ଟିକା କାରଖାନାରେ ନିଆଁ
କରୋନା ଟିକା ଉପରେ ସାରା ଦେଶର ନଜର ଥିବା ବେଳେ କୋଭିସିଲ୍ଡ ପ୍ରସ୍ତୁତ କରୁଥିବା ପୁଣେର ସେରମ ଇନଷ୍ଟିଚ୍ୟୁଟରେ ନିଆଁ । ଅଗ୍ନିକାଣ୍ଡରେ ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତ୍ୟୁ ବରଣ କରିଥିବା ସମସ୍ତ ୫ ଜଣ ହେଉଛନ୍ତି କର୍ମଚାରୀ । ତେବେ ସେରମ ଇନଷ୍ଟିଚ୍ୟୁଟର ନୂଆ ପ୍ଲାଂଟରେ ନିଆଁ ଲାଗିଥିବା ବେଳେ ଟିକା ପ୍ରସ୍ତୁତ ହେଉଥିବା କାରଖାନାରେ ନିଆଁ ଲାଗିନାହିଁ ।ତେବ ସିରମ ସିଇଓ ଅଦର ପୁନାୱାଲା ଘଟଣାକୁ ନେଇ ଗଭୀର ଦୁଃଖିତ ଥିବା କହିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ଦିନ ପ୍ରାୟ ସାଢେ ୨ଟା । ହଠାତ ସେରମ ଇନଷ୍ଟିଚ୍ୟୁଟ ନୂଆ ପ୍ଲାଂଟରେ ନିଆଁ ଲାଗିଯାଇଥିଲା । ର୍ମିନାଲ-୧ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ତାକୁ ଲିଭାଇବାକୁ ୧୫ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ । ନିଆଁକୁ ଆୟତ କରିବାକୁ ନାକେଦମ ହୋଇଥିଲା ଦମକଳ ବାହନୀ । ତେବେ କରୋନା ଟିକା କୋଭିସିଲ୍ଡ ରଖାଯାଇଥିବା କୋଠାଟି ନିଆଁ ଲାଗିଥିବା କୋଠା ପାଖରେ ଥିଲେ ମଧ୍ୟ ଟିକା ଉପରେ କୌଣସି ପ୍ରଭାବ ପଡ଼ିନଥିବା ଜଣାପଡ଼ିଛି। ନିଆଁ ଲାଗିଥିବା ସ୍ଥାନରୁ ଟିକା ପ୍ରସ୍ତୁତ ସ୍ଥାନ ଦେଢ କିଲୋମିଟର ଦୂର । ପ୍ରାୟ ୩୦୦ କୋଟି ଟଙ୍କାର ସିରମ ଇନଷ୍ଟିଚ୍ୟୁଟର ଏହି ପ୍ଲାଂଟ ନିର୍ମାଣ ହେଉଥିଲା । ନିଆଁ ଲାଗିବାର କାରଣ ସମ୍ପର୍କରେ ତଦନ୍ତ ହେବ। ଘଟଣାର ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର।
କରୋନାକୁ ହରାଇବା ପାଇଁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଟିକାର ଉତ୍ପାଦନ କରୁଛି ସେରମ ଇନଷ୍ଟିଚ୍ୟୁଟ। ସାରା ଦେଶରେ ପ୍ରଥମ ପର୍ୟ୍ୟାୟ ଟିକାକରଣ ପାଇଁ ସେରମ ଇନଷ୍ଟିଚ୍ୟୁଟ ଟିକା ବିତରଣ କରି ସାରିଛି। ପ୍ରଥମ ପର୍ୟ୍ୟାୟରେ ସେରମ ଇନଷ୍ଟିଚ୍ୟୁଟ ୧୦ ନିୟୁତ ଡୋଜ ପଠାଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ାଇବାର ଯୋଜନା ରଖିଛି।