣ କଣ ରହୁଛି, ରାଜନୈତିକ ଗୋଟିଚାଳନାରେ ପ୍ରଭାବ କଣ ପଡୁଛି, ସେନେଇ ଏବେ ସମୀକ୍ଷା ଆରମ୍ଭ ହୋଇଛି ।
ଯଦିଓ ରାଜ୍ୟ କାର୍ଯ୍ୟକାରିଣୀ ଏବଂ ରାଜ୍ୟ ପରିଷଦ ବୈଠକରେ ଉଭୟଙ୍କ ଦବଦବା ଦେଖିବାକୁ ମିଳିଥିଲା, ହେଲେ ଯୁବ ଆଉ ଛାତ୍ର ସଂଗଠନର ବ୍ୟାପାରରେ ସବୁଠାରୁ ସକ୍ରିୟ ଥିବା ଏହି ଦୁଇ ନେତାଙ୍କୁ କୋଣଠେସା କରାଯାଇଥିବା ଚର୍ଚ୍ଚା ହେଉଛି । ହୁଏତ ଦଳୀୟ ମହଲରେ କୁହାଯାଇପାରେ, ଉଭୟେ ରାଜନୈତିକ ଅଭିଜ୍ଞତା ଦୃଷ୍ଟିକୋଣରୁ ଏସବୁ ସଂଗଠନ ଠାରୁ ଯଥେଷ୍ଟ ଉପରକୁ ଗଲେଣି ହେଲେ ଅସଲ କଥା ହେଲା, ଦଳ ଭିତରେ କ୍ଷମତାକୁ ନେଇ ଏକ ବିରାଟ ମତପାର୍ଥକ୍ୟ ରହିଛି ଯାହା ଏଥିରୁ ସ୍ପଷ୍ଟ । ଦଳର ସୁପ୍ରିମୋଙ୍କ କିଏ ଅଧିକା ବିଶ୍ୱାସଭାଜନ ହେଉଛି ସେନେଇ ଏକ ରେସ୍ ଚାଲିଥିବା ଚର୍ଚ୍ଚା ଚାଲିଛି ।