ଦିଲ୍ଲୀରେ ଖୋଲିବ ସ୍କୁଲ, ରାତି ୧୧ଟାରୁ ନାଇଟ କର୍ଫ୍ୟ
ଆସନ୍ତା ସୋମବାରରୁ ଦିଲ୍ଲୀରେ ଶିକ୍ଷାନୁଷ୍ଠାନରେ ଖୋଲିବ ତାଲା । ଆରମ୍ଭ ହେବ ଶ୍ରେଣୀ ଗୃହ ପାଠପଢା । ଆସନ୍ତା ୭ ତାରିଖରୁ ସ୍କୁଲ ଖୋଲିବା ନେଇ ନିଷ୍ପତି ନିଆଯାଇଛି । ଆସନ୍ତା ୭ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ ହେବ । ସେହିପରି ୧୪ ତାରିଖରୁ ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢା ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଛି । ଆଜି ଦିଲ୍ଲୀ ସରକାର ବୈଠକ କରିଥିଲେ। ଏହାପରେ ସ୍କୁଲ, କଲେଜ, ଜିମ ଓ କୋଚିଂ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।
ନାଇଟ କର୍ଫ୍ୟୁ ସମୟକୁ ଆଉ ଏକ ଘଣ୍ଟା କୋହଳ କରିଛନ୍ତି। ଏଣିକି ଦିଲ୍ଲୀରେ ରାତି ୧୧ଟାରୁ ଭୋର ୫ଟା ଯାଏ କର୍ଫ୍ୟୁ ଲାଗିବ। ପୂର୍ବରୁ ରାତି ୧୦ରୁ କର୍ଫ୍ୟୁ ଲାଗୁ ଥିଲା। ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, “ସୋମବାର ଠାରୁ ସମସ୍ତ ରେଷ୍ଟୁରାଣ୍ଟ ରାତି ୧୧ଟା ଯାଏ ଖୋଲିବ। ସମସ୍ତ ସରକାରୀ ଓ ଘରୋଇ ଅଫିସ ଗୁଡ଼ିକ ୧୦୦% କର୍ମଚାରୀଙ୍କୁ ନେଇ କାର୍ୟ୍ୟକ୍ଷମ ହେବ। ଜିମ ଓ ସୁଇମିଂ ପୁଲ ମଧ୍ୟ ପୁଣି ଖୋଲିବ।”ସମସ୍ତ ଶିକ୍ଷାନୁଷ୍ଠାନରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ସ୍କୁଲ ଖୋଲିଲେ ମଧ୍ୟ ଟିକା ନନେଇଥିବା ଶିକ୍ଷକଙ୍କୁ କ୍ଲାସ କରିବାକୁ ଅନୁମତି ମିଳିବ ନାହିଁ ।
ମାସ୍କ ପିନ୍ଧିବା ନିୟମ ଉପରେ ମଧ୍ୟ କିିଛିଟା ପରିବର୍ତ୍ତନ କରାଯାଇଛି । କାରରେ ଏକୁଟିଆ ଯାଉଥିଲେ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ ।