ଚକ୍ରବ୍ୟୁହରେ ସଂଜୟ ଦାସବର୍ମା ?
୨୦୧୯ ନିର୍ବାଚନରେ ହାରିଲେନି ଯେ, ସଂଜୟ ଦାସବର୍ମାଙ୍କର ରାଜନୈତିକ କ୍ୟାରିୟରରେ ହଠାତ୍ ଗ୍ରହଣ ଲାଗିଗଲା । ମନ୍ତ୍ରୀ ହୋଇ ନାଲିବତୀ ଚଢୁଥିବା ନେତାଙ୍କୁ ରାସ୍ତାରେ ଲୋକ ହଲାପଟା କରିବା ଆରମ୍ଭ କଲେଣି, ଯାହା ସ୍ପଷ୍ଟ ପ୍ରମାଣିତ କରୁଛି, ଦଳ ଭିତରେ ସଂଜୟ କଣ ପାଇଁ କେଜାଣି ଅଲୋଡା ହୋଇଯାଉଛନ୍ତି । ଆପଣଙ୍କର ମନେ ଥିବ, ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡିର ପ୍ରଦର୍ଶନ ଯେତେବେଳେ ଖରାପ ହୋଇଥିଲା ସେତେବେଳେ ନୁଆ ରଣନୀତି ଦଳ ଆପଣାଇଥିଲା । କୁହାଗଲା, ଯୁବ ନେତା ଯେଉଁମାନେ ମନ୍ତ୍ରୀପଦ ପାଇଛନ୍ତି ସେମାନେ ପଦ ଛାଡିବେ ଏବଂ ଦଳ ପାଇଁ କାର୍ଯ୍ୟ କରିବେ । ବର୍ତ୍ତମାନର ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କର ଏହି ରଣନୀତି ସେତେବେଳେ ବେଶ ପ୍ରଶଂସିତ ହୋଇଥିଲା । ହେଲେ ଏହାକୁ ନେଇ କିନ୍ତୁ ଖୁସି ନଥିଲେ ସଂଜୟ ଦାସବର୍ମା । ଏପରିକି ଚର୍ଚ୍ଚା ଅନୁସାରେ ସେ ମନ୍ତ୍ରୀପଦ ଛାଡିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ । ହେଲେ ପରେ ଚାପ ପଡିଲା ଆଉ ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଏକ ବ୍ୟାପକ ପରିବର୍ତ୍ତନ ହେଲା । ଅବଶ୍ୟ ସଂଜୟ ଦାସବର୍ମାଙ୍କର ବିରୋଧାଭାଷର ଏଭଳି ଘଟଣା ପ୍ରଥମ ଥର ପାଇଁ ଥିଲା, ତେଣୁ ଚର୍ଚ୍ଚାର ପରିଧିକୁ ବେଶୀ ଆସୁନଥିଲା । ହେଲେ ସମୟ ବଦଳିବା ସହ ଆଜିର ଦିନେ ସଂଜୟ ଦାସବର୍ମା ନିର୍ବାଚନ ହାରିଛନ୍ତି ଆଉ ମୁଖ୍ୟମନ୍ତ୍ରୀ ସଂଜୟଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି ।
ଦୁଇ ଜଣ ନେତାଙ୍କର କାର୍ଯ୍ୟଶୈଳୀ ଏବଂ ଦଳ ଭିତରେ ଓଜନକୁ ନେଇ ମାପ କଲେ ସ୍ପଷ୍ଟ ଜଣାପଡୁଛି କିଭଳି ଅବହେଳିତ ଭାବେ ସଂଜୟ ଦାସବର୍ମା ଦାୟିତ୍ୱ ତୁଲାଉଛନ୍ତି । ଅରୁଣ ସାହୁ ମନ୍ତ୍ରୀପଦ ପାଇଛନ୍ତି, ପ୍ରଣବ ପ୍ରକାଶ ଦାସ ବିଜେଡିର ଦୁଇ ନମ୍ବର ଭାବେ ଦାୟିତ୍ୱ ତୁଲାଉଛନ୍ତି ଆଉ ନେତା ଭାବେ ମୁଖ୍ୟମନ୍ତ୍ରୀଙ୍କର ଅତ୍ୟନ୍ତ ଅନୁଗତ ପାଲଟିଛନ୍ତି । ଅପରପକ୍ଷରେ ସଂଜୟ ଦାସବର୍ମାଙ୍କୁ ଦଳ ମୁଖ୍ୟାଳୟ ସାଧାରଣ ସଂପାଦକ ଦାୟିତ୍ୱ ଦେଇଛି । ଏହି ପଦର ଦାୟିତ୍ୱ କଣ ଏବଂ ସଂଜୟଙ୍କୁ ଏହି ଦାୟିତ୍ୱ ଦିଆଯାଇ ତାଙ୍କୁ ନିଚା ଦେଖାଇବାର ରଣନୀତି ଆପଣାଯାଇଥିଲା କି ତାକୁ ନେଇ ବିତର୍କ ଚାଲିଛି । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ନିର୍ବାଚନ ହାରିବା ପରେ ସଂଜୟଙ୍କ କାଟତି ବହୁ ପରିମାଣରେ ହ୍ରାସ ପାଇଛି । ଅନ୍ୟ ଗୋଟିଏ ଦିଗକୁ ନେଇ ଦେଖାଗଲେ ଲୁଲୁ ମହାପାତ୍ରଙ୍କ ଦେହାନ୍ତ ପରେ ବିଜେଡି ଫୋକସରୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ହଟିଯାଇଛି । କାରଣ ଲୁଲୁ ମହାପାତ୍ର କିଭଳି ବିଧାନସଭା ନଆସିବେ ସେଥିପାଇଁ ବିଜେଡି ସବୁବେଳେ ପ୍ରସ୍ତୁତି କରିଥାଏ । ବୋଧହୁଏ ତାଙ୍କ ଅବର୍ତ୍ତମାନରେ ବିଜେଡିର ଫୋକସ ଧୀରେ ଧୀରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ହଟିଯାଉଛି । ଆଉ ସଂଜୟ ଦାସବର୍ମା ଦଳ ଭିତରେ ଗୈାଣ ହୋଇଯାଉଛନ୍ତି ।
ଚିଟଫଣ୍ଡ ସ୍କାମରେ ଫଶିଥିବା ସଂଜୟ ଦାସବର୍ମା ଦଳ ପାଇଁ ମଧ୍ୟ ମଝିରେ ମଝିରେ ବିପଦ ଆଣିବାର ସମ୍ଭାବନା ଥିବାରୁ ତାଙ୍କୁ ବିଜେଡି ସୀମିତ ଦାୟିତ୍ୱ ଦେଇ ରଖିବାକୁ ଚାହୁଁଛି । ନଚେତ ପଂଚମପାଳି କ୍ଷମତାକୁ ଆସିଥିବା ଦଳ ସାମ୍ନାରେ ଅନେକ ଆହ୍ୱାନ ସୃଷ୍ଟି ହେବ, ଯାହା ଭୋଟରଙ୍କ ମନରେ ଦଳ ବିରୁଦ୍ଧରେ ଏକ ବାତାବରଣ ତିଆରି କରିବ । ନିକଟରେ ନବରଙ୍ଗପୁର ଯାଇଥିବା ବେଳେ ମଣ୍ଡି ସମସ୍ୟା ନେଇ ସଂଜୟ ଦାସବର୍ମାଙ୍କୁ ଚାଷୀ ଘେରିଥିଲେ । ସଂଜୟ ହେଉଛନ୍ତି ପୂର୍ବତନ ଯୋଗାଣ ମନ୍ତ୍ରୀ ଏବଂ ନବରଙ୍ଗପୁର ଦାୟିତ୍ୱରେ ଥିବା ବିଜେଡି ନେତା । ତେଣୁ ନିଜ ପୂର୍ବତନ ବିଭାଗ ସଂପର୍କିତ ସମସ୍ୟା ଏବଂ ନିଜ ଦାୟିତ୍ୱରେ ରଖିଥିବା ଜିଲ୍ଲାରେ ଯଦି ସେ ହଲାପଟାର ସମ୍ମୁଖୀନ ହେବେ ତେବେ ସବୁକିଛି ଠିକନାହିଁ ବୋଲି ବୁଝିବାକୁ ପଡିବ । ତେଣୁ ଏହା ଏକ ସତର୍କଘଂଟି ସଦୃଶ । କୁହାଯାଉଛି ଉପକୁଳ ରାଜପଥକୁ ନେଇ ସଂଜୟ ଦାସବର୍ମା ଯେବେ ରାଜନୈତିକ ଗୋଟିଚାଳନା କରି ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କରାଇଲେ ସେବେଠାରୁ ମୁଖିଆଙ୍କ ଭରସା ତାଙ୍କ ଉପରେ ଟିକିଏ କମିଯାଇଛି । ହେଲେ ଏଥିରେ ବାସ୍ତବତା କେତେ ରହିଛି, ତାକୁ ସମୟ କହିବ କିନ୍ତୁ ସଂଜୟଙ୍କ ପାଇଁ ଆଗକୁ ରାସ୍ତା କଂଟାଭରା ଏହା ଧୀରେ ଧୀରେ ସ୍ପଷ୍ଟ ହେଉଛି ।