THE BYAPINI

ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ

Get real time updates directly on you device, subscribe now.

କଟକ-ଭୁବନେଶ୍ବର ଟ୍ୱିନ୍ ସିଟିର ନୂତନ ପୁଲିସ କମିସନର ଭାବେ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୯୫ ଆଇପିଏସ୍ ବ୍ୟାଚର ଏହି ଅଫିସର ଭୁବନେଶ୍ଵର ପୋଲିସ କମିଶନରେଟ୍ ପୋଲିସ କାର୍ୟ୍ୟାଳୟରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଆଇପିଏସ ଅଫିସର ବିଭିନ୍ନ ସମୟରେ ସରକାରଙ୍କ ପାଇଁ ସଙ୍କଟ ମୋଚକ ସାଜିଛନ୍ତି । ତେବେ ଟ୍ୱିନସିଟିରେ ଅପରାଧ ନିୟନ୍ତ୍ରଣ ସୌମେନ୍ଦ୍ରଙ୍କ ପାଇଁ ବଡ ଆହ୍ୱାନ ହେବ ।

ଦାୟିତ୍ୱ ନେବା ପରେ ନୂଆ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି। ସରକାର ଏତେ ବଡ଼ ବିଶ୍ୱାସ ରଖି ଦାୟିତ୍ୱ ଦେଇଛନ୍ତି। ସେ ସୁଚାରୁରୂପେ ନିଜର ଦାୟିତ୍ବ ସଂପନ୍ନ କରିବେ। କଟକ ଓ ଭୁବନେଶ୍ବର ଟୁଇନ୍‌ ସିଟିରେ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ , ଏବଂ ପୋଲିସ ଓ ପବ୍ଲିକ ମଧ୍ୟରେ କେମିତି ସୁସମ୍ପର୍କ ସ୍ଥାପନ ହୋଇପାରିବ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ରଥଯାତ୍ରା ଭଳି ବଡ ଦାୟିତ୍ୱ ହେଉ, ନବକଳେବର ଭଳି ଆହୁରି ବଡ କାମ ହେଉ କିମ୍ବା ଫନି ଭଳି ବଡ ବାତ୍ୟା ପରେ ଉଦ୍ଧାର ଓ ପୁନଃନିର୍ମାଣ କାମ ହେଉ, ସବୁଥିରେ ଖୋଜାପଡନ୍ତି ସୌମେନ୍ଦ୍ର । ପୁରୀରେ ଯେତେବେଳେ ମନ୍ଦିର ସେବାୟତ କିମ୍ବା ଶ୍ରୀଜିଉଙ୍କ ନୀତିକାନ୍ତିକୁ ନେଇ ସମସ୍ୟା ଦେଖାଦିଏ, ସେତେବେଳେ ସରକାର ସୌମେନ୍ଦ୍ରଙ୍କୁ ଖୋଜନ୍ତି । ଅଫିସର ଅନ୍ ସ୍ପେଶାଲ ଡ୍ୟୁଟିରେ ରହି ନବକଳେବର ଭଳି ଜଟିଳ ଏବଂ ସମ୍ବେଦନଶୀଳ କାର୍ୟ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି । କ୍ରାଇମବ୍ରାଂଚର ଏଡିଜି ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀ ହାଇପ୍ରୋଫାଇଲ ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକ ମାମଲାର ତଦନ୍ତ କରୁଥିଲେ । ଏହାଛଡା ବହୁ ଚର୍ଚ୍ଚିତ ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା କ୍ରାଇମବ୍ରାଂଚ ।

ଗତକାଲି ରାଜ୍ୟ ପୁଲିସ ବିଭାଗରେ ଏକ ଛୋଟ ଧରଣର ଅଦଳବଦଳ ହୋଇଥିଲା। କଟକ-ଭୁବନେଶ୍ବର ଦ୍ବୈତନଗରୀରର ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଓଡ଼ିଶା ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (ଓପିଏଚଡବ୍ଲୁସି)ର ସିଏମଡି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ପୁଲିସ କମିସନର ଭାବେ ନିଯୁକ୍ତି ମିଳିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.