ମାନ୍ୟବର ରିଟର୍ଣ୍ଣ : ସତସଙ୍ଗ କରିବାକୁ ମିଳିଲା ଅନୁମତି, ଜୁଲାଇ ୧ରୁ ଭକ୍ତଙ୍କ ଗହଣକୁ ଫେରିବେ ସାରଥୀ ।
ଭକ୍ତ ଆସିବେ, ସତସଙ୍ଗ ହେବ, ପୁଣି ଚାଲିବ ପ୍ରବଚନ । ମାନ୍ୟବର ଶବ୍ଦରେ ପ୍ରକମ୍ପିତ ହେବ ସତସଙ୍ଗ ସ୍ଥଳ । କାରଣ ରିଟର୍ଣ୍ଣ କରିବେ ସାରଥୀ । ଭକ୍ତଙ୍କ ଗହଣରେ ବସିବେ, ପ୍ରବଚନ ଓ ସତସଙ୍ଗ ଆରମ୍ଭ କରିବେ । ବହୁ ଚର୍ଚ୍ଚିିତ ସାରଥୀ ବାବାଙ୍କୁ ପ୍ରବଚନ ଓ ସତସଙ୍ଗ ପାଇଁ ହାଇକୋର୍ଟ ଅନୁମତି ଦେବା ପରେ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଜେଲରୁ ଫେରିବା ପରେ ସାରଥୀଙ୍କ ପ୍ରବଚନ ଓ ସତସଙ୍ଗ ଉପରେ ରୋକ ଲଗାଯାଇଥିଲା । ତେବେ ଏନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସନ୍ତୋଷ ରାଉଳ ଓରଫ ସାରଥୀ । ଆଉ ଏବେ ପୁଣିଥରେ ପ୍ରବଚନ ଓ ସତସଙ୍ଗ ଆରମ୍ଭ କରିବାକୁ ହାଇକୋର୍ଟରୁ ସାରଥୀଙ୍କୁ ମିଳିଛି ସବୁଜ ସଂକେତ । ତେବେ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି ହାଇକୋର୍ଟ । କୋଭିଡ ଗାଇଡଲାଇନ ଅନୁଯାୟୀ ମାତ୍ର ୨୦୦ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରିପାରିବେ ସାରଥୀ । ଆଉ ଜୁଲାଇ ୧ରୁ ପୁଣିଥରେ ଦେଖିବାକୁ ମିଳିବ ସାରଥୀଙ୍କ ସତସଙ୍ଗ ।
ପାଖାପାଖି ୬ ବର୍ଷ ପରେ ସାରଥୀ କରିବେ ସତସଙ୍ଗ । ତେବେ ୬ବର୍ଷ ପୂର୍ବେ କଣ ହୋଇଥିଲା ତାହାର ପୂରା ଇତିହାସ ଓଡ଼ିଶା ଜାଣିଛି । ଆତ୍ମଘୋଷିତ ଭଗବାନରୁ ରାତାରାତି ଭଣ୍ଡ ପାଲଟିଯାଇଥିବା ସାରଥୀଙ୍କ କାହାଣୀ କିଏ ବା ନ ଜାଣିଛି । ମିଠା ମିଠା କଥା, ଅଲୌକିକତା ଓ ଅବିଶ୍ୱସନୀୟତାର ଝଲକ ଦେଖାଇ ବାରିମୂଳରେ ସାରଥୀ ବାବା ଗଢିଥିଲେ ବଡ ସାମ୍ରାଜ୍ୟ । ତେବେ ପାଖାପାଖି ୬ ବର୍ଷ ପୂର୍ବେ ମହିଳା ଭକ୍ତଙ୍କ ସହ ସାରଥୀଙ୍କ ରୋମାନ୍ସର ଖବର ସାମ୍ନାକୁ ଆସିବା ପରେ ପୂରା ରାଜ୍ୟରେ ଅସନ୍ତୋଷର ନିଆଁ ଜଳିଥିଲା । ଗଣମାଧ୍ୟମର ଖବର ସାରଥୀଙ୍କୁ ଭକ୍ତଙ୍କ ନଜରରେ ସୈତାନ ବନାଇ ସାରିଥିଲା । ଆଉ ଯେତେବେଳେ ଯୁବତୀ ଯୌନ ଶୋଷଣର ଅଭିଯୋଗ ଆଣିଲେ ସେତେବେଳେ ବାରିମୂଳ ଆଶ୍ରମର ଏସି ରୁମରୁ ସାରଥୀ ପହଞ୍ଚିଥିଲେ ଜେଲର ଚାରିକାନ୍ଥ ଭିତରେ । ସାରଥୀଙ୍କ ନୂଆ ପରିଚୟ ପାଲଟି ସାରିଥିଲା ଚୌଦ୍ୱାର ଜେଲ । ନିଜକୁ ଭଗବାନ କହୁଥିବା ସାରଥୀ ଯେ, ସୈତାନ ପାଲଟିଯିବେ ତାହା ବିଶ୍ୱାସ କରିପାରୁନଥିଲେ ହଜାର ହଜାର ଭକ୍ତ ।
ଅଗଷ୍ଟ ୮ରେ ସାରଥୀଙ୍କୁ ବାରିମୂଳ ଆଶ୍ରମରୁ ଉଠାଇଆଣିଲା ପୋଲିସ । ଆଉ ଏଥିପାଇଁ ନାକେଦମ ମଧ୍ୟ ହେବାକୁ ପଡିଲା । ଗିରଫ ହେବା ପରେ ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ସାରଥୀଙ୍କ ଭଣ୍ଡ ତଥା କଳା ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲି ଚାଲିଲା କ୍ରାଇମବ୍ରାଞ୍ଚ । ବାରିମୂଳ ଆଶ୍ରମରେ ବାବାଙ୍କ ବେଆଇନ ଅର୍ଥ କାରବାର ଉପରୁ ପରଦା ହଟାଇ ସାରଥୀଙ୍କୁ ଭଣ୍ଡର ଟ୍ୟାଗ୍ ଦେଲା କ୍ରାଇମବ୍ରାଞ୍ଚ । ସାରଥୀଙ୍କ ଗିରଫ ସହ ସିଲ୍ ହେଲା ପୂରା ସାମ୍ରାଜ୍ୟ । ସାରଥୀ ଗିରଫ ହେବାର ଏହା ଭିତରେ ପାଖାପାଖି ୬ ବର୍ଷ ପୂରିବାକୁ ଯାଉଛି । ଜେଲ ପରେ ବେଲ ମିଳିଛି । କିନ୍ତୁ ଭକ୍ତଙ୍କ ସହ ସିଧାସଳଖ ଯୋଡି ହେବାକୁ କୌଣସି ସୁଯୋଗ ଦିଆଯାଇନଥିଲା । ପ୍ରବଚନ ଓ ସତସଙ୍ଗ ଉପରେ ରୋକ ଲାଗିଥିଲା । ଆଉ ଏହାକୁ ନେଇ ହାଇକୋର୍ଟରେ ଦ୍ୱାରସ୍ଥ ହେବା ପରେ ଏବେ ପୁଣିଥରେ ଭକ୍ତଙ୍କ ସହ ବସି ସତସଙ୍ଗ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । କିନ୍ତୁ ଭଣ୍ଡ ବାବାର ଟ୍ୟାଗ୍ ପାଇଥିବା ସାରଥୀଙ୍କୁ ଭକ୍ତ ଆଉ ବିଶ୍ୱାସକୁ ନେଉଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା ।