ଶ୍ରୀମନ୍ଦିର ପାଇଁ ଏସଓପି
ଶ୍ରୀମନ୍ଦିର ଖୋଲିବା ନେଇ ଆସିଲା ଏସଓପି । ଅଗଷ୍ଟ ୧୨ ଓ ୧୩ରୁ ସେବାୟତଙ୍କ ପରିବାର ଲୋକ ମହାପ୍ରଭୁଙ୍କ ଦର୍ଶନ କରିବେ । ସେହିଭଳି ଆସନ୍ତା ୧୬ରୁ ୨୦ ତାରିଖ ମଧ୍ୟରେ ପୁରୀବାସୀଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିବ । ସେହିଭଳି ଆସନ୍ତା ୨୩ ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିର ଖୋଲିବ । ତେବେ ସମସ୍ତ ଶନିବାର ଓ ରବିବାର ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ଓ ପୂରା ମନ୍ଦିରକୁ ସାନିଟାଇଜ କରାଯିବ ।
ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ପ୍ରଥମେ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିବେ । ମନ୍ଦିର ଭିତରେ ଭକ୍ତ କୌଣସି ଭୋଗ କରିପାରିବେ ନାହିଁ, ଦୀପ ଜାଳିପାରିବେ ନାହିଁ । ମନ୍ଦିର ପରିସରରେ ଗୁଟୁଖା ଖାଇବା ସହ ଛେପ ପକାଇଲେ ୫୦୦ ଟଙ୍କାର ଫାଇନ୍, ପଲିଥିନ ନେଲେ ୧୦୦ ଟଙ୍କାର ଫାଇନ ଗଣିବାକୁ ପଡିବ । ଆନନ୍ଦ ବଜାରରେ ମହାପ୍ରସାଦ ଖାଇପାରିବେନି ଭକ୍ତ, ବାହାରକୁ ଆଣି ମହାପ୍ରସାଦ ଖାଇପାରିବେ ।
କରୋନା ଗାଇଡଲାଇନ ପାଳନ ସହ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ଭକ୍ତ ହାତକୁ ସାନିଟାଇଜ କରିବା ସହ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ଭିତରେ ଭକ୍ତ ସାମାଜିକ ଦୂରତା ବଜାୟ ରଖିବା ସହ କୌଣସି ମୂର୍ତ୍ତିକୁ ଯେପରି ନ ଛୁଇଁବେ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି ।