କାଳିଆ! ତୋତେ ଛାଡିକି କୁଆଡେ ଯିବିରେ..
ଅଶାନ୍ତ ସମୁଦ୍ର, ଆତଙ୍କିତ ଅଞ୍ଚଳ, ଆଖ ପାଖରେ କେବଳ ବାତ୍ୟାର ବିକଟାଳ ରଡ଼ି । ସମୁଦ୍ର ମାଡି ଆସୁଛି, ଜୁଆର ଜୀବିକା ସହ ଜୀବନ ନେଇଯିବ କହୁଛି। ସୁ ସୁ ଗର୍ଜନ, ଫଁ ଫଁ ହୋଇ ସମୁଦ୍ର ଯେଉଁ ବିକଟାଳ ରୂପ ଧାରଣ କରିଛି ହୁଏତ ଜଳରୁ ଆସି ସ୍ଥଳରେ ଜଗାର ପାଦ ଛୁଇଁବ କହୁଛି ହେଲେ ବିଚରା ଭକ୍ତ କେମିତି ବା ଜାଣିବ ସାଗରର ସତ। କାଳେ ତା ପ୍ରଭୁଙ୍କୁ ପାଣି ଭିତରକୁ ଟାଣିନେବ ବାତ୍ୟା ସେହି ଭୟରେ ଠାକୁରକୁ କୁଣ୍ଢାଇ ଝଡ଼ ମୁହଁରୁ ନେଇଯାଉଛି, ଆଖି ଦେଖାଇ ମାଡ଼ି ଆସୁଥିବା ଜୁଆରକୁ ବି ଖାତିର ନକରି ସେ ବିଶ୍ୱନିଅନ୍ତାଙ୍କୁ ନିଜ ଦୁଇ ବାହୁରେ ଜାବୁଡି ଧରିଛି। ଆଉ ବାତ୍ୟାରୁ ବଡ ଠାକୁରଙ୍କୁ ନେଇ ବାତ୍ୟା ଆଶ୍ରୟସ୍ଥଳୀ ଧାଇଁଛି । ଭୟ ଭିତରେ ଭାବର ଏ ଅଦ୍ଭୂତପୂର୍ବ ଦୃଶ୍ୟକୁ ମାଟିରୁ ଆକାଶ ଅଭିଭୂତ।
ଭୟଙ୍କର ଝଡ଼ ତୋଫାନ ଭିତରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏ ଫଟୋ କହୁଛି ଭାବର ଭାଷା । ଫଟୋ କେଉଁ ଠାର ଆଉ ଏ ଭକ୍ତ ଜଣକ କିଏ କିଛି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଖାଲି ଫଟୋଟି ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଆଉ ଏ ଫଟୋକୁ ନେଇ କିଏ କେତେ ଭାବରେ ନିଜ ମନର ପରିଭାଷାକୁ ପ୍ରକାଶିତ କରୁଛନ୍ତି।
କୁହାଯାଇଛି ଫଟୋଟି ବାଲେଶ୍ଵରର । ବାତ୍ୟା ବେଳେ ଯେତେବେଳେ ସମୁଦ୍ର କୂଳ ଲଙ୍ଘୁଥିଲା ସେତେବେଳେ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଥିଲା ଆଉ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଉଥିଲା। ବାସ ଏହି ସମୟରେ ଜଣେ ପୂଜକ ଜୁଆରରେ ଭାସି ଯାଉଥିବା ଜଗନ୍ନାଥଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀକୁ ନେଉଥିଲେ । ବାତ୍ୟାରୁ ବର୍ତ୍ତିବାକୁ ମଣିଷଙ୍କୁ ସିନା ସରକାର ସୁରକ୍ଷିତ ସ୍ଥାନକୁ ନେଉଥିଲେ ହେଲେ ଅନାଥର ନାଥ କଥା କିଏ ବୁଝିବ। ଯଦି ଏ ସଙ୍କଟ ସମୟରେ ତାକୁ ଏହି ସମୁଦ୍ର ମୁହଁରେ ଛାଡି ପଳେଇବି ତେବେ ସେ ଅନାଥ ହୋଇଯିବ । ନା ମୋ ସହ ସାଆନ୍ତେ ବାତ୍ୟା ଆଶ୍ରୟସ୍ଥଳ ଯିବେ ଆଉ ମୋ ସହ ରହିବେ। ଏଇ ଭବନା ନେଇ ଦାରୁ ଦେବତାକୁ ଛାତିରେ ଜାବୁଡ଼ି ଧରି ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି ଏ ପୂଜକ। ସତରେ କାଳିଆ ପ୍ରେମର ପଟ୍ଟାନ୍ତର ନାହିଁ। ଯାହା ଏ ଗୋଟିଏ କଥା କୁହା ଫଟୋ ହିଁ କହୁଛି …