ସ୍କୁଲ ମିଶ୍ରଣକୁ ହାଇକୋର୍ଟଙ୍କ ନା
କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି କୋର୍ଟ । ପୂର୍ବରୁ ଏହି ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିବା ବେଳେ ଆଜି ଏହାକୁ ରଦ୍ଦ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୦ରୁ କମ ପିଲା ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ ପାଇଁ ନିଷ୍ପତ୍ତି ହୋଇଥିଲା। ଏହାକୁ ନେଇ ୨୦୨୦ ମାର୍ଚ୍ଚ ୧୧ରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
୨୦ରୁ କମ୍ ପିଲା ଥିବା ସ୍କୁଲ ନିକଟ ବିଦ୍ୟାଳୟ ସହ ମିଶ୍ରଣ ପାଇଁ ନିଷ୍ପତ୍ତି ନେଇଥିଲେ ସରକାର । ୨୦୨୦ ମାର୍ଚ୍ଚ ମାସରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାକୁ ବିରୋଧ କରି ହାଇକୋର୍ଟରେ ଆପତ୍ତି ଉଠାଇଥିଲେ ଅଭିଭାବକ । ତେବେ ସ୍କୁଲରେ କମ ପିଲା ପଢିବା ନେଇ ରାଜ୍ୟ ସରକାରଙ୍କ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଦାୟୀ ବୋଲି ହାଇକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି । ସ୍କୁଲଗୁଡ଼ିକୁ ଯଥେଷ୍ଟ ଭିତ୍ତିଭୂମି ଯାେଗାଇ ନଦେଇ ରାଜ୍ୟ ସରକାରଙ୍କ ପିଲା କମ୍ ଦୃଷ୍ଟିରୁ ଅନ୍ୟ ସ୍କୁଲ ସହ ମିଶାଇ ଦେବା ପ୍ରସ୍ତାବ ଏକ ବେଆଇନ୍ ପ୍ରସ୍ତାବ ବୋଲି କହିଛନ୍ତି ମାନ୍ୟବର କୋର୍ଟ । ଶିକ୍ଷାବିତ୍ ପ୍ରୀତୀଶ ଆଚାର୍ୟ୍ୟ ହାଇକୋର୍ଟଙ୍କ ଏହି ରାୟକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ହାଇକୋର୍ଟଙ୍କ ଏହି ରାୟକୁ ରାଜ୍ୟ ସରକାର ମଧ୍ୟ ଗ୍ରହଣ କରି ନେବା ଉଚିତ୍। କାରଣ ସ୍କୁଲ୍ ମିଶ୍ରଣ ନୀତି ଦ୍ୱାରା ଗ୍ରାମାଞ୍ଚଳର ଅନେକ ପିଲା ଶିକ୍ଷାରୁ ବଞ୍ଚିତ ହୋଇଯାଇଥା’ନ୍ତେ। ସରକାର ଲାଭକ୍ଷତି ବା ଖର୍ଚ୍ଚକୁ ଦେଖି ଶିକ୍ଷା ବ୍ୟବସ୍ଥାକୁ ଚଲାନ୍ତୁ ନାହିଁ।
ତେବେ ଏହାରି ମଧ୍ୟରେ କିଛି ସ୍କୁଲର ମିଶ୍ରଣ ହୋଇସାରିଥିବା ବେଳେ ଅନ୍ୟ କିଛି ସ୍ଥାନରେ ମିଶ୍ରଣ ହେବାର ବାକି ଅଛି । କିନ୍ତୁ ଏହାକୁ ବିରୋଧ କରି କିଛି ଅଭିଭାବକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ମାନ୍ୟବର କୋର୍ଟ ଅଭିଭାବକଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।
ପୂର୍ବରୁ ରାଜ୍ୟରେ ୯ ହଜାର ସ୍କୁଲ ବନ୍ଦ ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ଭୟଙ୍କର ବୋଲି କହିଥିଲା ବିଜେପି। ପ୍ରତିବର୍ଷ ୧୧ ଲକ୍ଷ ପିଲା ପ୍ରାଥମିକ ବିଦ୍ୟାଳୟରେ ନାଁ ଲେଖାଉଥିବା ବେଳେ ୧୦ମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ପିଲା। ତେଣୁ ୬ ଲକ୍ଷ ପିଲା ଅଧାରୁ ପାଠ ଛାଡ଼ୁଥିବା ଜଣାପଡ଼ୁଛି। ତେବେ ସରକାର ଏ ତଥ୍ୟ ଲୁଚାଉଛନ୍ତି ବୋଲି ଅଭିଯୋଗ କରିଥିଲା ବିଜେପି।